Mohammed Moquim / ବାସ୍ତବରେ କ'ଣ ଚାହାନ୍ତି ମୋକିମ, ଭକ୍ତଙ୍କ ସହ ତାଙ୍କର କି ଦୁଷ୍ମନୀ ?

Key Points
ଏମିତି କେତେ ଦିନ ଚାଲିବ ? ଦଳ କେତେ ଥର ବଦଳାଇବ ପିସିସି ? କାହାକୁ ଦାୟିତ୍ୱ ଭାର ଦେଲେ ମିଳିବ ସମ୍ପୂର୍ଣ୍ଣ ସମର୍ଥନ ? ଦେଶରେ ଦଳର ଯେଭଳି ଅବସ୍ଥା ଓଡ଼ିଶାରେ ବି ତାଠାରୁ ଅଧିକ ସଂଗୀନ । ତେବେ ଏଭଳି ସ୍ଥିତିରେ ଦଳ କ'ଣ କରିବ ? କାହା କଥା ବିଶ୍ୱାସ କରିବ ? ଏବେ ସବୁଠାରୁ ବଡ଼ ପ୍ରଶ୍ନ କ'ଣ ଚାହାନ୍ତି ମୋକିମ ? କାହିଁକି ଭକ୍ତଙ୍କ ସହ ତାଙ୍କର ଦୁଷମନୀ ? କାହିଁକି ଭକ୍ତଙ୍କ ବିରୋଧରେ ଦଳର ହାଇକମାଣ୍ଡଙ୍କୁ ଲେଖିଲେ ଚିଠି ? ସେ ନିଜେ ହେବାକୁ ଚାହୁଁଛନ୍ତି କି ପିସିସି ? ତାଙ୍କୁ ଦଳ ଦେଇପାରିବ କି ଦାୟିତ୍ୱ ? ହାଇକମାଣ୍ଡଙ୍କର ବିଶ୍ୱାସ ଭାଜନ ହୋଇପାରିଛନ୍ତି କି ମୋକିମ୍ ? ରାଜ୍ୟରେ ହିନ୍ଦୁତ୍ୱବାଦୀ ବିଜେପି ସରକାର ଥିବା ବେଳେ ମହମ୍ମଦ ମୋକିମ୍ଙ୍କୁ କଂଗ୍ରେସ ପିସିସି ସଭାପତି କରି ରିସ୍କ ନେଇପାରିବ କି ?
ଏମିତି ଅନେକ ପ୍ରଶ୍ନ ଏବେ ରାଜନୀତି ସହ ଜଡ଼ିତ ପ୍ରତ୍ୟେକ ଲୋକଙ୍କ ମନରେ ରହିଛି । କେବଳ କଂଗ୍ରେସରେ ନୁହେଁ ସାଧାରଣ ଲୋକେ ମଧ୍ୟ ଏନେଇ ଆଲୋଚନାକ କରୁଛନ୍ତି । ଆଉ ଏହାରି ଭିତରେ ସବୁଠାରୁ ବଡ଼ ସାଧାରଣ ପ୍ରଶ୍ନ ହେଲା, କେବେ ସୁଧୁରିବ କଂଗ୍ରେସ ?
ପୁରା କାହାଣୀ ଟି ହେଲା...
