ମେଂଟ ଚର୍ଚ୍ଚା : ଜୁଏଲ କହିଲେ...

ଅର୍ଗସ ବ୍ୟୁରୋ: ମେଂଟକୁ ନେଇ ବଡ଼ ବୟାନ ଦେଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । କହିଲେ, ମେଂଟକୁ ନେଇ ଆମ ଭିତରେ ନାହିଁ କୌଣସି ଦ୍ଵନ୍ଦ୍ଵ । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରକୁ ପଠାଯାଇଛି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ଆମେ ତାକୁ ମାନିବୁ । ଖାଲି ଏତିକି ନୁହେଁ ବରଂ ଏଥର ଦଳ ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ସେଥିରେ ଓଡ଼ିଶାର ନାଁ ରହିବ ବୋଲି ବି ସ୍ପଷ୍ଟ କରିଛନ୍ତି । ଏହାସହ ଜୁଏଲ ସ୍ପଷ୍ଟ କରିଛନ୍ତି କି, ଦିଲ୍ଲୀରୁ ଡକରା ପାଇବା ପରେ ହିଁ ରାଜ୍ୟ ନେତା ଯାଇଛନ୍ତି । ଆଉ ଜୁଏଲଙ୍କ ଏମିତି ବୟାନ ପରେ ପୁଣି ଥରେ ବଢିଛି ଚର୍ଚ୍ଚା ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ରାଜ୍ୟର ତିନି ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ସେନେଇ ଚର୍ଚ୍ଚା ବି ଜୋର କରୁଛନ୍ତି । କାରଣ ଏବେ ସୁଦ୍ଧା ଆସନ୍ତା ନିର୍ବାଚନ ବିଜେପି-ବିଜେଡି ସାଙ୍ଗ ହୋଇ ଲଢିବେ ନା ନାହିଁ ସେନେଇ କିଛି ବି ସ୍ପଷ୍ଟ ହୋଇନି । ତେଣୁ ଏମିତି ସମୟରେ ଷ୍ଟାଣ୍ଡିଂ ସାଂସଦ ପ୍ରତିକ୍ରିୟା ଦେବା ଆଉ ମେଂଟ ସମ୍ପର୍କରେ କହିବାକୁ ନେଇ ଚର୍ଚ୍ଚା ହେବା ସ୍ଵାଭାବିକ କଥା ।
ଏପଟେ ପୁଣି ଆଜି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ବସିଥିବା ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ତାଲିକା ଧରି ଦିଲ୍ଲୀ ଯାଇଥିବା ସୂଚନା ରହିଛି । ଏମିତିକି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ନିଷ୍ପତ୍ତି ସଂସଦୀୟ ବୋର୍ଡ ନେଉଥିବାରୁ ଆଜି ହିଁ କେନ୍ଦ୍ରୀୟ କମିଟିକୁ ରୂପୋର୍ଟ ହସ୍ତାନ୍ତର ହେବ ବୋଲି କୁହାଯାଇଛି । ତେବେ ମନମୋହନଙ୍କ ଦିଲ୍ଲୀ ଗସ୍ତକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ବଢିଲାଣି ଚର୍ଚ୍ଚା ।