Chameli Ojha / ମହିଳା କମିଶନଙ୍କ ବଡ଼ ପ୍ରତିଶ୍ରୁତି: ଚାମେଲି ମାମଲାରେ SIT ତଦନ୍ତ ଦାବି

Key Points
ଦୁର୍ବ୍ୟବହାର ନେଇ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଆରେ ଚିଠି ଲେଖିଲେ ତିଖିରି ସରପଞ୍ଚ
ପୋଲିସ ପ୍ରଶାସନ ସହ ବିବାଦର SIT ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା
କଂଗ୍ରେସ ପ୍ରତିବାଦ ଓ ବିଜେଡିର ଗ୍ରାଉଣ୍ଡ ଭିଜିଟ୍ ପରେ ତେଜିଲା ରାଜନୀତି
କେନ୍ଦ୍ରାପଡ଼ା SDJM କୋର୍ଟରୁ ଜାମିନ ପାଇ ଏବେ ବି ହସ୍ପିଟାଲରେ ଅଛନ୍ତି ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଆଜି ତାଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ମହିଳା କମିଶନର ସଦସ୍ୟା ।
ସେପଟେ ବିନା ଦୋଷରେ ଦଣ୍ଡ ପାଇଥିବା ଅଭିଯୋଗ କରି, ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଚିଠି ଲେଖିଛନ୍ତି ଚାମେଲି । ଜିଲ୍ଲାପାଳ କହିଛନ୍ତି ଉଭୟ ପୋଲିସ ଓ ପ୍ରଶାସନିକ ଟିମ୍ ପୁରା ଘଟଣାର ତଦନ୍ତ କରୁଛନ୍ତି । ଚାମେଲି ହସ୍ପିଟାଲରୁ ଫେରିବା ପରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦିଆଯିବ । ସେପଟେ SIT ତଦନ୍ତ ଦାବି କରି ହୋଇକୋର୍ଟରେ ହୋଇଛି ଜନସ୍ବାର୍ଥ ମାମଲା ।
ରାଜ୍ୟ ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ ଆଜି ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ଘଟଣାଦିନ ମହାକାଳପଡ଼ା BDOଙ୍କ ଚାମ୍ବରରେ କଣ ଘଟିଥିଲା ସେନେଇ ପଚାରି ବୁଝିଥିଲେ । ତେବେ ଦୋଷୀ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଗତକାଲି ଚାମେଲିଙ୍କୁ ଜାମିନ ପ୍ରଦାନ କରିଥିଲେ ଏସ୍ଡିଜେଏମ୍ କୋର୍ଟ । ମହାକାଳପଡ଼ା ପୋଲିସ୍ ଏସଆଇ ଓ ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗରେ ତାଙ୍କୁ ଜାମିନ୍ ମିଳିଥିବେଳେ, ଏଥିରେ ଖୁସି ନଥିବା କହିଛନ୍ତି ଚାମେଲି । ଦୋଷ ନଥାଇ ବି ତାଙ୍କୁ ଗିରଫ କରାଗଲା ।
ଅନ୍ୟପଟେ ଯେଉଁ ବିବିଓ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିଲେ, ଯେଉଁ ପୋଲିସ ତାଙ୍କୁ ମାଡ଼ ମାରିବା ସହ ମିଛ ମାମଲା କଲା, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାକୁ ନେଇ ଓଡ଼ିଆରେ ଲେଖିଛନ୍ତି ଚିଠି । ଏହାରି ଭିତରେ ଚାମେଲିଙ୍କ ସହ ବିବାଦକୁ ନେଇ ମହାକାଳପଡ଼ା BDOଙ୍କ ଏକ ଟେଲିଫୋନ ପ୍ରତିକ୍ରିୟା ହସ୍ତଗତ ହୋଇଛି ।
ସ୍ଥାନୀୟ ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ଚାମେଲିଙ୍କୁ ସମର୍ଥନ ଆଳରେ ରାଜନୀତିର ରୁଟି ସେକିବା ଆରମ୍ଭ କରିଛନ୍ତି ବିରେଧୀ । ଯାହାର କଡ଼ା ଜବାବ ରଖିଛି ବିଜେପି । ଜିଲ୍ଲାପାଳ କହିଛନ୍ତି ପୁରା ଘଟଣାର ତଦନ୍ତ ଏସପିଙ୍କ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା କରାଯାଉଛି । ଏଥିସହ ଜିଲ୍ଲା ପ୍ରଶାସନର ଏକ ଟିମ ମଧ୍ୟ ତଦନ୍ତ କରୁଛି ।
ଚାମେଲି ଓଝାଙ୍କ ସହ ପୋଲିସ ଓ ପ୍ରଶାସନ ବିବାଦ ଘଟଣାର SIT ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟାର ହୋଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା କରାଯିବା ସହ ମେଡିକାଲ ରିପୋର୍ଟ ହାଇକୋର୍ଟଙ୍କୁ ଦେବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି ।
📱 Get Argus News App
✨Related Topics
Explore more stories
