ନବୀନଙ୍କ ହିଞ୍ଜିଳି ମଡେଲ୍ କଣ ?

Key Points
- ନବୀନଙ୍କ ହିଞ୍ଜିଳି ମଡେଲ
- ମଦ, ଦାଦନରେ ଭର୍ତ୍ତି ହେଲାଣି
- ତଥାପି ବ୍ରାଣ୍ଡ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ବିଜେଡିର ସର୍ବପ୍ରଥମ ପ୍ରଚାର ବ୍ରତ ଖୋଦ୍ ମୁଖ୍ୟମନ୍ତ୍ରୀ କହୁଛନ୍ତି ହିଞ୍ଜିଳି ମଡେଲ କେବଳ ରାଜ୍ୟ ନୁହେଁ ବରଂ ଦେଶରେ ଚହଳ ସୃଷ୍ଟି କଲାଣି । ଅଧିକାଂଶ ବିକାଶ ସେହି ନିର୍ବାଚନମଣ୍ଡଳୀରୁ ହିଁ ହୋଇଛି । ଅର୍ଥାତ୍ ବିକାଶ କଥା କହିଲେ କେବଳ ହିଞ୍ଜିଳିକାଟୁକୁ ହିଁ ବୁଝାଯାଉଛି । ତେବେ ହିଞ୍ଜିଳି ମଡେଲର ମାନେ କଣ ? ଯେମିତି ଦେଶରେ ମୋଦିଙ୍କ ଗୁଜୁରାଟ୍ ମଡେଲ ଚର୍ଚ୍ଚାରେ, ସେମିତି ଆସନ୍ତୁ ଦେଖିବା ହିଞ୍ଜିଳି ମଡେଲର ସତ୍ୟ କଣ ? କାରଣ ଗଂଜାମ କଥା ଆସିଲେ ସାଧାରଣତଃ ଦୁଇଟି କଥା ସମସ୍ତଙ୍କ ମନରେ ଆସେ । ଗୋଟିଏ ହେଉଛି ମଦ, ଅନ୍ୟଟି ହେଉଛି ଦାଦନ ।
ପ୍ରଶ୍ନ ରାଜ୍ୟରେ ସବୁଠୁ ଅଧିକ ମଦ ଦୋକାନ କେଉଁଠି ?
ଉତ୍ତର- ଗଂଜାମରେ
ପ୍ରଶ୍ନ- ରାଜ୍ୟରେ ସବୁଠୁ ଅଧିକ ଦାଦନ କେଉଁଠି ?
ଉତ୍ତର- ଗଂଜାମରେ
ହିଞ୍ଜିଳି ମଡେଲର ଡିଡିମ୍ବ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ସେ ବିକାଶର ବାସ୍ତବତା ଜାଣିଲେ ଆପଣ ବି ଚିନ୍ତିତ ହେବେ । ଆଉ କହିବାକୁ ବାଧ୍ୟ ହେବେ ଏମିତି ବିକାଶ ଆମର ଦରକାର ନାହିଁ । କାରଣ ତଥ୍ୟ କହୁଛି, ଗଂଜାମ ଜିଲ୍ଲାରେ ମୋଟ୍ ୨୨ ବ୍ଲକ୍ ରହିଛି । ଯେଉଁଥିରେ ୬୬୨ ମଦ ଦୋକାନ ରହିଛି । ଗାଣିତିକ ତଥ୍ୟରେ ବିଶ୍ଳେଷଣ କଲେ, ବ୍ଲକ୍ ପିଛା ୩୦ ମଦ ଦୋକାନ ଖୋଲିଛି । ବ୍ଲକ୍ରେ ସ୍କୁଲ କି ପ୍ରାଥମିକ ଶିକ୍ଷା କେନ୍ଦ୍ର ଥାଉ କି ନଥାଉ ହିଞ୍ଜିଳି ମଡେଲର ଅର୍ଥ ହେଉଛି ବ୍ଲକ୍ ପିଛା ୩୦ ମଦ ଦୋକାନ । ଥରେ ଚିନ୍ତା କରି ଦେଖନ୍ତୁ...ଯଦି ପ୍ରତି ବ୍ଲକ୍ରେ ୩୦ ମଦ ଦୋକାନ ରହିବ ତାହାଲେ ସେହି ଅଂଚଳ ସ୍ଵାସ୍ଥ୍ୟ ଓ ଆର୍ଥିକ ଅବସ୍ଥା କେମିତି ଥିବ ?