ପୁଣି ଚର୍ଚ୍ଚାରେ ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ । ଏଥର ଦିଲ୍ଲୀ ହାଇ କମାଣ୍ଡଙ୍କୁ ଚିଠି ଲେଖି ପିସିସି ସଭାପତିଙ୍କ ସହ ସଂଗଠନରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ଦଳର ଦୁର୍ବଳ ସ୍ଥିତି ନେଇ ଭକ୍ତ ଦାସଙ୍କୁ କରିଛନ୍ତି ଟାର୍ଗେଟ । ଆଉ ନୂଆ ଚେହେରାକୁ ଦାୟିତ୍ୱ ଦେବାକୁ କରିଛନ୍ତି ଅନୁରୋଧ।
ମୋକିମ ଚିଠିରେ ଦର୍ଶାଇଛନ୍ତି ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । କଂଗ୍ରେସ କର୍ମୀ ଏବେ ଦିଶାହୀନ ଓ ଦ୍ଵନ୍ଦରେ । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା ।
୨୦୨୫ରେ ତିନିଥର ନିର୍ବାଚନ ହାରିଥିବା ନେତା ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଗଲା । ଯାହାଙ୍କ ବିଚାର ଧାରା କଂଗ୍ରେସ ବିଚାର ଧାରା ଠାରୁ ଭିନ୍ନ । ନିଜ ସଂସଦୀୟ କ୍ଷେତ୍ରରେ ନୂଆପଡ଼ା ଉପନିର୍ବାଚନରେ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟରେ କଂଗ୍ରେସ ହାରିଛି । ବୁଥ କର୍ମୀ, ବ୍ଲକ ସଭାପତି ଓ ଜିଲ୍ଲା ସ୍ତରୀୟ ନେତା ଦଳରେ ଅଣଦେଖାର ଶିକାର ହେଉଛନ୍ତି । ତେବେ AICC କରିଥିବା ସଂଗଠନ ସୃଜନ ଅଭିଯାନ ଭଲ ଲକ୍ଷ୍ୟରେ କରାଯାଇ ଥିଲେ ମଧ୍ୟ ନେତାଙ୍କ ଦକ୍ଷତାକୁ ଦେଖାଗଲା ନାହିଁ ବୋଲି କହିଛନ୍ତି ମୋକିମ ।
ଭକ୍ତଙ୍କୁ ଦାୟିତ୍ୱ ମିଳିବା ପରେ ଚର୍ଚ୍ଚା ହେଉଥିଲା କଂଗ୍ରେସ ଏବେ ଟ୍ରାକକୁ ଫେରିବ । ହେଲେ ଦଳରେ ଗୋଷ୍ଠୀ ବିବାଦ ବଢ଼ତବା ଆରମ୍ଭ ହେଲା । ଯାହା କିଛି ଦିନ ତଳେ ଅଣଦେଖା କରାଯାଉଥିବା ନେଇ ନରସିଂହ ମିଶ୍ରଙ୍କ ବୟାନରୁ ସ୍ପଷ୍ଟ ବାରି ହେଲା ।
ସେପଟେ ବିଧାୟକ ରମେଶ ଜେନା ଓ ପିସିସି ସଭାପତିଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଭିତରେ ଥାନାକୁ ଯାଇଛି ଅନ୍ୟ ଏକ ମାମଲା । ଫୋନରେ ଧମକ ଦେବା ନେଇ ରମେଶ ଜେନାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପିସିସି କୋଷାଧକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ । ପିସିସି ସଭାପତି ହଟାଇବା ପାଇଁ ଦିଲ୍ଲୀରେ କଂଗ୍ରେସ ନେତା ଡେରା ପକାଇବା କିଛି ନୂଆ କଥା ନୁହେଁ । ଏବେ ମୋକିମଙ୍କ ଚିଠି ଦଳରେ ବିସ୍ଫୋରଣ ସୃଷ୍ଟି କରିଥିବା ବେଳେ ଆଗକୁ ଦଳରେ ଏହାର କଣ ପ୍ରଭାବ ପଡୁଛି ତାହା ଉପରେ ନଜର ।
କଂଗ୍ରେସର ଏଭଳି ସ୍ଥିତି ଦେଖି, ରାଜନୀତି ବିଶେଷଜ୍ଞଙ୍କ ମତ ହେଉଛି କଂଗ୍ରେସ ପାଇଁ କାଳ କଂଗ୍ରେସ । ଯେତେ ଦିନ ପର୍ଯ୍ୟନ୍ତ ଦଳର ଏହି ପୁରୁଣା ରୋଗ ଭଲ ହେବ ନାହିଁ, କଂଗ୍ରେସ ପୁଣି ଥରେ ଛିଡ଼ା ହୋଇପାରିବ ନାହିଁ ।
📱 Get Argus News App
✨Related Topics
Explore more stories