Odisha Politics / ୨୦୨୬ରେ BJP-BJD-କଂଗ୍ରେସ ପାଇଁ କ'ଣ ରହିଛି ଚ୍ୟାଲେଞ୍ଜ ?

Key Points
ନୂଆ ଦଳ ଗଠନର ଆଭାସ ମଧ୍ୟ ସୃଷ୍ଟି କରି ପାରେ ନୂଆ ସମୀକରଣ ।
ନୂଆବର୍ଷରେ କେମିତି ରହିବ ରାଜ୍ୟର ରାଜନୈତିକ ପରିବେଶ ? ୩ ପ୍ରମୁଖ ରାଜନୈତିକ ଦଳଙ୍କ ଆଗରେ କଣ କଣ ରହିପାରେ ଚ୍ୟାଲେଞ୍ଜ । ରାଜ୍ୟସଭା ନିର୍ବାଚନ ଏବଂ ପର ବର୍ଷରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଥିବାରୁ ସବୁ ଦଳ ଜୋରଦାର କରିବେ ରଣନୀତି। ଗୋଟିଏ ପଟେ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ହେଉଥିବା ବେଳେ ଦଳୀୟ କନ୍ଦଳରେ ଫସି ରହିଛନ୍ତି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ।
ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ବେଶ ଚ୍ୟାଲେଞ୍ଜଭରା ରହିବ ବର୍ଷ ୨୦୨୬ । ଅନେକ ରାଜନୈତିକ ହଟଚମଟ ଦେଖିବେ ରାଜ୍ୟବାସୀ ।
ବିଜେପି ପାଇଁ ଆହ୍ୱାନ -
୨୦୨୬ ମାର୍ଚ୍ଚରେ ରାଜ୍ୟସଭାରେ ଖାଲି ପଡ଼ୁଥିବା ୪ଟି ଆସନ ମଧ୍ୟରୁ ୩ଟିକୁ ନିଜ କବଜାକୁ ନେବା ବିଜେପି ପାଇଁ ହେବ ସବୁଠୁ ବଡ଼ ଆହ୍ୱାନ । ସେହିପରି ବର୍ଷ ଶେଷ ବେଳକୁ ପଂଚାୟତ ଓ ପୌର ନିର୍ବାଚନ ପାଇଁ କସରତ ତୃଣମୂଳ ସ୍ତରରେ ବିଜେପିର ସଂଗଠନ ଓ ଲୋକପ୍ରିୟତାକୁ ମାପିବ । ସମ୍ବଲପୁର, ରାଉରକେଲା ଓ ନୂଆକରି ଗଠିତ ପୁରୀ ମହାନଗର ନିଗମରେ ନିର୍ବାଚନ ବିଜେପି ସରକାରଙ୍କ ପାଇଁ ହୋଇପାରେ ଏସିଡ୍ ଟେଷ୍ଟ । ଆଉ ନିର୍ବାଚନ ପ୍ରସ୍ତୁତି ଭିତରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢିବା ବି ବିଜେପି ପାଇଁ ଆଣିପାରେ ଅନେକ ଆହ୍ୱାନ ।
ବିଜେଡ଼ି ସାମ୍ନାରେ ଆହ୍ୱାନ -
ବିଜେଡିର ଦ୍ଵିତୀୟ କ୍ଷମତା କେନ୍ଦ୍ର କିଏ ହେବ ଆଉ କିଏ ହେବ ନବୀନଙ୍କ ଉତ୍ତରାଧିକାରୀ ତାହା ବିଜେଡି ପାଇଁ ସବୁଠୁ ବଡ଼ ଆହ୍ୱାନ ହେବ । ରାଜ୍ୟସଭା ନିର୍ବାଚନ ଭିତରେ ଯଦି ନବୀନଙ୍କ ନିଷ୍ପତ୍ତିରେ କିଛି ବି ଏପଟ ସେପଟ ହୁଏ ତେବେ ୨୦୨୬ରେ ବିଜେଡିରେ ଏକ ବଡ଼ଧରଣର ବିଭାଜନ ଦେଖିବାକୁ ମିଳିପାରେ । ତାହା ସହ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ରୋକିବା ହିଁ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।
କଂଗ୍ରେସ ପାଇଁ ଆହ୍ୱାନ -
ଦଳରେ ବଢୁଥିବା ଗୋଷ୍ଠୀ ବିବାଦ ଯୋଗୁ ୨୦୨୬ ମସିହାରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ନିଜ ଆସନ ସୁରକ୍ଷିତ ରଖିବାର ଚ୍ୟାଲେଞ୍ଜକୁ ସାମ୍ନା କରିପାରନ୍ତି । ବରିଷ୍ଠଙ୍କ ଅସନ୍ତୋଷ ଆଉ ଭକ୍ତଙ୍କ ଆକ୍ସନ ଥିଓରି ଭିତରେ ସଂଗଠନକୁ ବଞ୍ଚାଇ ରଖିବା କଂଗ୍ରେସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।
ଏସବୁ ଭିତରେ ନୂଆ ସମୀକରଣରେ ନୂଆ ଦଳ ସୃଷ୍ଟିର ସମ୍ଭାବନାକୁ ବି ଏଡାଇ ଦିଆଯାଇ ନପାରେ । ତେବେ କ୍ଷମତା ଦଖଲର ଲଢ଼େଇ ମଧ୍ୟରେ ଜନସାଧାରଣଙ୍କ ସମସ୍ୟା କେତେ ପ୍ରାଥମିକତା ପାଉଛି ତାହା ଉପରେ ରାଜ୍ୟ ବାସୀଙ୍କ ନଜର ।
📱 Get Argus News App
✨Related Topics
Explore more stories