Winter Session / ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

Key Points
ଆଜିଠୁ ଡିସେମ୍ବର ୩୧ ଯାଏଁ ଚାଲିବ ବିଧାନସଭା
ଶୀତକାଳୀନ ଅଧିବେସନରେ ରହିଛି ମୋଟ ୨୯ଟି କାର୍ଯ୍ୟ ଦିବସ
ଆଜି ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବିଧାନସଭାର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି । ଆଜି ଅପରାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ । ଏହାପରେ ଅଧିବେଶନର ଦ୍ଵିତୀୟ ଦିବସରେ ଅର୍ଥାତ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇ ୮ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ।
ଶୀତକାଳୀନ ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଏହି ବୈଠକରେ ଯୋଗ ଦେଇ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଆସନ୍ତା ୨୮ ତାରିଖ ଦିନ ପ୍ରଥମ ସପ୍ଲିମେଂଟାରୀ ବଜେଟ ଉପସ୍ଥାପନ ହେବ । ବିରୋଧୀ ଦଳ ତରଫରୁ ଯେଉଁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ସମସ୍ତ ପ୍ରଶ୍ନର ଜବାବ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିସହ ୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଆଜି ଓଡ଼ିଶା ଗସ୍ତରେ ଆସି ବିଧାନସଭା ଶୀତକାଳୀନ ଅଧିବେଶନକୁ ସମ୍ବୋଧନ କରିବେ ମହାମହିମ । ଅପରାହ୍ଣ ୨ଟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରି ପ୍ରଥମେ ରାଜଭବନ ଯିବେ ରାଷ୍ଟ୍ରପତି । ମଧ୍ୟାହ୍ନ ବିରତି ପରେ ଅପରାହ୍ଣ ୪ଟାରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଗୃହର ଉଦ୍ଘାଟନ କରିବେ ।
ଏହାପରେ ଅପରାହ୍ଣ ୪ଟା ୨୦ ମିନିଟରେ ବିଧାନସଭାରେ ପହଞ୍ଚିବେ ଏବଂ ୪ ଟା ୩୦ରୁ ୫ ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧନ କରିବେ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ଛାଉଣି । ବ୍ଲୁ-ବୁକ୍ ଗାଇଡ୍ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।
📱 Get Argus News App
✨Related Topics
Explore more stories