କଣ ରହିଛି ରାକ୍ଷୀ ପୂର୍ଣ୍ଣିମାର ପ୍ରଥା-ପରମ୍ପରା-ପୁରାଣ ?

Key Points
ଯୁଗେ ଯୁଗେ ଭଉଣୀର ରକ୍ଷା କବଚ ସାଜିଛି ଭାଇ
କୁରୁସଭାରେ କୋଟି ବସ୍ତ୍ର ଦେଇ ଦ୍ରୌପଦୀଙ୍କ ଲଜ୍ଜା ନିବାରିଥିଲେ ଶ୍ରୀକୃଷ୍ଣ
କଣ ରହିଛି ରାକ୍ଷୀ ପୂର୍ଣ୍ଣିମାର ପ୍ରଥା-ପରମ୍ପରା-ପୁରାଣ
ଆସୁଛି ରାକ୍ଷୀ ପୂର୍ଣ୍ଣିମା। ରାଖୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଭାଇ ଭଉଣୀଙ୍କ ସମ୍ପର୍କର ମହତ୍ତ୍ୱକୁ ଦର୍ଶାଉଥିବା ଏହି ଦିନଟିକୁ ଭାଇ ଓ ଭଉଣୀମାନେ ଚାହି ବସିଥାନ୍ତି । ତେବେ ବର୍ତ୍ତମାନ ରାଖୀ ପରମ୍ପରା ବଦଳୁଛି। ଏବେ ରାକ୍ଷୀ କେବଳ ଭାଇମାନଙ୍କ ହାତରେ ପିନ୍ଧାଇବାରେ ସୀମିତ ହୋଇନାହିଁ। ସାଙ୍ଗଠାରୁ ଆରମ୍ଭ କରି ଭାଉଜମାନଙ୍କୁ ରାକ୍ଷୀ ବାନ୍ଧିବାର ପରମ୍ପରା ଆରମ୍ଭ ହେଲାଣି। ତେଣୁ ସେହି ଅନୁସାରେ ଅନଲାଇନ୍ ଓ ସାଧାରଣ ବଜାରରେ ଭିନ୍ନ ଭିନ୍ନ ରକମର, ଗ୍ରାହକଙ୍କ ଚାହିଦା ଓ ପସନ୍ଦ ଅନୁଯାୟୀ ରାଖୀ ଉପଲବ୍ଧ ହେଉଛି। ଏହି ଦିନ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଉଜ୍ୱ୍ୱଳ ଭବିଷ୍ୟତର କାମନା କରେ। ବଦଳରେ ଭାଇ ମଧ୍ୟ ଭଉଣୀର ରକ୍ଷା କବଚ ସାଜିବ ବୋଲି ସଂକଳ୍ପ ନେଇଥାଏ।
ସୂତା ଖିଅଟିରେ ତିଆରି ହୋଇଥିବା ଏହି ରାଖୀରେ ଭରି ରହିଛି ସ୍ନେହ, ସରାଗ, ଆବେଗ ଆଉ କର୍ତ୍ତବ୍ୟ ନିଷ୍ଠା। ଏହି କର୍ତ୍ତବ୍ୟ ନିଷ୍ଠା ସେଦିନ କୁରୁସଭାରେ ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ। ଆପଣ ଜାଣିଛନ୍ତି କି, ରାଖୀ ପୂର୍ଣ୍ଣିମାକୁ ନେଇ ପୁରାଣ ଓ କିମ୍ବଦନ୍ତୀ କଣ ରହିଛି। ଏକଦା ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ସମୟରେ ସଖା ଶ୍ରୀକୃଷ୍ଣଙ୍କର ହାତ କଟିଯାଏ ତ ଦ୍ରୌପଦୀ ସାଙ୍ଗେ ସାଙ୍ଗେ ନିଜ ଶାଢୀ କାନିକୁ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦିଅନ୍ତି। ଆଉ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ସେଦିନ ଦ୍ରୌପଦୀଙ୍କ ମଧ୍ୟରେ ଭଉଣୀର ସରାଗ ପାଇଥିଲେ କୃଷ୍ଣ। ଆଉ ଦିନେନା ଦିନେ ତାଙ୍କର ଏହି ଉପକାରର ପ୍ରାପ୍ୟ ଦେବେ ଏବଂ ଭଉଣୀର ମାନ ରକ୍ଷା କରିବେ ବୋଲି ସଂକଳ୍ପ କରିଥିଲେ। ସତକୁ ସତ କୁରୁସଭାରେ ପଞ୍ଚୁ ପାଣ୍ଡବ ପଶା ଖେଳରେ ହାରିବା ପରେ ସର୍ତ୍ତ ଅନୁସାରେ ଯେତେବେଳେ ଦୁଃଶାସନ ଦୌପ୍ରଦୀଙ୍କ ବସ୍ତ୍ର ଉତାରିବାକୁ ଚେଷ୍ଟା କରିଥିଲା ସେତେବେଳ ପ୍ରଭୁ ଶ୍ରୀକୃଷ୍ଣ ଶୂନ୍ୟରୁ ଦ୍ରୋପଦୀଙ୍କୁ କୋଟି କୋଟି ବସ୍ତ୍ର ଦେଇ ମାନ ରକ୍ଷା କରିଥିଲେ।
📱 Get Argus News App
✨ସେହିପରି ମା’ ଲକ୍ଷ୍ମୀଙ୍କର ଭାଇ ହୋଇଥିଲେ ବଳି ରାଜା। ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ପରମ ଭକ୍ତ ଥିଲେ। ତାଙ୍କ ଉପରେ ବିପଦ ଥିବା ଜାଣି ଭଗବାନ ବୈକୁଣ୍ଠ ଛାଡ଼ି ବଳିଙ୍କ ରାଜପ୍ରସାଦରେ ରହିବାକୁ ଲାଗିଲେ। ମାତ୍ର ଲକ୍ଷ୍ମୀ ସାଆନ୍ତାଣି ଏହା ଚାହୁଁନଥିଲେ। ତେଣୁ ସେ ମର୍ତ୍ତ୍ୟକୁ ବ୍ରାହ୍ମଣୀ ବେଶରେ ଆସି ଶ୍ରାବଣ ପୂର୍ଣ୍ଣିମା ଅବସରରେ ରାଜା ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ କରିଥିଲେ। ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତବ୍ୟ ଥିଲା। ଲକ୍ଷ୍ମୀ କଣ ଚାହୁଁଛନ୍ତି ଜାଣିବା ପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ।
ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ମଧ୍ୟ ପାଳନ କରାଯାଏ। ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ। ଗାଈଙ୍କୁ ଗାଧୋଇ ତାଙ୍କ ଶିଙ୍ଗରେ ରାଖୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।