Odisha Politics / ରାଜନୀତିର 'ର' ଅକ୍ଷର ଜାଣିନାହାନ୍ତି ଏବେ ରାଜ୍ୟସଭା ଆଶାରେ !

Key Points
ବିଜେଡିକୁ ପୁଣି ଶ୍ରୀମୟୀଙ୍କ ବାଣ। ପୁଣି ପାଣ୍ଡିଆନ ଓ ସୁଜାତାଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ଏଥର ସଂତୃପ୍ତ ମିଶ୍ର ବି ଆସିଛନ୍ତି ଶ୍ରୀମୟୀଙ୍କ ଟାର୍ଗେଟକୁ । ପୁଣି ସୋସିଆଲ୍ ମିଡିଆ ପୋଷ୍ଟରେ କବିତା ଆକାରରେ କରିଛନ୍ତି ଆକ୍ରମଣ । ଶ୍ରୀମୟୀ ଲେଖିଛନ୍ତି କାହାର ରହିଛି କେତେ ଜୋର୍, ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର । ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସି, ପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ ।
ଏହାସହ ୨୦୨୪ ନିର୍ବାଚନରେ ସଂତୃପ୍ତ ମିଶ୍ରଙ୍କୁ ବିଜେଡିରୁ କଟକ ଲୋକସଭା ଟିକେଟ ପ୍ରସଙ୍ଗ ଉଠାଇଲେ ଶ୍ରୀମୟୀ । ସେ ଲେଖିଛନ୍ତି, ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୈତିକ ଅଭିଜ୍ଞତା ନଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା ଓ ସେ ବୃହତ୍ ଭୋଟ ବ୍ୟବଧାନରେ ହାରିଲେ । ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନ ବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଆତ୍ମା ଏବେ ରାଜ୍ୟସଭା ଆଶାୟୀ। ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି ?
ଏହାପୂର୍ବରୁ ନୂଆପଡ଼ା ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଉପରେ ବର୍ଷିଥିଲେ ଶ୍ରୀମୟୀ ମିଶ୍ର । ଫେସବୁକ୍ ପୋଷ୍ଟରେ ନିଜ ଅସନ୍ତୋଷ ଝାଡ଼ିବା ସହ ବିଜେଡିର ଅନ୍ୟ ନେତା ଓ ନେତ୍ରୀ କିଭଳି ନେତାଙ୍କୁ ପ୍ରଶ୍ନ କରୁଛନ୍ତି ଦର୍ଶାଇଥିଲେ ।
ଶ୍ରୀମୟୀ ମିଶ୍ର ଲେଖିଥିଲେ, "ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି । ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ । ଖାଲି କ'ଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା । ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର । ଆମେରିକା ଗସ୍ତର ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର, ହାରିଲା ପରେ ଏବେ Team Virus ନେତାଏ, ମାଡୁନାହାନ୍ତି ଶଙ୍ଖଭବନ । କି କରୁନାହାନ୍ତି ସମୀକ୍ଷା, ଖୋଜୁଛନ୍ତି ନିଜ ତ୍ରାଣ । କେମିତି କରିବେ ଆତ୍ମରକ୍ଷା । ଭଣ୍ଡଙ୍କ ପାଇଁ କଲେଣି ଓକିଲାତିର ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ?"
ପାଣ୍ଡିଆନଙ୍କ କୋଟେରୀ ଗ୍ରୁପ୍କୁ ଶ୍ରୀମୟୀ କଟାକ୍ଷ କରି ପଚାରିଛନ୍ତି, ଯେଉଁମାନେ ତାମିଲ ଚାଳିଶା ଜପ କରୁଛନ୍ତି । କ'ଣ ସେହିମାନଙ୍କୁ ଆରିସା ମିଳିବ ? ଉପନିର୍ବାଚନ ସମୟରେ ପାଣ୍ଡିଆନ୍ ନବୀନଙ୍କ ପଳାସପଲ୍ଲୀ ବାସଭବନରେ ଥିଲେ । ଆମେରିକା ଗସ୍ତର ମିଛ ପ୍ରଚାର କରୁଥିଲେ ପାଣ୍ଡିଆନଙ୍କ ଚାଟୁକାର । ଏବେ ବିଜେଡି ହାରିବା ପରେ ଭାଇରସ ନେତା କାହିଁକି ଶଙ୍ଖ ଭବନ ମାଡ଼ୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର ।
📱 Get Argus News App
✨Related Topics
Explore more stories