୧୫ ବର୍ଷ ଫେରିଲା ବ୍ଲାକ୍ରୋଜ ମାମଲା ! ଏବେ ଘାଂଟିବ ସିବିଆଇ

Key Points
- ୧୫ ବର୍ଷ ପରେ ଫେରିବ ବ୍ଲାକରୋଜ ମାମଲା
- ଗୁମର ଖୋଲିବ ସିବିଆଇ
ଅର୍ଗସ ବ୍ୟୁରୋ : ବ୍ଲାକ୍ରୋଜକୁ ନେଇ ପୁରା ରାଜ୍ୟରେ ହଇଚଇ । କାରଣ ବର୍ଷେ କି ୨ ବର୍ଷ ନୁହେଁ ବରଂ ୧୫ ବର୍ଷ ପରେ ପୁଣି ଥରେ ଫେରିବ ବ୍ଲାକରୋଜ ମାମଲା । ଏଥର କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇ ପୁରା ଘଟଣାର କରିବ ତଦନ୍ତ । ଖାସ କରି ମାମଲାରେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବବି ଦାସଙ୍କ ସାଙ୍ଘାତିକ ଭାବରେ ବଢିବ ଅଡୁଆ । କୁହାଯାଉଛି କି, ବେଆଇନ ଜାହାଜ ନେବାରେ ବବି ସିଧାସଳଖ ସଂପୃକ୍ତ ଅଛନ୍ତି । ତେଣୁ ତାଙ୍କୁ ସିବିଆଇ ଘାଂଟିବ । କାରଣ ଏହାରି ଭିତରେ ତଦନ୍ତ ପାଇଁ ପୋଲିସ ଡିଜିପିଙ୍କୁ ଚିଠି ଲେଖି ସାରିଛି ଗୃହ ବିଭାଗ ।
ଓଡ଼ିଶାରୁ ବେଆଇନ ଭାବରେ ବିଦେଶକୁ ରପ୍ତାନୀ ହେଉଥିଲା କୋଟି କୋଟି ଟଙ୍କାର ଲୁହାପଥର । ତାହା ପୁଣି ସଂପୂର୍ଣ୍ଣ ବେଆଇନ ଭାବରେ । ତେଣୁ ବ୍ଲାକ ରୋଜ ଜାହାଜରେ ଓଡିଶାରୁ ବିଦେଶକୁ କିଏ କିଏ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ ? ସେନେଇ ଏବେ ତଦନ୍ତ ହେବ । ଖାଲି ତଦନ୍ତ ହେବ ତାହା ନୁହେଁ ବରଂ ପୁରା ଘଟଣାର ସତ୍ୟତା ସାମ୍ନାକୁ ଆସିବ । କାରଣ କେବଳ ସିବିଆଇ ହିଁ ଏହି ଅନ୍ତର୍ଜାତୀୟ ଅପରାଧର ଗୁମର ଖୋଲିପାରିବ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଖାଲି ଏତିକି ନୁହେଁ ବରଂ ବିଜୁ ଜନତା ଦଳର ବହୁ ତୁଙ୍ଗ ନେତାଙ୍କ କଳାକାରନାମା ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ପ୍ରଦୀପ କହିଛନ୍ତି ।
ପାରାଦୀପ ବନ୍ଦରରେ ବ୍ଲାକରୋଜ ଜାହାଜ ବୁଡିବା ପରେ ତତ୍କାଳୀନ ବିଜେଡି ସରକାର ଏହି ମାମଲାର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିଲା । ହେଲେ ମାମଲାର ଖିଅ କାଢିପାରିନଥିଲା କ୍ରାଇମବ୍ରାଞ୍ଚ । ସମୟ ଗଡିଥିଲା, ମାମଲାରେ ଶୀଥିଳତା ପଡିଥିଲା । ଏମିତିକି ପ୍ରକୃତରେ ଦୋଷୀ କିଏ ସେନେଇ କିଛି ଜଣାପଡିନଥିଲା । ହେଲେ ସରକାର ବଦଳିବା ପରେ ୨୦୨୪, ଜୁନ ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ପ୍ରଦୀପ ପ୍ରଧାନ । ବ୍ଲାକ ରୋଜ ବୁଡି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ । ଅଭିଯୋଗକୁ ଆଧାର କରି ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବାକୁ ଗୃହ ବିଭାଗ ପକ୍ଷରୁ ଡିଜିପିଙ୍କୁ ଲେଖାଯାଇଛି।
