ବିପଦ ଆସିଲେ କିଏ କରିବ ରକ୍ଷା, କାହା ଭରସାରେ ରହିବେ ଚାନ୍ଦବାଲିବାସୀ ?

Key Points
ବ୍ଲକରେ ମୋଟ ୨୯ଟି ଆଶ୍ରୟସ୍ଥଳୀ ।
କେଉଁଠି ଘରର କବାଟ ଭାଙ୍ଗିଗଲାଣି ତ ଆଉ କେଉଁଠି ଝରକା ।
ମରାମତି ପାଇଁ ୬-୭ ଲକ୍ଷ ଟଙ୍କା ଅନୁଦାନ ମିଳିସାରିଛି ।
ପ୍ରତିବର୍ଷ ଉପକୂଳ ଓଡ଼ିଶାକୁ ବାତ୍ୟା ଓ ବନ୍ୟା ଆଶଙ୍କା ରହିଥାଏ । ଚାନ୍ଦବାଲି ବ୍ଲକ ସମୁଦ୍ର ଉପକୂରେ ରହିଥିବାରୁ ବନ୍ୟା ଓ ବାତ୍ୟା ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥାଏ । ବାତ୍ୟା ଓ ବନ୍ୟା ଆସିଲେ ନଦୀ ନାଳ ଘେରା ଏହି ବ୍ଲକର ଲୋକେ ସବୁ ସମୟରେ ଭୟରେ ରହିଥାନ୍ତି । ହେଲେ ବିଡାମ୍ବନାର ବିଷୟ ଚାନ୍ଦବାଲି ବ୍ଲକର କୌଣସି ବାତ୍ୟା ଆଶ୍ରୟ ସ୍ଥଳି ଏବେ ବ୍ୟବହାର ଉପଯୋଗୀ ହୋଇନାହିଁ।
ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ । କେଉଁଠି ଘରର କବାଟ ଭାଙ୍ଗିଗଲାଣି ତ ଆଉ କେଉଁଠି ଝରକା । ବିଭିନ୍ନ ଯାଗାରେ କାନ୍ଥ ଫାଟି ଭୁଷୁଡିବା ଅବସ୍ଥାରେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ଦେବ କଣ ନିଜେ ଖୋଜୁଛି ସୁରକ୍ଷା । ମରାମତି ପାଇଁ ସରକାରଙ୍କ ପକ୍ଷରୁ ବ୍ୟୟବରାଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି କାମ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକରେ ।
ପୂରା ବ୍ଲକରେ ମୋଟ ୨୯ଟି ଆଶ୍ରୟସ୍ଥଳୀ ମଧ୍ୟରୁ ପ୍ରାୟ ସବୁ ଗୁଡିକର ମରାମତି ଆବଶ୍ୟକତା ରହିଛି। ମରାମତି ପାଇଁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବ୍ଲକ ପ୍ରଶାସନକୁ ପ୍ରାୟ ୬-୭ ଲକ୍ଷ ଟଙ୍କା ଅନୁଦାନ ମିଳିସାରିଛି । ହେଲେ ବ୍ଲକରେ ଠିକାଦାରୀ ପାଇଁ ଟଣା ଓଟରା ଓ ମାତ୍ରାଧିକ ରାଜନୈତିକ ଚାପ ଯୋଗୁଁ କାମ କରାଯାଇ ପାରୁନଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ ।
ସୂଚନା ଅନୁସାରେ ଚାନ୍ଦବାଲି ବ୍ଲକର ବଂଶଡ଼ା, ଚରଦିଆ, ଦୋଷୀଙ୍ଗା, ଜାଗୁଳା, ଯଶିପୁର, କାରଣପଲ୍ଲି, ନଳଗୋହି, ନୂଆଗାଁ, ପଞ୍ଚୁଟିକିରୀ, ତୋଟାପଡା, ଖଦାଳପୋଖରୀ, ମାଧପୁର, ଭୂଇଁବୃତ୍ତି ପଞ୍ଚାୟତରେ ସମୁଦ୍ର କୂଳିଆ ଓ ନଦୀ କୂଳିଆ ଅଞ୍ଚଳରେ ଆଶ୍ରୟସ୍ଥଳି ଗୁଡ଼ିକ ରହିଛି। ହେଲେ ଏହା କାମରେ ଆସିପାରୁନାହିଁ । ମରାମତି ଅଭାବରୁ ଏହା ଭାଙ୍ଗିରୁଜି ଗଲାଣି । ବାତ୍ୟା ସମୟରେ କେଉଁଠି ଆଶ୍ରୟ ନେବେ ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ସେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ମଧ୍ୟ କହିଛନ୍ତି ।