ଗଂଜାମରେ ୨୨ ବ୍ଲକ୍ରେ ପ୍ରାୟ ୫୦ ଲକ୍ଷ ଲୋକ ବସବାସ କରୁଛନ୍ତି । ହିସାବ କଲେ ଗୋଟିଏ ବ୍ଲକ୍ରେ ପାଖାପାଖି ୧ ଲକ୍ଷ ୬୦ ହଜାର ଲୋକ ରହୁଛନ୍ତି । କିନ୍ତୁ ରିପୋର୍ଟ କହୁଛି, ରାଜ୍ୟର ୪୩୦୬ ମଦ ଦୋକାନ ଭିତରୁ କେବଳ ୧୫ ପ୍ରତିଶତ ମଦ ଦୋକାନ ଗୋଟିଏ ଜିଲ୍ଲାରେ । ହଁ...ଆମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ । ଗ୍ରାମୀଣ ଓଡ଼ିଶାରେ ପ୍ରାୟ ୩୦ ପ୍ରତିଶତ ଲୋକ ମଦ ଦ୍ଵାରା ଗ୍ରାସିତ ହେଲେଣି । ଜିଲ୍ଲାରେ ପ୍ରତି ତିନିଜଣରେ ଜଣେ ମଦ ପିଉଥିବା ରିପୋର୍ଟ ସାମ୍ନାକୁ ଆସିଛି । ଯାହା ଚିନ୍ତା ନୁହେଁ ବରଂ ଦୁର୍ଭାଗ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଜାତୀୟ ସ୍ତରରେ ୧୮.୭ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ରାଜ୍ୟ ସ୍ତରରେ ଏ ହାର ୨୮.୭ ପ୍ରତିଶତ ରହିଛି ।
📱 Get Argus News App
✨ଖାଲି ମଦ ବନ୍ୟା ହେଉନି ଗଂଜାମରେ, ଦାଦନରେ ବି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ ରେକର୍ଡ କଲାଣି । ଗ୍ରାମୀଣ ଓଡ଼ିଶାରୁ ପାଖାପାଖି ୩୩ ପ୍ରତିଶତ ଲୋକ ଦାଦନ ଯାଉଥିବା ବେଳେ ଗଂଜାମରୁ ଯାଉଛନ୍ତି ପାଖାପାଖି ୬୦ ପ୍ରତିଶତ । ମାନେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରୁ ଅନ୍ୟ ଜିଲ୍ଲା ଅପେକ୍ଷା ଡବଲ ଲୋକ ଦାଦନ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁଆ ଗାଁରୁ ୮୦ ପ୍ରତିଶତ ଲୋକ ଯାଉଛନ୍ତି ଦାଦନ । ସ୍ଥିତି ଏମିତି ହେଲାଣି ଯେ ସେଇ ଗାଁ ଏବେ ପୁରୁଷ ଶୂନ୍ୟ ହୋଇ ତା'ର ନାଁ ଭୂତ ଗାଁ ହେଲାଣି ।
ତଥ୍ୟ କହୁଛି, ଓଡ଼ିଶାରୁ ପାଖାପାଖି କୋଟିଏ ଲୋକ ଦାଦନ ଯାଉଛନ୍ତି । ହେଲେ ତା ଭିତରୁ କେବଳ ଗଂଜାମରୁ ଯାଉଛନ୍ତି ୧୫ ଲକ୍ଷ । ଅର୍ଥାତ୍ ବ୍ଲକ୍ ପିଛା ପାଖାପାଖି ଲକ୍ଷେ ଲୋକ ଦାଦନ ଯାଉଛନ୍ତି । ହେଲେ ବି ନବୀନ କହୁଛନ୍ତି ଆମକୁ ଦରକାର ହିଞ୍ଜିଳି ମଡେଲ । ମୋଟ୍ ଉପରେ ହିଞ୍ଜିଳି ମଡେଲ୍ର ମାନେ ।
- ବ୍ଲକ୍ ପିଛା ୩୦ ମଦ ଦୋକାନ
- ବ୍ଲକ୍ ପିଛା ଲକ୍ଷେ ଲୋକ ଦାଦନ
ଆଉ ଏଇଟା ହେଉଛି ନବୀନଙ୍କ ହିଞ୍ଜିଳି ମଡେଲ୍ । ହଁ...ହିଞ୍ଜିଳି ମଡେଲ । ଯେଉଁଠି ଦାଦନ ସଂଖ୍ୟା ଲକ୍ଷଲକ୍ଷ...ମଦ ଦୋକାନ ସଂଖ୍ୟା ଶହଶହ । କିନ୍ତୁ ଏହା ପରେ ବି ନବୀନ କହୁଛନ୍ତି ହିଞ୍ଜିଳି ମଡେଲରେ ବିକାଶ ହେବ ।