Odia Festival / "ମାଣବସା" ନାଁ ପଛର କ'ଣ ରହିଛି କାରଣ

Key Points
ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଝୋଟି, ଚିତା ଦେଇ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।
ପ୍ରତ୍ୟେକ ପର୍ବ ପର୍ବାଣୀର ପଛରେ କିଛି ନା କିଛି ଗୋଟେ କାରଣ ରହିଥାଏ ।
ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ଆସିଥାଏ । ତା' ଭିତରୁ ମାଣବସା ଗୁରୁବାର ଓଡ଼ିଶାର ଏକ ମହାନ ପର୍ବ । ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଝୋଟି, ଚିତା ଦେଇ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ମାର୍ଗଶିର ମାସରେ ସମସ୍ତ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ମାର୍ଗଶିର ମାସରେ ପୂଜା ଘରକୁ ଧାନବେଣୀରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ ।
ପ୍ରତ୍ୟେକ ପର୍ବ ପର୍ବାଣୀର ପଛରେ କିଛି ନା କିଛି ଗୋଟେ କାରଣ ରହିଥାଏ । ସେହିପରି ମାଣକୁ ବସାଇ ପୂଜା କରାଯାଉଥିବାରୁ "ମାଣବସା" ନାଁ ଆସିଛି । ପୂର୍ବ କାଳରେ ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହେଉଥିଲା । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟିକୁ ମାଣବସା ବୋଲି କୁହାଯାଏ।
ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା'ର ଘରଣୀ ଏଥିରୁ ଧଳାଧାନର ଧାନ ନେଇ ଏଥିରେ ବେଣୀ ବାନ୍ଧି ପ୍ରସ୍ତୁତ କରିଥାଏ । ଗୁରୁବାର ଓଷାର ପୂର୍ବଦିନରୁ ଘର ଦ୍ୱାର ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରାଯାଇଥାଏ । ଅମଳ ପରେ ଖଳାରେ ଥିବା ଧାନ ଗଦାକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ ।
ମାଣବସା ଗୁରୁବାର ଓଷା ପୂର୍ବ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟି ଚିତା ପକାଇଥାନ୍ତି । ଗୁରୁବାର ଦିନ ଭୋରରୁ ଉଠି ନାରୀମାନେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳା ଧାନ ରଖାଯାଏ । ସେଥିରେ କଉଡିକୁ ଆଖିଭାବେ ବ୍ୟବହାର କରି ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା’ ଉପରେ ଧାନର ବାଣୀକୁ ରଖାଯାଏ । ଏହାକୁ ଏକ ନବ ବଧୂର ରୂପରେ ସଜାଯାଏ । ପୂଜା ସମୟରେ ଧୂପ, ଦୀପ ଆଦି ଅର୍ପଣ କରାଯାଏ । ଲକ୍ଷ୍ମୀଙ୍କ ପାଖରେ ପିଠାପଣା ଓ କଦଳୀ, ଛେନା, ନଡ଼ିଆ, ଗୁଡ଼ ଓ ଅନ୍ୟାନ୍ୟ ଫଳମୂଳ ଭୋଗ ଲଗାଯାଏ ।
ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ମା’ଙ୍କ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ମଧ୍ୟାହ୍ନରେ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ଶେଷ ପାଳିରେ ମଣ୍ଡା ପିଠା ଭୋଗ ଲାଗିଥାଏ । ଏହାପରେ ଘରର ପ୍ରତ୍ୟେକ ସଦସ୍ୟ ସେହି ଭୋଗକୁ ଖାଇଥାନ୍ତି । ଯେଉଁ ଭୋଗ ମା'ଙ୍କ ପାଖରେ ଲାଗିଥାଏ ଏହାକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ରହିଛି । ସନ୍ଧ୍ୟା ମସୟରେ ଆଉଥରେ ବାଳଧୂପ ପରି ଭୋଗ ଲଗାଯାଇ ସଂଧ୍ୟା ପୂଜା କରାଯାଏ ।
📱 Get Argus News App
✨Related Topics
Explore more stories