ଯେଉଁଠି ରଥ ସେଇଠି ଭିଡ଼ ! ଏଥର କୋଟିଆରେ ବି ହେଲା ଧୁମ୍ଧାମ୍ରେ ଘୋଷଯାତ୍ରା

Key Points
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବାରିପଦା ବିଧାୟକ ପହଞ୍ଚି ବଳଭଦ୍ରଙ୍କ ରଥ ଟାଣିଥିଲେ ।
କୋରାପୁଟ କୋଟିଆରେ ବି ଧୂମଧାମରେ ପାଳନ ହୋଇଛି ରଥଯାତ୍ରା ।
ଘୋଷଯାତ୍ରା ପାଇଁ ଜନସମୁଦ୍ର ପାଲଟିଲା ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା । ରଥ ଟାଣିଲେ ଲକ୍ଷ ଲକ୍ଷ ଭକ୍ତ । ମା ସୁଭଦ୍ରାଙ୍କ ରଥ ଟାଣିଲେ କେବଳ ମହିଳା । କୋରାପୁଟ କୋଟିଆ ରଥଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ସହ ରାଜ୍ୟର ୫ ଜଣ ମନ୍ତ୍ରୀ ।
ପୁରୀ ଭଳି ରାଜ୍ୟର ଅନେକ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ରଥଯାତ୍ରା । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବେଶ୍ ଆନନ୍ଦ ଉଲ୍ଲାସ ସହ ପାଳନ ହୋଇଛି ଘୋଷଯାତ୍ରା । ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରାର ଠିକ୍ ପରଦିନ ଏଠାରେ ରଥ ଟଣାଯାଇଥାଏ । ହଜାର ହଜାର ଭକ୍ତଙ୍କ ଗହଣରେ ରଥରେ ବସି ମାଉସୀ ମାଆ ଘରକୁ ଯାଇଥାନ୍ତି ତିନି ଠାକୁର । ଅପରାହ୍ନ ୨ଟା ୩୦ ମିନିଟରେ ପ୍ରଥମେ ବଡ଼ବାଡ଼ ବଳଭଦ୍ରଙ୍କ ତାଳଧ୍ଵଜ ରଥରୁ ଚାରମାଳ ଖୋଲାଯାଇ ରଥଟଣା ଆରମ୍ଭ ହୋଇଥିଲା ବେଳେ ଲକ୍ଷାଧିକ ଭକ୍ତଙ୍କ ମେଳରେ ତାଳଧ୍ଵଜ ରଥ ମାଉସୀ ମା ମନ୍ଦିର ପହଞ୍ଚିଥିଲା । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବାରିପଦା ବିଧାୟକ ପହଞ୍ଚି ବଳଭଦ୍ରଙ୍କ ରଥ ଟାଣିଥିଲେ ।
ତେବେ ଏଠାକାର ସ୍ୱତନ୍ତ୍ରତା ହେଉଛି ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି । ଯାହାକି ବିଶ୍ବରେ ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ ସୃଷ୍ଟି କରେ । ମା ସୂଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ମହାଆନନ୍ଦର ସହ ବାରିପଦା ଟାଉନଥାନା ପର୍ଯ୍ୟନ୍ତ ଟାଣିନେଇଛନ୍ତି । ଏଥିରେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ନିଜକୁ ସାମିଲ କରି ସୌଭାଗ୍ୟବାନ ମନେ କରୁଥିବା ପ୍ରକାଶ କରିଛନ୍ତି । ଶନିବାର ଅଧା ରଥଟଣା ହୋଇଥିଲା ବେଳେ ରବିବାର ମଧ୍ୟ ଏଠାରେ ଅନୁଷ୍ଠିତ ହେବ ବାକି ରଥଟଣା ।
କୋରାପୁଟ କୋଟିଆରେ ବି ଧୂମଧାମରେ ପାଳନ ହୋଇଛି ରଥଯାତ୍ରା । ଯେଉଁଥିରେ ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ୫ ବରିଷ୍ଠ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ସେମାନେ କୋଟିଆରେ ପହଞ୍ଚି ପତିତପାବନ ମନ୍ଦିର ବେଢ଼ା ବୁଲିଥିଲେ । ରଥାରୁଡ଼ ଚତୁର୍ଦ୍ଧା ମୂରତିଙ୍କ ନିକଟରେ ପୂଜାର୍ଚ୍ଚନା କରି ରଥ ଟାଣିଥିଲେ । ତୁରୀ, ମୃଦଙ୍ଗ, ଘଣ୍ଟ ସାଙ୍ଗକୁ ଆଦିବାସୀଙ୍କ ପାରମ୍ପରିକ ଗୀତରେ ନାଚିଥିଲେ ସମସ୍ତ ମନ୍ତ୍ରୀ ଏବଂ କୋରାପୁଟ ବିଧାୟକ । ଓଡ଼ିଆ ଅସ୍ମିତା, ପରମ୍ପରା ସହ କୋଟିଆର ବିକାଶ ରଥ ଗଡ଼ିବାରେ ରୁପ ରେଖ କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।
କେନ୍ଦ୍ରାପଡ଼ାରେ ରଥଟଣା ବେଳେ ମଝି ଦାଣ୍ଡରେ ଅଟକିଥିଲା ପ୍ରଭୁ ବଳଦେବଙ୍କ ବ୍ରହ୍ମ ତାଳଧୂଜ ରଥ । ଦୀର୍ଘ ୪ ବର୍ଷ ହେବ ରଥଯାତ୍ରା ବେଳେ କିଛି ନା କିଛି ଅସୁବିଧା ସାମ୍ନାକୁ ଆସୁଥିବା ବେଳେ ରଥ ଗଢ଼ା ବେଳେ ଅନ୍ୟାୟ ହୋଇଥିବା କହିଛନ୍ତି ମୁଖ୍ୟ ଡାହୁକ । କିନ୍ତୁ ସବୁ କିଛି ପ୍ରଭୁଙ୍କ ଇଚ୍ଛାରେ ଚାଲୁଥିବା କହିଛନ୍ତି ବରିଷ୍ଠ ସେବାୟତ । ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମଧ୍ଯରେ ହୋଇଥାଏ ମହାମିଳନ । ଭାବର ଠାକୁରଙ୍କୁ ନିଜ ଗହଣରେ ପାଇ କୃତାର୍ଥ ହୋଇଥାଏ ଭକ୍ତ । ତେବେ ପୁରୀ ସମେତ ଅନେକ ସ୍ଥାନରେ ଆଜି ରଥଟଣା ସରିଥିଲା ବେଳେ ଆସନ୍ତାକାଲି ବାକି ସ୍ଥାନରେ ଅଧାରେ ଅଟକିଥିବା ରଥକୁ ଟଣାଯିବ ।