ସୂଚନା ଅନୁସାରେ, ଲାଇସେନ୍ସ ନଥିବା ଜାହାଜରେ ବିଦେଶକୁ ୨୪ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଚାଲାଣ ପଛର ମାଷ୍ଟର ମାଇଣ୍ଡ କିଏ, ସେ ସତ ଏବେ ସାମ୍ନାକୁ ଆସିବ । ତେବେ ୦୯.୦୯.୨୦୦୯ରେ ପାରାଦୀପ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ଲାକ୍ରୋଜ ଜାହାଜ ବୁଡ଼ି ଯାଇଥିଲା । ଏନେଇ ବନ୍ଦର କର୍ତ୍ତୃପକ୍ଷ ପାରାଦୀପ ମେରାଇନ୍ ଥାନାରେ ଏକ FIR ଦାୟର କରିଥିଲା I ପରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। ସେପଟେ ମାମଲାର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ହାଇକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ସିବିଆଇ ମାମାଲର ତଦନ୍ତ ଲାଗି ପ୍ରସ୍ତୁତ ଥିବା ହାଇକୋର୍ଟଙ୍କୁ ଜଣାଇଥିଲା । ତେବେ ବିଭିନ୍ନ କାରଣ ପାଇଁ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଓଡ଼ିଶା ସରକାରଙ୍କୁ ଦୁଇଥର ଚିଠି ଲେଖି (୩୦.୦୯.୨୦୧୯ ଓ ୦୯.୧୨.୨୦୧୯) କ୍ରାଇମ୍ ବ୍ରାଞ୍ଚ ଦ୍ଵାରା ହୋଇଥିବା ସମସ୍ତ ତଦନ୍ତର ଦସ୍ତାବିଜ ମାଗିବା ସହ ଘଟଣାର ପୂର୍ଣାଙ୍ଗ ତଦନ୍ତ ଅନୁମତି ମାଗିଥିଲା ସିବିଆଇ। କିନ୍ତୁ ରାଜ୍ୟ ସରକାର କୌଣସି ଦସ୍ତାବିଜ ସିବିଆଇକୁ ଦେଇନଥିଲେ।
📱 Get Argus News App
✨ପରେ ସୂଚନା ଅଧିକାର ଆଇନ୍ ବଳରେ ଜଣାପଡ଼ିଲା ଯେ, ବ୍ଲାକ୍ରୋଜ ଏକ ଚୋରା ଜାହାଜ। ଏହାର କୌଣସି ଲାଇସେନ୍ସ ନାହିଁ। ଏଥିରେ ୨୪ ହଜାର ମେଟ୍ରିକ୍ ଟନ୍ ଲୁହା ପଥର ଚୋରାରେ ବିଦେଶକୁ ପଠାଯାଉଥିଲା। ରେଟ୍ରର ମାଇନ୍ସ ଓ ଏ.ବି. ମିନେରାଲ ଏହି ଚୋରା ଲୁହା ପଥର ବିଦେଶକୁ ପଠାଉଥିବା ଜଣାପଡ଼ିଥିଲା। ଏବେ ପ୍ରଶ୍ନ ଉଠୁଛି ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ କାହିଁକି ଦେବାକୁ ଚାହୁଁନଥିଲେ ବିଜେଡି ସରକାର ?କିଛି ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏବେ ମାମଲାର ପୁଣି ଥରେ ଖୋଳତାଡ ହେଉଥିବାରୁ ବିଜେଡି ନେତାଙ୍କ ଟେନସନ ବଢିଛି ।