କାହିଁକି ବିଧାନସଭାକୁ ଆସୁନାହାନ୍ତି ନବୀନ ?

Key Points
- ବିଧାନସଭାକୁ ଆସୁନାହାନ୍ତି ବିରୋଧୀ ଦଳ ନେତା
- ଶାସକ ଦଳକୁ ଘେରିବାକୁ ବିଜେଡି ବାଟବଣା
ଅର୍ଗସ ବ୍ୟୁରୋ : ଏବେ ଚାଲିଛି ବିଧାନସଭା । ରାଜ୍ୟର ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ହେଲେ ବିରୋଧୀ ଦଳରକ ନେତା କିନ୍ତୁ ଗୃହରେ ଅନୁପସ୍ଥିତ ରହୁଛନ୍ତି । ଦିନେ କି ଦୁଇଦିନ ନୁହେଁ ବରଂ ଅନେକ ଦିନ ହେଲାଣୀ ବିରୋଧୀ ଦଳର ନେତା ଗୃହରେ ଅନୁପସ୍ଥିତ ଅଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଲୋକେ କହିଲେଣି ବିରୋଧୀ ଦଳ ନେତା ଉପସ୍ଥିତ ରହୁନଥିବାରୁ ବାଟବଣା ହେଉଛି ବିରୋଧୀ ।
ବିଧାନସଭାରେ ଏବେ ମୁଖ୍ୟ ବିରୋଧୀ ଦଳ ହେଉଛି ବିଜେଡି । ଦଳରେ ୫୧ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ଭିତରୁ ଅନେକ ଅଭିଜ୍ଞ ମଧ୍ୟ । କିନ୍ତୁ ଏହା ପରେ ବି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ସମର୍ଥ ହେଉନି ଦଳ । କେବଳ ବିରୋଧୀ ଦଳର ନେତା ନୁହନ୍ତି ବରଂ ଉପନେତା ବି ଗୃହକୁ ଆସୁନାହାନ୍ତି । ତେଣୁ ବିରୋଧୀ ପୁରା ଦୁର୍ବଳ ହେଉଥିବା କୁହାଯାଉଛି ।
ବିଜେଡି ସରକାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସୁନଥିଲେ । ଯାହାକୁ ନେଇ ବିରୋଧୀ ଅନେକ ସମୟରେ ତୁମ୍ବି ତୋଫାନ ବି କରୁଥିଲେ । କିନ୍ତୁ ଶାସକ ଦଳ ଏହାକୁ ଭୃକ୍ଷେପ କରୁନଥିଲା । ଏବେ ବି ସମାନ ଦଶା। ଅର୍ଥାତ୍ ବିଧାନସଭାକୁ ଆସୁନାହାନ୍ତି ନବୀନ । ଚଳିତ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କେବେ କେବେ ଗୃହକୁ ଆସିଥିଲେ ନବୀନ । ହେଲେ ଗୃହରେ ହେଉଥିବା ଆଲୋଚନାରେ ସେ ଭାଗ ନେଉନଥିବା କୁହାଯାଉଛି । ଚଳିତ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଗତ ୨୦ ତାରିଖରୁ ଆରମ୍ଭ ହେଲାଣି । ଏହା ମଧ୍ୟରେ ୯ଟି କାର୍ଯ୍ୟଦିବସ ହେଲାଣି । କିନ୍ତୁ ଥରୁଟିଏ ବି ବିରୋଧୀ ଦଳ ନେତା ବିଧାନସଭା ଆସିନାହାନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଚାଲିଛି ।
📱 Get Argus News App
✨ସମ୍ବିଧାନ ଅନୁସାରେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଗୁରୁ ଦାୟିତ୍ଵ ରହିଛି । ଯଦି କେବେ ବିରୋଧୀ ଦଳର ନେତା ଆସୁନାହାନ୍ତି ତାହାଲେ ବିରୋଧୀ ଦଳର ଉପନେତା ଦାୟିତ୍ଵ ସମ୍ଭାଳିବେ । କିନ୍ତୁ ପ୍ରସନ୍ନ ଆଚାର୍ଯ୍ୟ ଅସୁସ୍ଥତା କାରଣରୁ ଗୃହକୁ ଆସୁନାହାନ୍ତି । କଥା ଏତିକିରେ ସରିନି ବରଂ ବିରୋଧୀ ଦଳର ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବି ଗୃହରେ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି । ୨୦୦୦ ମସିହା ପରଠାରୁ ଓଡ଼ିଶାରେ ୬ଟି ବିଧାନସଭା ନିର୍ବାଚନ ହୋଇଛି । ୨୦୦୦ରୁ ୨୦୧୪ ଯାଏ ଚାରିଟି ବିଧାନସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା । ୨୦୧୪ରୁ ୨୦୧୯ ଯାଏ ଥରେ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। ଏବେ ମୁଖ୍ୟ ବିରୋଧୀ ଦଳ ହୋଇଛି ବିଜେଡି । ତେବେ ୬ଟି ଯାକ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସବୁଠାରୁ ଶକ୍ତିଶାଳୀ ବିରୋଧୀ ଦଳ ହୋଇଛି ବିଜେଡି । ପୂର୍ବ ୫ ଥରରେ ମୁଖ୍ୟ ବିରୋଧୀ ଦଳ କେବେ ବି ୫୦ ଆସନ ଛୁଇଁ ନଥିଲା । ଏଥର ଶକ୍ତିଶାଳୀ ବିରୋଧୀ ଦଳର ନେତୃତ୍ଵ ନେଉଛନ୍ତି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ସର୍ବାଧିକ ଅନୁଭବୀ ନେତା ନବୀନ ପଟ୍ଟନାୟକ । ହେଲେ ସେ ବିଧାନସଭା ଆସୁନଥିବାରୁ ଚର୍ଚ୍ଚା ଏବେ ଜୋର ।