ଏମାନେ ଲୁଣା ଜଙ୍ଗଲ ସୃଷ୍ଟି କରୁଛନ୍ତି, ପରିବର୍ତ୍ତନର କୁପ୍ରଭାବକୁ ବେଶ ଭଲ ଭାବରେ ଆମଠୁ ଅଧିକ ବୁଝିଛନ୍ତି

ଅସ୍ତରଙ୍ଗ: ପଚ ପଚ କାଦୁଅ...ଉପରେ ଖୋଲା ଆକାଶ..ଆଉ ତଳେ ନୀଳ ପାଣି... କିଏ ମୁଣ୍ଡେ ପାଣି ଭିତରେ ବୁଡିଛି ତ ଆଉ କିଏ ଆଣ୍ଠୁଏ ପଙ୍କ ଭିତରେ ବୁଡିଛି । ଏ ସବୁ ଭିଡିଓ ଗୁଡିକୁ ଦେଖିଲା ପରେ ଆପଣ ମାନେ ବି ଭାବୁଥିବେ ଏ ମହିଳା ମାନେ ଏମିତି ନିର୍ଜନ ସ୍ଥାନରେ କ'ଣ କରୁଛନ୍ତି ? କାହିଁକି ହାତରେ ଗଛ ଟିଏ ଧରି ପାଣି ଭିତରେ ବୁଡିଛନ୍ତି ? ପ୍ରକୃତରେ ଏମାନଙ୍କ ଉଦ୍ଦେଶ୍ୟ କଣ ?
ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ ଲୁଣା ଜଙ୍ଗଲ ସୃଷ୍ଟି କରୁଛନ୍ତି । ହଁ ସବୁଜ ପିରବେଶ ତିଆରି କରିବାକୁ ଏମାନେ ଅଣ୍ଟା ଭିଡିଛନ୍ତି । ଏ ସବୁ ଗଛ ହେଉଛି ହେନ୍ତାଳ ଗଛ ବା ଲୁଣା ଜଙ୍ଗଲର ଗଛ । ହେନ୍ତାଳ ବଣର ଉପସ୍ଥିତି ଉପକୂଳ ଅଞ୍ଚଳର ସୁନାମି, ବାତ୍ୟାକୁ ପ୍ରତିରୋଧ କରିବା ସହ ଉପକୂଳ ଅଞ୍ଚଳକୁ ସୁରକ୍ଷା ଯୋଗାଇଦେବାରେ ସବୁଜ ବନ୍ଧ ଭାବେ ଠିଆ ହେବ । ଯେଉଁ ଉଦ୍ଦେଶ୍ୟ ଏ ସବୁ ଚେଷ୍ଟା ଚାଲିଛି । ୧୮୮୫, ୧୯୨୧, ୧୯୪୫, ୧୯୭୧, ୧୯୮୨, ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍ , ୨୦୧୪ ହୁଡ୍ ହୁଡ୍, ୨୦୧୮ ତିତିଲି, ୨୦୧୯ ଫନୀ ଭଳି ସାମୁଦ୍ରିକ ବାତ୍ୟା ଯୋଗୁ ଉପକୂଳ ଅଞ୍ଚଳରେ ନାହିଁ ନଥିବା କ୍ଷତି ସହିଛି ଓଡିଶା । ପ୍ରତିବର୍ଷ ମଧ୍ୟ ଓଡିଶାକୁ ବନ୍ୟା, ବାତ୍ୟାର ଭୟ ଘାରେ । ସରକାର ଏହାର ସଠିକ୍ ମୁକାବିଲା ମଧ୍ୟ କରୁଛନ୍ତି । କିନ୍ତୁ ଆଉ ଏହାର ପ୍ରକୃତ ମୁକାବିଲା କରିବାକୁ ହେନ୍ତାଳ ବଣ ହେଉଛି ସୁରକ୍ଷା କବଚ ।
📱 Get Argus News App
✨ଆମ ଚାରିପାଖେ ଭୂମି ଉପରେ ଦେଖାଯାଉଥିବା ଜଙ୍ଗଲ/ଗଛ ଠାରୁ ୫ ରୁ ୭ ଗୁଣ ଅମ୍ଳଜାନ ଯୋଗାଇଥାଏ ଏବଂ ସେହି ପରିମାଣରେ ଅଙ୍ଗାରକାମ୍ଳ ମଧ୍ୟ ଶୋଷଣ କରିଥାଏ । କୋରାଲ ପରିସଂସ୍ଥାନ, ହ୍ରଦ ପରିସଂସ୍ଥାନ, ମୁହାଣ ପରିସଂସ୍ଥାନ, ହେନ୍ତାଳ ବଣ ପରିସଂସ୍ଥାନ ଆଦି ପରିସଂସ୍ଥାନକୁ ନେଇ ଗଠିତ ସାମୁଦ୍ରିକ ପରିସଂସ୍ଥାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି Coral Reef ପରିସଂସ୍ଥାନ। ଏହାକୁ ସମୁଦ୍ରର ହୃତପିଣ୍ଡ ବୋଲି କୁହାଯାଏ । ତେବେ ଜୈବ ବିବିଧତା ଦୃଷ୍ଟି କୋଣରୁ ହେନ୍ତାଳ ଜଙ୍ଗଲ ସମୁଦ୍ରର ଦ୍ବିତୀୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ।
