BJD ପରାଜୟ ପାଇଁ କିଏ ଦାୟୀ ? ରୁବେନଙ୍କ ଲେଖାକୁ ପରୋକ୍ଷରେ ପ୍ରସନ୍ନଙ୍କ ସମର୍ଥନ

ପୁଣି ଆରମ୍ଭ ହେଲା ପାଣ୍ଡିଆନ ଚର୍ଚ୍ଚା । ରୁବେନ ବାନାର୍ଜୀଙ୍କ ପୁସ୍ତକ ଉନ୍ମୋଚନ ପରେ ଆରମ୍ଭ ହେଲା ଚର୍ଚ୍ଚା । ବିଜେଡି ପରାଜୟ ପାଇଁ ପାଣ୍ଡିଆନ ଦାୟୀ । ଏକଥା ଆମେ ନୁହେଁ, ନିଜ ପୁସ୍ତକରେ ବିଶେଷ ତଥ୍ୟ ଓ ତର୍କ ଉପସ୍ଥାପନ କରି କହିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ । ଯାହାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଖାଲି ସେତିକି ନୁହେଁ କାହିଁକି ଓଡ଼ିଆ ଶିଖୁନଥିଲେ ନବୀନ, ସେନେଇ ମଧ୍ୟ ଖୋଲିଲା ଗୁମର ।
ନବୀନ ପଟ୍ଟନାୟକ ସରକାରରେ କିଏ ଥିଲେ ପାଣ୍ଡିଆନ ? ନବୀନ ସରକାକୁ କେମିତି କରିଥିଲେ ହାଇଜାକ୍ ? କେମିତି ଏହି ତାମିଲ ଅଫିସରଙ୍କ ବଢ଼ିଥିଲା ଦବଦବା । ଏନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରଶ୍ନ ? ହେଲେ ଏହି ରହସ୍ୟ ଉପରୁ ଏବେ ପରଦା ହଟାଇଛି "Pandian Puzzle"। ନବୀନ ପଟ୍ଟନାୟକ... The Authoritative Biography... Revised After 2024 Elections"। ରୁବେନ ବାନାର୍ଜୀଙ୍କ ଏହି ଅଧ୍ୟାୟ ପାଣ୍ଡିଆନ ରହସ୍ୟକୁ ଅନେକ ମାତ୍ରାରେ ଖୁଲାସା କରିଛି ।
📱 Get Argus News App
✨ଏଥିରେ କୁହାଯାଇଛି ୨୦୧୮ ପରେ ଅଧିକ ବଢିଥିଲା ପାଣ୍ଡିଆନଙ୍କ ପ୍ରଭାବ । ନିର୍ବାଚନ ବେଳେ ପାଣ୍ଡିଆନ ଯେତେ ବୁଲିଲେ ବି ବିଜେଡି ଭିତରେ ତାଙ୍କୁ ବିରୋଧ କରୁଥିଲେ ନେତା । ପାଣ୍ଡିଆନଙ୍କୁ ବିଜେଡି ନେତା କହିଥିଲେ Intelligent Fool । ୨୦୨୪ ନିର୍ବାଚନରେ ନବୀନ ହାରିବାର ଅନ୍ୟତମ କାରଣ ଥିଲେ ପାଣ୍ଡିଆନ । ୨୦୧୯ରେ ବିଜେଡିର ଇଲେକ୍ସନ ରୁମ ପାଣ୍ଡିଆନ ମ୍ୟାନେଜ କରୁଥିଲେ । ୨୦୨୪ରେ ପାଣ୍ଡିଆନ ନିଜେ ପ୍ରଚାରରେ ବାହାରିଲେ । ଇଲେକ୍ସନ ରୁମ୍ ମ୍ୟାନେଜ କରିବା ପାଇଁ ଲୋକ ନଥିଲେ । ଜଣେ ଆଇପିଏସ ଅଫିସର ଓ ଅନ୍ୟ ଅଧିକାରୀ ମାନେ ତୃଣମୂଳ ସ୍ତରରେ ଲୋକଙ୍କ ମତ ପରିବର୍ତ୍ତନ ଓ ଟଙ୍କା ବଣ୍ଟା ହିସାବକୁ ଠିକ୍ ଭାବେ ମ୍ୟାନେଜ କରିପାରିଲେ ନାହିଁ । ଖାଲି ସେତିକି ନୁହେଁ ନବୀନ ପଟ୍ଟନାୟକ ଓଡ଼ିଆ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ, ବରଂ ହାଲକା ଭାବେ ନବୀନ କହୁଥିଲେ ମୋର ମାତୃଭାଷା ଓଡ଼ିଆ ନୁହେଁ।
