Wrong Treatment / ନୂଆ ଜୀବନଟିଏ ଜନ୍ମ ଦେଇ ଆଶା ଥିଲା ମାଆ ଡାକ ଶୁଣିବ, ହେଲେ ଡାକ୍ତରଙ୍କ ଭୁଲ ଯୋଗୁଁ...

Key Points
ଗର୍ଭରୁ ସନ୍ତାନ ବାହାରିବ । ଦୁନିଆ ଦେଖିବ । ତା' ପ୍ରଥମ ଶବ୍ଦରେ ମାଆର ସବୁ ଯନ୍ତ୍ରଣା ଲାଘବ ହୋଇଯିବ । କେଡେ ଖୁସିରେ ସେ ଅଭାଗିନୀ ସେଦିନ ବାହାରିଯାଇଥିଲା । ବାସ୍ ସେ ଡାକ୍ତର ମ୍ୟାଡାମ ହିଁ ତା ପାଇଁ ଭଗବାନ ଥିଲେ । ବିଶ୍ୱାସ, ଭରସା ସବୁ କିଛି ସେ ହିଁ ଥିଲେ । ଆଉ ମ୍ୟାଡାମ ଦେଇଥିବା ଠିକଣାରେ ପହଁଚିଯାଇଥିଲେ ରଶ୍ମିରେଖା ପରିଡ଼ା । ଯନ୍ତ୍ରଣା ଓ ମାଆ ହେବାର ଜିଜ୍ଞାସା ଭିତରେ ସେ ବା ଜାଣିବେ କେମିତି, ଜୀବନ ଏଠି କିଣା ବିକା ହୁଏ ବୋଲି ?
ପୁତ୍ର ସନ୍ତାନଟିଏ ଜନ୍ମହେଲା । ମାଆ ତା କୋଳରେ ସ୍ପର୍ଶ କରି ସବୁ ଖୁସି ସାଉଁଟିଲା ସିନା ଜାଣିନଥିଲା ଏହା ତାର ଶେଷ ସ୍ପର୍ଶ । କାରଣ ବିଶ୍ୱାସର ଡାକ୍ତରାଣୀ କରିଥିଲେ ଭୁଲ ଅସ୍ତ୍ରୋପ୍ରଚାର । ବନ୍ଦ ହେଉନଥିଲା ରକ୍ତସ୍ରାବ । ଜାଣିନଥିଲେ ପରିବାର । ଆଉ ଭୁଲକୁ ଲୁଚାଇବାକୁ ଯାଇ ସମୟ ଭୁଲି ଯାଇଥିଲେ ଡାକ୍ତର ମ୍ୟାଡାମ । ଦୁଇ ଦୁଇଟା ମେଡିକାଲ ବୁଲାଇ ମାରି ସାରିଥିଲେ । ଶେଷକୁ ଆଖି ବୁଜିସାରିଥିଲା ସେ ହତଭାଗିନୀ ମାଆ । ଯିଏ କଅଁଳା ପୁଅଟାକୁ ତା ବକ୍ଷରୁ ଅମୃତ ଦେବାକୁ ବ୍ୟାକୁଳ ହେଉଥିଲା ।
ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ କେନାଲ ରୋଡରେ ଥିବା ଆନନ୍ଦ ପଲ୍ଲୀ କ୍ଲିନିକ୍ ନାମକ ଘରୋଇ ହସ୍ପିଟାଲକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ସୂଚନା ଅନୁଯାୟୀ କିଛି ଦିନ ତଳେ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ଚଅଁରପଦା ପଞ୍ଚାୟତ ଛତାହାର ଗ୍ରାମର ବାସିନ୍ଦା ଜିତେନ୍ଦ୍ର କୁମାର ନାୟକଙ୍କ ପତ୍ନୀ ରଶ୍ମିରେଖା ପରିଡ଼ାଙ୍କ ପ୍ରସବ ଚିକିତ୍ସା ସମୟରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରପ୍ରଚାର ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ ।
ହେଲେ ଅଭିଯୋଗର ୫ ଦିନ ପରେ ମଧ୍ୟ ପୋଲିସ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଯାହାଫଳରେ ଛତାହାର ଗ୍ରାମର ଶତାଧିକ ଲୋକେ ଏକତ୍ରିତ ହୋଇ ପୋଲିସ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି କରିଥିଲେ । ଏହାସହ ସ୍ଥାନୀୟ ଜୟଗୁରୁ ଆଶ୍ରମ ଠାରୁ ନିମାପଡ଼ା ଥାନା ପର୍ଯ୍ୟନ୍ତ ଏକ କ୍ୟାଣ୍ଡଲ୍ ଶୋଭାଯାତ୍ରା ମାଧ୍ୟମରେ ଯାଇ ବଜାର ପରିକ୍ରମା କରିବା ସହ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଥାନା ଅଧିକାରୀଙ୍କ ପ୍ରତିଶ୍ରୁତି ମୁତାବକ ଆଗାମୀ ୬୦ଦିନ ମଧ୍ୟରେ ସଂପୃକ୍ତ ନର୍ସିଂହୋମ ମାଲିକଙ୍କ ସମେତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୋଲିସକୁ ଚେତାବନୀ ଦେଇଛନ୍ତି।
📱 Get Argus News App
✨Related Topics
Explore more stories