'ମୋ ହାତ ତିଆରି ଖଣ୍ଡୁଆ ପାଟ ଯେତେବେଳେ ଜଗା ପିନ୍ଧେ, ଆଖିରୁ ଲୁହ ଝରି ଆସେ'

Key Points
ରାମ ଦାଶଙ୍କୁ ବର୍ତ୍ତମାନ ୯୪ ବର୍ଷ ବୟସ ।
ହେଲେ ଏବେ ବି ହାତ ଗୋଡ ସତେଜ ।
ଆଖିକୁ ମଧ୍ୟ ଠିକ ଦେଖାଯାଉଛି ।
୯୪ ବର୍ଷ ବୟସରେ ଜଣେ ସେବକ ଜଗନ୍ନାଥଙ୍କ ସେବାରେ ନିଜକୁ ହଜାଇ ଦେଇଛନ୍ତି । ଜଗନ୍ନାଥଙ୍କର ପ୍ରିୟ ଖଣ୍ଡୁଆ ପାଟ ଏବଂ ଗୀତ ଗୋବିନ୍ଦ ବସ୍ତ୍ର ରଥଯାତ୍ରାରେ ଧାରଣ କରିବେ କାଳିଆ ସାଆନ୍ତ । ଆଉ ଏହି ଖଣ୍ଡୁଆ ପାଟ ଏବଂ ଗୀତ ଗୋବିନ୍ଦ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ତିଗିରିଆ ନୂଆପାଟଣା ଗ୍ରାମର ରାମ ଦାଶଙ୍କ ପରିବାର ।
ବୟସର ଅପରାହ୍ନରେ ମହାପ୍ରଭୁଙ୍କ ସେବା । ତନ୍ତ ସାହାଯ୍ୟରେ ପାଟ ବୁଣା । ଜଗତରନାଥ ଜଗନ୍ନାଥଙ୍କ ପାଇଁ ପିଢି ପରେ ପିଢି ପ୍ରସ୍ତୁତ କରୁଛନ୍ତି ମହାପ୍ରଭୁଙ୍କ ପାଟ । ୨ଟି ପିଢି ରାମ ଦାଶ ଏବଂ ତାଙ୍କର ପୁତ୍ର ତ୍ରିଲୋଚନ ଦାଶ । ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ତିଆରିରେ ଏବେ ଦିନ ରାତି ଏକ କରିଦେଇଛନ୍ତି । ରାମ ଦାଶଙ୍କୁ ବର୍ତ୍ତମାନ ୯୪ ବର୍ଷ ବୟସ । ହେଲେ ଏବେ ବି ହାତ ଗୋଡ ସତେଜ । ଆଖିକୁ ମଧ୍ୟ ଠିକ ଦେଖାଯାଉଛି । ଏତେ ବୟସରେ ଏପରି ବୁଣିବା କେମିତି ସମ୍ଭବ । ଏକଥା ପଚାରିଲେ କୁହନ୍ତି ସବୁ ସେଇ ଜଗନ୍ନାଥଙ୍କ କୃପାରୁ ହେଉଛି । ଜଣେ ସେବକ ଭାବେ ମୋ ହାତ ତିଆରି ପାଟ ଜଗନ୍ନାଥ ପରିଧାନ କରିଥିବା ଦେଖିଲେ ଆଖିରେ ଲୁହ ଆସିଯାଏ ।
ବର୍ଷ ତମାମ ତନ୍ତ ସାହାଯ୍ୟରେ ପାଟ ବୁଣି ବିଭିନ୍ନ ସମୟରେ ପୁରୀ ଯାଇ ବିକ୍ରି କରିଥାନ୍ତି ଏବଂ ଶ୍ରଦ୍ଧାଳୁ ମାନେ ମଧ୍ୟ ରାମ ଦାଶଙ୍କ ଘରକୁ ଆସି ଖଣ୍ଡୁଆ ପାଟ କିଣି ଜଗନ୍ନାଥଙ୍କ ନିକଟରେ ଅର୍ପଣ କରିଥାନ୍ତି । ବର୍ଷ ସାରା ଏହି ପାଟକୁ ବିକ୍ରି କରି ପରିବାର ପ୍ରତି ପୋଷଣ କରିଥାନ୍ତି । କାହିଁ କେତେ କାଳରୁ ତିଗିରିଆ ଅଞ୍ଚଳର ଏହି ପରିବାର ଜଗନ୍ନାଥଙ୍କ ସେବା କରିଆସୁଛନ୍ତି ।