କେଉଁଠି ଖସିଲା ଅତଡ଼ା, ବୁଡିଲା ରାସ୍ତା

Key Points
ବଢୁଛି ବର୍ଷା, ବଢୁଛି ନଦୀ
ବେହାଲ୍ ଭଦ୍ରକ, ବାଲେଶ୍ବର
କେଉଁଠି ଜଳମଗ୍ନ ଗାଁ, ଚାଷ ଜମି
କେଉଁଠି ଖସିଲା ଅତଡ଼ା, ବୁଡିଲା ରାସ୍ତା
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଆଖୁଆପଦା ଆନିକଟଠାରେ ଫୁଲୁଛି ବୈତରଣୀ । ଚଳିତ ବର୍ଷ ତୃତୀୟ ଥର ଆସିଛି ବନ୍ୟା । ଭଣ୍ଡାରିପୋଖୀରରେ ଅନେକ ଗାଁ ଓ ଚାଷ ଜମିରେ ବନ୍ୟା ଜଳ ପଶିଥିବାବେଳେ ରାସ୍ତା ଧୋଇ ଯାଇଛି । ଆନନ୍ଦପୁର ଭାୟା ଦାଣ୍ଡକୂଳ ହୋଇ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମହାଦେବ ମନ୍ଦିର ନିକଟରେ ଥିବା କଲଭର୍ଟ ପୋଲ ଭୁଶୁଡ଼ି ପଡିଛି । ଫଳରେ ଭଣ୍ଡାରିପୋଖରୀ ଆନନ୍ଦପୁରରୁ, ଦାଣ୍ଡକୁଳ ବଲ୍ଲଭୀଘାଟକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି ଧାମନଗର ବ୍ଲକ ଖଡ଼ିପଦା ଓ ପଧାନୀ ପଞ୍ଚାୟତର ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ । ସଇଲଠାରେ କୋଚିଳା ନଦୀର ଡାହାଣ ପାଖ ବନ୍ଧ ଧସିଛି । ସ୍କୁଲ ଘର, ବାତ୍ୟା ଆଶ୍ରୟସ୍ଥଳ ଓ ସରକାରୀ କୋଠାରେ ଅସ୍ଥାୟୀ ଭାବେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ ।
ପ୍ରବଳ ବର୍ଷା ଯୋଗୁଁ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଛି । ବାଲିଆପାଳର ୪ଟି ପଞ୍ଚାଯତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ହେକ୍ଟର ହେକ୍ଟର ଚାଷ ଜମି ଜଳ ଘେରରେ । ସେପଟେ କାଂଶବାଂଶ ନଦୀରେ ଖଇରା ଅଞ୍ଚଳର ଜଣେ ବୃଦ୍ଧା ଭାସି ଯାଇ ନିଖୋଜ ଥିବାବେଳେ ଅଗ୍ନିଶମ ବାହିନୀ ଦ୍ୱାରା ସନ୍ଧାନ ଜାରି ରହିଛି । ଗଙ୍ଗାହାର ଓ ପ୍ରଶନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ରେମୁଣା ବଡପାଳ ପଞ୍ଚାୟତର ଝାମ୍ପୁରା ଗାଁରେ ପାଣି ପଶିଛି । ଚାଷ ଜମିରେ ୪ ଫୁଟ ଉଚ୍ଚର ପାଣି ଲହଡି ମାରୁଛି । ତିନୋଟି ଘର ସମ୍ପୂର୍ଣ୍ଣ ପାଣି ଘେରରେ ଥିବାବେଳେ ପ୍ରଶାସନ ପକ୍ଷରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି । ସ୍ଥିତି ଦେଖି ଅନ୍ୟ ଆଗକୁ ଗେଟ୍ ।
ପ୍ରବଳ ବର୍ଷାରେ ବେହାଲ୍ କେନ୍ଦୁଝର ଜିଲ୍ଲା । କାଞ୍ଜିପାଣି ଘାଟି ଓ ଜୁଡିଆ ଘାଟିରେ ଖସିଲା ଅତଡ଼ା ।୪୯ ନଂ ଏନଏଚ୍ ଜୁଡ଼ିଆ ଘାଟି ରାସ୍ତା ଉପରେ ପଥର ଖସି ଯାତାୟାତ ବାଧାପ୍ରାପ୍ତ । ସେହିପରି କାଞ୍ଜିପାଣି ଘାଟିରେ ମଧ୍ୟ ଉପରୁ ପଥର ଓ ମାଟି ଖସି ଗୋଟିଏ ପଟ ରାସ୍ତା ଅବରୋଧ ହୋଇଛି । ଲଗାଣ ବର୍ଷା ଦ୍ୱାରା କେନ୍ଦୁଝରଗଡ଼ ପୌରପାଳିକାର ସ୍ପଞ୍ଜ କଲୋନୀ, ଗ୍ରାମଶ୍ରୀ କଲୋନୀ ଆଦିରେ ପାଣି ଜମି ରହିଛି ।ରାଜ୍ୟରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଅରେଞ୍ଜ ଓ ବାକି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ କହିଲେ- ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ବନ୍ୟା ଆସିଛି । ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ବର୍ତ୍ତମାନ ହୀରାକୁଦର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।