Videos
|
Odisha

Devotees / ହ୍ୱିଲଚେୟାରରେ ମହାପ୍ରଭୁଙ୍କ ଦର୍ଶନ, ଭାବବିହ୍ୱଳ ହେଲେ ଭକ୍ତ

Rashmita Mishra
Browse all articles by Rashmita Mishra
·7 hours ago·2 min read
ହ୍ୱିଲଚେୟାରରେ ମହାପ୍ରଭୁଙ୍କ ଦର୍ଶନ, ଭାବବିହ୍ୱଳ ହେଲେ ଭକ୍ତ
Devotees

Key Points

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସ୍ବେଚ୍ଛାସେବୀଙ୍କ ସହାୟତା
ସେମାନଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା
ହ୍ୱିଲଚେୟାରରେ ଭକ୍ତଙ୍କୁ ନିଆଯାଉଛି ମନ୍ଦିର ନିକଟକୁ
ରଥଯାତ୍ରାରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ

ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଅପାର ଭିଡ଼ । ଏହି ଭିଡ଼ ଭିତରେ ମଧ୍ୟ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନକୁ ସହଜ, ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ହ୍ୱିଲ ଚେୟାର, ସ୍ୱେଚ୍ଛାସେବୀଙ୍କ ସହଯୋଗ ଓ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା ଯୋଗୁଁ ବୟସ କିମ୍ବା ଶାରୀରିକ ଅକ୍ଷମତା ମହାପ୍ରଭୁଙ୍କ ଦର୍ଶନରେ ବାଧା ସାଜିନାହିଁ ।

ଭିଡ଼ ଭିତରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ନେଇଯାଉଛନ୍ତି ସ୍ବେଚ୍ଛାସେବୀ । ହ୍ୱିଲଚେୟାରରେ ଭକ୍ତଙ୍କୁ ମନ୍ଦିର ନିକଟକୁ ନିଆଯାଉଛି । କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ । ଏହି ଇଚ୍ଛା ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ରହିଛନ୍ତି କିଛି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତ । ଅଧିକ ଚାଲିବା କିମ୍ବା ଭିଡ଼ ଭିତରେ ଯିବା ସେମାନଙ୍କ ପାଇଁ କଷ୍ଟକର । ଏଥର ସେମାନଙ୍କ ଦର୍ଶନକୁ ସହଜ କରିବାକୁ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଦର୍ଶନରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଫଳରେ ବୟସ କିମ୍ବା ଶାରୀରିକ ସମସ୍ୟା ମହାପ୍ରଭୁଙ୍କ ଦର୍ଶନରେ ଆଉ ବାଧା ସୃଷ୍ଟି କରୁନାହିଁ ।
ବିଭିନ୍ନ ସେବା ସଂଗଠନରୁ ୨୫ରୁ ୩୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି । ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସମନ୍ୱୟ ରକ୍ଷା କରି ଭକ୍ତଙ୍କୁ ସହାୟତା କରୁଛନ୍ତି । ରଥଯାତ୍ରା ଦିନ ବଳଗଣ୍ଡି ହାଇସ୍କୁଲ ପରିସରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।

୩ଶହରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବସିଥିବା ପ୍ରଶାସନ କହିଥିଲା । ସେମାନଙ୍କ ପାଇଁ ଖାଇବା, ପିଇବା ବ୍ୟବସ୍ଥା ହୋଇଥିଲା । ଏଥିରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା । ଦୂରଦୂରାନ୍ତରୁ ଆସିଥିବା ଅନେକ ବୃଦ୍ଧ ଭକ୍ତ ଏହି ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ନିର୍ବିଘ୍ନରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ।

ମହାପ୍ରଭୁଙ୍କ ପାଖରେ ସମସ୍ତେ ସମାନ । ବୟସ କିମ୍ବା ଶାରୀରିକ ଅକ୍ଷମତା କେବେ ବି ଭକ୍ତିଭାବର ପଥରେ ପ୍ରତିବନ୍ଧକ ହୋଇପାରେନାହିଁ । ଆଉ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ଏହି ସ୍ୱତନ୍ତ୍ର ବ୍ୟବସ୍ଥା ସେହି ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Devotees | Devotees Get Wheelchair Darshan of Lord Jagannath | Argus News