ଜନସେବା କେନ୍ଦ୍ର ମାଧ୍ୟମରେ କୋଟି କୋଟି ଲାଞ୍ଚ: ଜଳଛାୟା ଉପନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

Key Points
ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨ ଦିନର ଲଗାତାର ସର୍ଚ୍ଚ ଅପରେସନ୍ରେ ଶାନ୍ତନୁଙ୍କ ଠାରୁ ୨ କୋଟି ନଗଦ ମିଳିଛି । ସହଯୋଗୀଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଧରିଛି ଭିଜିଲାନ୍ସ ।
ଭୁବନେଶ୍ଵର: ଗିରଫ ହେଲେ କୋଟିପତି ସରକାରୀ ବାବୁ । ଶ୍ରମିକଙ୍କ ନାଁରେ ଉଠାଉଥିଲେ ସରକାରୀ ଟଙ୍କା । ମାଧ୍ୟମ ସାଜିଥିଲା ଜନସେବା କେନ୍ଦ୍ର । ବାବୁଙ୍କ ଦାୟିତ୍ଵ ଥିଲା ଜଳସେଚନ ପ୍ରକଳ୍ପର ଦେଖା ରଖା, ହେଲେ ସେ ଦେଖୁ ଦେଖୁ ମାଟି ମାଧ୍ୟମରେ ଚଳୁ କରୁଥିଲେ ଶ୍ରମିକଙ୍କ ପାଇଁ ଆସୁଥିବା କୋଟି କୋଟି ସରକାରୀ ଟଙ୍କା । ଚାକିରିରେ ବାବୁଙ୍କ ଜିଲ୍ଲା ବଦଳିବା ସହ ମାଡ଼ି ଚାଲୁଥିଲା ଲୁଟ୍ର ଚେର ।
ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨ ଦିନର ଲଗାତାର ସର୍ଚ୍ଚ ଅପରେସନ୍ରେ ଶାନ୍ତନୁଙ୍କ ଠାରୁ ୨ କୋଟି ନଗଦ ମିଳିଛି । ସହଯୋଗୀଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଧରିଛି ଭିଜିଲାନ୍ସ ।
📱 Get Argus News App
✨ଶାନ୍ତନୁଙ୍କ ୭ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି । ୪ଟି ଦାମୀ ପ୍ଲଟ୍ ସହ ୪୨୨ ଗ୍ରାମ ସୁନା, ୯୧ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ ଚାରି ଚକିଆ ଗାଡ଼ି, ୨ଟି ଦୁଇଚକିଆ ଗାଡ଼ି, ୨୯ ଲକ୍ଷରୁ ଅଧିକ ଟଙ୍କାର ଘର କରଣା ସାମଗ୍ରୀ ଠାବ କରିଛି ଭିଜିଲାନ୍ସ ।
ମାମଲାରେ ଶାନ୍ତନୁଙ୍କ ସହ ମାଲକାନଗିରି କୃଷି ବିଭାଗର ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଚୁକ୍ତି ଭିତିକ କର୍ମଚାରୀ ଅମୀୟ କାନ୍ତ ସାହୁ ଏବଂ ଜନସେବା କେନ୍ଦ୍ର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଜନସେବା କେନ୍ଦ୍ରକୁ ଢାଲ କରି କୋଟି କୋଟି ଟଙ୍କା ଲାଞ୍ଚ ନେଉଥିଲେ ଶାନ୍ତନୁ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୋଷ୍ଟିଂ ଥିବାବେଳେ କାମ ନ କରି କାମ ଦେଖାଇ ଟଙ୍କା ଉଠାଇବା ଆରମ୍ଭ କରିଥିଲେ । ଏଥିରେ ଶାନ୍ତନୁଙ୍କୁ ସହଯୋଗ କରୁଥିଲେ ଡିଇଓ ବିଶ୍ୱଜିତ ମଣ୍ଡଳ ଓ କଣ୍ଟ୍ରାଚୁଆଲ ଷ୍ଟାଫ୍ ଅମୀୟକାନ୍ତ ସାହୁ । ଏ ଦୁଇ ଜଣଙ୍କ ଘରୁ ଶତାଧିକ ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଶ୍ରମିକ ମାନଙ୍କର ।
ମନରେଗାର ବିଭାଗର ବିଭିନ୍ନ କାର୍ଯ୍ୟ କରି ଶ୍ରମିକଙ୍କ ପେମେଣ୍ଟ ନାଁରେ ଟଙ୍କା ଲୁଟ୍ ପାଇଁ ଏହି ଆକାଉଣ୍ଟ ସବୁକୁ ବ୍ୟବହାର କରାଯାଉଥିଲା । ଗଞ୍ଜାମ ଜଗନ୍ନାଥପ୍ରସାଦର ଏକ ଜନସେବା କେନ୍ଦ୍ର ଜରିଆରେ ୨୦୧୯ରୁ ୨୦୨୪ ମଧ୍ୟରେ ୧ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି ଶାନ୍ତନୁ । ଉକ୍ତ ଜନସେବା କେନ୍ଦ୍ର ଚଳାଉଥିବା ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ବ୍ରହ୍ମପୁର ଜୋନର ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଥିବା ବେଳେ ଶାନ୍ତନୁ ବିଭିନ୍ନ କଣ୍ଟ୍ରାକ୍ଟର ଓ ଲୋକଙ୍କଠାରୁ ଲାଞ୍ଚ ଆଦାୟ କରୁଥିଲେ। ଏଥିରେ ଜନସେବା କେନ୍ଦ୍ରର ଅଲେଖ ସାହାଯ୍ୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।