Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସବୁଜିମାରେ ଭରା ପାହାଡ...ଶୀତୁଆ ସକାଳରେ କୁହୁଡିର ପତଳା ଚାଦର

Odisha

ସବୁଜିମାରେ ଭରା ପାହାଡ...ଶୀତୁଆ ସକାଳରେ କୁହୁଡିର ପତଳା ଚାଦର

Smruti Parija
Browse all articles by Smruti Parija
·1 year ago·2 min read
ସବୁଜିମାରେ ଭରା ପାହାଡ...ଶୀତୁଆ ସକାଳରେ କୁହୁଡିର ପତଳା ଚାଦର

କୋରାପୁଟ: ଶୀତୁଆ ସକାଳରେ କୁହୁଡିର ପତଳା ଚାଦର । ସବୁଆଡେ କେବଳ ନୀଳ ଆକାଶ । ଆଉ ଏହାରି ମଧ୍ୟରେ ଆଖି ଜୁଆଡେ ବୁଲେଇଲେ ଦେଖିବାକୁ ମିଳୁଛି ସବୁଜିମାରେ ଭରା ପାହାଡ । ଆଉ ସବୁଜିମାର ଏହି ପାହାଡ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ବର୍ଷା ଛାଡିବା ପରେ କୋରାପୁଟକୁ ହୋଇଛି ଶୀତର ଆଗମନ । ଶୀତର ଆଗମନରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଛି ଆକର୍ଷଣୀୟ ଓ ଆନମନା ।

ଯାହାକି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କରୁଛି ଅଧିକ ମନଲୋଭା । ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପୁରା ପରିବେଶକୁ ମତୁଆଲା କରୁଛି । ଲାଗୁଛି ସତେ ଯେମିତି ଏକର ଏକର ଏହି ଅଳସୀ ଫୁଲ ରୁପରେ ପ୍ରକୃତି ରାଣୀ ସୁନାର ଓଢଣୀ ମେଲି ବସିଛି । ଆଉ ପବନର ଟିକିଏ ସ୍ପର୍ଶ ଏହି ଫୁଲର ମହକକୁ ଚାରି ଆଡି ମହକିତ କରୁଛି । ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟ ପ୍ରେମିକ ପ୍ରେମିକାଙ୍କୁ ରୋମାଞ୍ଚିତ କରୁଛି । ଆଉ ପର୍ଯ୍ୟଟକଙ୍କୁ ବିଭୋର ବି କରୁଛି । ବର୍ଷା ଛାଡି ଶୀତ ଆସିବା ପରେ ଏହା ହେଉଛି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ । ଆଉ ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେବା ପାଇଁ ଏବେ ଜିଲ୍ଲାରେ ଧୀରେ ଧୀରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । କିଏ ଅଳସୀ ଫୁଲର ଖେତରେ ସେଲ୍ପି ନେଇ ସ୍ମୃତି ସାଇତି ରଖୁଛି ତ ଆଉ କିଏ ଏହାର ମହକକୁ ଉପଭୋଗ କରୁଛି ।

ସେପଟେ ଶୀତ ଦିନ ରେ ନିଜକୁ ସତେଜ ରଖିବା ପାଇଁ ପ୍ରାତଃ ଭ୍ରମଣ ସାଙ୍ଗକୁ ବ୍ୟାୟାମଶାଳାରେ ବି ଭିଡ ଜମୁଛି । ସେପଟେ ଶ୍ରମିକ ଓ ମଜୁରିଆମାନେ ନିଜ କର୍ମ ପାଇଁ ଭୋରରୁ ସକାଳୁ ବାହାରି ପଡନ୍ତି । ଶୀତ ଦିନେ କୁହୁଡି ସାଙ୍ଗକୁ ଅଳସୀ ଫୁଲର ମହକ ପୁରା ପରିବେଶକୁ ଆନମନା କରିଥାଏ । ଆଉ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ କିଛି ଲେଖିବାକୁ କବି ଓ ଲେଖକଙ୍କୁ ପ୍ରେରଣା ଦେଇଥାଏ । ମନରେ ଉନ୍ମାଦ ଭରିଥାଏ । କଳାକାର ଟିଏ ପାଇଁ ନୂଆଁ କିଛି ଚିନ୍ତା କରିବାର ବାଟ ଫିଟାଇଥାଏ । ଆଉ ସେଇଥି ପାଇଁ ତ ଏହି ଅଳସୀ ଫୁଲ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନ୍ୟତମ ସ୍ରୋତ ।

ଶୀତ ଦାଉରୁ ନିଜକୁ ସତେଜ ପାଇଁ ନିଆ ଜାଳି ବସନ୍ତି । ଆଉ ଚା' ପିଇ ନିଜକୁ ସତେଜ କରି ଚାଲି ଯାଆନ୍ତି କର୍ମ କ୍ଷେତ୍ରକୁ । କୋରାପୁଟ ହେଉଛି ଓଡିଶାର ଭୂସ୍ବର୍ଗ । କେହି କେହି ଏହାକୁ ଓଡିଶାର କାଶ୍ମୀର ବୋଲି ବି କୁହନ୍ତି । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ବର୍ଷ ସାରା ଏଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ ଯଦି ସମୟ ମିଳୁଛି ତେବେ ଥରୁଟେ କୋରାପୁଟର ଏହି ଅପୂର୍ବ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଆସନ୍ତୁ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
winter-in-koraput-will-give-you-different-experience | Argus News