ପ୍ରତି ୧ ହେକ୍ଟର ହେନ୍ତାଳ ବଣର ଉପସ୍ଥିତି ୩ ରୁ ୪ ହେକ୍ଟର ନଦୀ/ସମୁଦ୍ର ପ୍ରଦୂଷଣକୁ ଅବଶୋଷଣ କରିବାରେ କ୍ଷମତା ରଖିଥାଏ । ଦିନେ ଏ ଜଙ୍ଗଲରୁ ଜୀବିକା ସନ୍ଧାନ କରିବାକୁ ଆସି ଏହି ଜଙ୍ଗଲର ନଷ୍ଟ କରି ଦେଉଥିଲେ ଏ ମହିଳା ମାନେ, କିନ୍ତୁ ପରେ ଏହାର ଆବଶ୍ୟକତା ବୁଝି ନୂଆ ହେନ୍ତାଳ ବଣ ସୃଷ୍ଟି କରିବା ସହ ହେନ୍ତାଳ ଜଙ୍ଗଲକୁ ଟାର୍ଜନ ଭଳି ଜଗୁଛନ୍ତି । ସମତଳ ଅଞ୍ଚଳରେ ସୃଷ୍ଟି ହେଉଥିବା ଜଙ୍ଗଲ ତୁଳନା ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା କଷ୍ଟକର । କିନ୍ତୁ ଏ କଷ୍ଟକର କାମକୁ ବେଶ ଦୃଢତାର ସହିତ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ଝାଡ଼ଲିଙ୍ଗ ଗାଁର ଏହି ମହିଳାମାନେ ।
ବର୍ତ୍ତମାନ ଏହି ମହିଳା ମାନେ 21 ହାଜର ରୁ ଉର୍ଦ୍ଧ୍ୱ ହେନ୍ତାଳ ବଣ ପାଇଁ ନୂଆ ଚାରା ଲଗାଇଛନ୍ତି । ପାଣି, କାଦୁଅ, ଖରା ତରାରେ ବୁଡି ଚାରା ରୋପଣ କରୁଛନ୍ତି । ଆଉ ଜଙ୍ଗଲକୁ ପାଳି କରି ଜଗୁଛନ୍ତି । ବୋଟ୍ ମାଧ୍ୟମରେ ଗଭୀର ଜଳ ଭିତରେ ପଇଁତରା ମାରି ଲୁଣା ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ଖାଲି ସେତିକି ନୁହେଁ ଗାଁ ଗାଁ ବୁଲି ଲୁଣା ଜଙ୍ଗଲର ଉପକାରିତା ବିଷୟରେ ପଥପ୍ରାନ୍ତ ନାଟକ ବି କରୁଛନ୍ତି । ନୂଆ ନୁଆ ଲୋକଙ୍କୁ ନିଜ ମହିଳା ଦଳରେ ସାମିଲ କରି ପରିବେଶ ବଞ୍ଚାଇବାର ଅଭିଯାନର ମଙ୍ଗ ଧରିଛନ୍ତି ।
ହୁଏତ ଏ ମହିଳା ମାନେ ପାଠ ପଢି ବଡ଼ ଚାକିରୀ କରି ନାହାନ୍ତି କିନ୍ତୁ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ବେଶ ଭଲ ଭାବରେ ଆମଠୁ ଅଧିକ ବୁଝିଛନ୍ତି । ସେଥିପାଇଁ ଯାହା କଷ୍ଟ ହେଲେବି ଲୁଣା ଜଙ୍ଗଲର ସୁରକ୍ଷା ପାଇଁ ସେମାନେ ପ୍ରତିବଧ୍ୟତା ସହ ଆଗକୁ ବଢୁଛନ୍ତି । ଆଉ ଏହି ଭଳି ମହିଳାମାନେ ହିଁ ପ୍ରକୃତରେ ଜଙ୍ଗଲର ଟାର୍ଜନ....