Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ସେହି ଅକ୍ଟୋବର, ପୁଣି ବାତ୍ୟା ଭୟ ! ଓଡ଼ିଶାରେ ଏଇ ମାସରେ ହେବ ବାତ୍ୟା ?

Odisha

ପୁଣି ସେହି ଅକ୍ଟୋବର, ପୁଣି ବାତ୍ୟା ଭୟ ! ଓଡ଼ିଶାରେ ଏଇ ମାସରେ ହେବ ବାତ୍ୟା ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୁଣି ସେହି ଅକ୍ଟୋବର, ପୁଣି ବାତ୍ୟା ଭୟ ! ଓଡ଼ିଶାରେ ଏଇ ମାସରେ ହେବ ବାତ୍ୟା ?

Key Points

  • ପୁଣି ସେହି ଅକ୍ଟୋବର, ପୁଣି ବାତ୍ୟା ଭୟ
  • ଓଡ଼ିଶାରେ ଏଇ ମାସରେ ହେବ ବାତ୍ୟା ?

ଅର୍ଗସ ବ୍ୟୁରୋ: ଅକ୍ଟୋବର ମାସ ଆସିଲେ ଓଡ଼ିଶାକୁ ରହେ ବାତ୍ୟା ଭୟ । କାରଣ ୧୯୯୯ରେ ମହାବାତ୍ୟାର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି କେତେ ଭୟଙ୍କର ଥିଲା ସେହି ବାତ୍ୟା । ଏବେ ପୁଣି ଡରାଇଲାଣି ଅକ୍ଟୋବର ମାସ । ଏହି ମାସରେ ଓଡିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁ ହୋଇପାରେ । ବାସ୍‌ ଏମିତି ପୂର୍ବ ଆକଳନକୁ ହେବା ପରେ ଚିନ୍ତାରେ ରାଜ୍ୟବାସୀ ।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ତୀବ୍ରତା କେତେ ରହିବ? ସେନେଇ କୌଣସି ସ୍ପଷ୍ଟ ଚିତ୍ର ଏଯାଏ ସାମ୍ନାକୁ ଆସିନାହିଁ । ମାତ୍ର ଜିଏଫ୍ଏସ ମଡେଲରେ ବାତ୍ୟା ରୂପ ଏକ ପ୍ରକାର ସ୍ପଷ୍ଟ ଦେଖିବାକୁ ମିଳୁଛି । ଜିଏଫଏସ ମଡେଲ ଅନୁସାରେ, ସମୁଦ୍ରରେ ଲଘୁଚାପ ଥିବାବେଳେ ବାତ୍ୟାର ରୂପ ନେଇପାରେ । ମାତ୍ର ଉପକୂଳ ଓଡ଼ିଶା ଛୁଇଁଲାବେଳକୁ ଦୁର୍ବଳ ହୋଇଯିବ । କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଏଫଏସ ମଡେଲ ଆକଳନ କରିଛି । ତେଣୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଘଣ୍ଟାପ୍ରତି ଏହା ମାତ୍ର ୧୨ କିଲୋମିଟର ବେଗରେ ଗତି କରୁଛି । ପୂର୍ବ, ଦକ୍ଷିଣ-ପୂର୍ବ ପୁଡୁଚେରୀ ଠାରୁ ୩୯୦ କିମି ଦୂରରେ ରହିଛି । ଆନ୍ଧ୍ରପ୍ରଦେଶଠାରୁ ୪୫୦ କିମି ଦୂରରେ ରହିଛି । ଏହା ସହ ଚେନ୍ନାଇ ଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ଅଛି । ଧୀରେ ଧୀରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖରେ ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟରେ ପୁଡୁଚେରୀ ଓ ନେଲୋର ନିକଟରେ ଅବପାତ ଭାବେ ଅତିକ୍ରମ କରିପାରେ । ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ମୋଟ୍‌ ଉପରେ ଓଡ଼ିଶାକୁ ବାତ୍ୟା ହେବ କି ନାହିଁ ସେନେଇ ଭାରତୀୟ ପାଣିପାଗ ଏଯାଏ ସ୍ପଷ୍ଟ କରିନି । କିନ୍ତୁ ଅକ୍ଟୋବର ମାସରେ ହୋଇଥିବା ଲଘୁଚାପ ପ୍ରଭାବ ବାତ୍ୟାର ରୂପ ନେଉଥିବା ଚର୍ଚ୍ଚା ହେବା ପରେ ପୁରା ରାଜ୍ୟବାସୀ ଏବେ ଆତଙ୍କିତ ହୋଇପଡିଛନ୍ତି । କିନ୍ତୁ ବାତ୍ୟା ହେବ କି ନାହିଁ ସେନେଇ ଏବେ ଯାଏ କୌଣସି ତଥ୍ୟ ସ୍ପଷ୍ଟ ହୋଇନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cyclone in October 2024 | Argus News