ମଙ୍ଗଳପୁରର କେବେ ହେବ ମଙ୍ଗଳ ?

ଦିନେ ଥିଲା ମାଓବାଦୀଙ୍କ ଗଡ଼, ହେଲେ ସରକାରଙ୍କ ହସ୍ତକ୍ଷେପ ପରେ ମାଓବାଦୀମାନେ ଏବେ ଆଉ ନାହାନ୍ତି ସତ କିନ୍ତୁ ଗାଁ ଅବସ୍ଥାକୁ ଦେଖିଲେ ଲାଗିବ ସତରେ ଏବେ ବି ମାଓବାଦୀ ଅଛନ୍ତି ବୋଲି । କାହିଁକି ନାଁ ଏଠାରେ ଅପହଞ୍ଚ ବିକାଶ । ଆମେ କହୁଛୁ କୋରାପୁଟ ଜିଲ୍ଲା ନାରାୟଣପଟଣା ବ୍ଲକ ମଙ୍ଗଳପୁର ଗାଁର କଥା । ଏଠାରେ 35ରୁ ଅଧିକ ପରିବାର ବସବାସ କରୁଛନ୍ତି । ଗାଁକୁ ନାହିଁ ରାସ୍ତା, ଗାଁ ଯିବାକୁ ହେଲେ ପାହାଡ଼ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡ଼େ । ଏହି ଗାଁରେ ଶିକ୍ଷା ସ୍ୱାସ୍ଥ୍ୟ ନକହିବା ହିଁ ଭଲ । ଗାଁରେ ସ୍କୁଲ ଅଛି କିନ୍ତୁ ସ୍କୁଲ ଘର ନଥିବାରୁ ଶିକ୍ଷକମାନେ ମାସରେ ଥରେ ଆସୁଛନ୍ତି । ଛୋଟ ଛୋଟ ପିଲାମାନଙ୍କର ଜୀବନ ଏବେ ଅନ୍ଧାର ।
ମଙ୍ଗଳ ଗାଁରେ ଆଲୁଅ କହିଲେ ସୋଲାର ଲାଇଟ୍, ସେ ମଧ୍ୟ ଖରାପ ହୋଇଗଲାଣି । ପାଣି କହିଲେ, ଝରଣା ପାଣି । ତାହା ପୁଣି ଖରା ମାସ ହେଲେ ସୁଖିଯାଉଛି । ବର୍ଷା ସମୟରେ ଗଳିଆ ପାଣି ଆସୁଛି, ତାକୁ ବ୍ୟବାହାର କରି ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ଶିକାର ହେଉଛନ୍ତି ମଙ୍ଗଳପୁରବାସୀ । ପାହାଡ଼ ଉପରେ ଗାଁ ରହୁଥୁବାରୁ ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଏ । ଗ୍ରାମବାସୀ ନିଜ ସମସ୍ୟା ନେଇ ଅନେକ ବାର ପଞ୍ଚାୟତଠାରୁ ବ୍ଲକ ବ୍ଲକଠାରୁ ଜିଲ୍ଲାପାଳ ଓ ଜନ ପ୍ରତିନିଧିଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଏବେ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଅଛି । ଏଥର ଡବଲ ବିକାଶ ହେବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।