ରୁବେନ ବାନାର୍ଜୀଙ୍କ ଏହି ଲେଖାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡି ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ରୁବେନ ନିଜ ବହି ପାଇଁ ତଥ୍ୟ ଅନେକ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥିବେ ।
ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଆହୁରି ଲେଖିଛନ୍ତି ୨୦୨୪ ନିର୍ବାଚନର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା । କିନ୍ତୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଲେ କେବଳ ପାଣ୍ଡିଆନ । ଅନ୍ୟ ଷ୍ଟାର ପ୍ରଚାରକ ନେତା ମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ ନବୀନ । ବିଜେଡିରେ ପାଣ୍ଡିଆନଙ୍କ ହୁକୁମ ହିଁ ଚାଲୁଥିଲା । ଏସବୁ ଭିତରେ ବିଜେପିର ପ୍ରଚାର ଲୋକଙ୍କ ମନକୁ ଜିଣିଥିଲା । ଜଣେ ଅଣଓଡ଼ିଆ ତାମିଲ, ଅଣନିର୍ବାଚିତ ଲୋକ କେମିତି ଓଡ଼ିଶାର ଶାସନ ଡୋରକୁ ହଡ଼ପ କରିଥିଲେ । ଏହାକୁ ନେଇ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା ବିଜେପି । ଯାହା ନିର୍ବାଚନ ପ୍ରଚାରରେ ଫାଇଦା ଦେବା ସହ ଲୋକଙ୍କୁ ବିଜେପି ପ୍ରତି କରିଥିଲା ଆକର୍ଷିତ ।
ନବୀନ ବାବୁଙ୍କ ଭଉଣୀ ଗୀତା ମେହେଟା ଯେତେବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଲୋକ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଜଣେ ଦୁଇ ଜଣଙ୍କୁ ଗୀତା ମେହେଟା କହିଛନ୍ତି, ପାଣ୍ଡିଆନ ନବୀନଙ୍କୁ ବିଭ୍ରାନ୍ତ କରୁନାହାନ୍ତି ତ ? ଦିଲ୍ଲୀ ବାସଭବନରେ ଗୀତାଙ୍କୁ କିଏ ଭେଟିବେ, ତାହା ବି ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିଲା । ସିଏମ୍ଓ ବାହାରେ ବି ମୁଖ୍ୟ ସଚିବଙ୍କ ଠାରୁ ପାଣ୍ଡିଆନ୍ ଅଧିକ ପ୍ରଭାବଶାଳୀ ଥିଲେ । ତେଣୁ ଜଣେ ଶାନ୍ତ ସ୍ବଭାବର ଦକ୍ଷ ମୁଖ୍ୟ ସଚିବ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଦିଲ୍ଲୀ ଡେପୁଟେସନ୍ରେ ପଳାଇଥିଲେ । ନବୀନଙ୍କ କାର୍ଯ୍ୟକାଳର ଶେଷ ମୁଖ୍ୟ ସଚିବ ଜାନୁଆରୀରୁ ମେ’ ୨୦୨୪ ମଧ୍ୟରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୨୬ଟି ଅସହମତି ନୋଟ୍ ଲେଖିଥିଲେ । ହେଲେ ପ୍ରାଶାସନିକ ବ୍ୟବସ୍ଥା ବାହାରେ ଥିବା ଲୋକ ଏହାକୁ ଅଗ୍ରାହ୍ୟ କରି ଦେଇଥିବା ରୁବେନ୍ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।