ରାଜ୍ୟ ସରକାରଙ୍କ ଫୋକସରେ ମହିଳା ଉଦ୍ୟୋଗୀ

ରାଜ୍ୟ ସରକାରଙ୍କ ଫୋକସରେ ମହିଳା ଉଦ୍ୟୋଗୀ
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା
ମହିଳା ନିବେଶକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ମହିଳା ନିବେଶକଙ୍କ ପାଇଁ କରାଯିବ ଏକ୍ସକ୍ଲୁସିଭ ଇଣ୍ଡଷ୍ଟ୍ରିଆଲ ପାର୍କ
ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସେଲ
ମହିଳାସଶକ୍ତି କରଣ ପାଇଁ ଜେଣ୍ଡର ବଜେଟିଂ ଉପରେ ଜୋର
ଗତ ବଜେଟରେ କେବଳ ମହିଳା ପାଇଁ ୨୮.୫% ହୋଇଛି ଖର୍ଚ୍ଚ
ଅର୍ଗସ ବ୍ୟୁରୋ : ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟର ଆଗ ଧାଡିରେ ରହିବେ ନାରୀ ଶକ୍ତି । ମହିଳା ଉଦ୍ୟୋଗୀଙ୍କ ଅର୍ଥନୈତିକ ନେତୃତ୍ଵରେ ସାକାର ହେବ ବିକଶିତ ଓଡିଶାର ସ୍ଵପ୍ନ । 'ଉତ୍କର୍ଷ ଓଡିଶା' ମେକ୍ ଇନ୍ ଓଡିଶା କନକ୍ଲେଭରେ ମହିଳା ଉଦ୍ୟୋଗୀଙ୍କୁ ନେଇ ହୋଇଥିବା ରାଉଣ୍ଡ ଟେବୁଲ ଆଲୋଚନାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବେ ବିଜେପି ସରକାର । ରାଜ୍ୟରେ ପ୍ରତିଷ୍ଠା ହେବ ସ୍ଵତନ୍ତ୍ର ମହିଳା ଶିଳ୍ପ ପାର୍କ । ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ଵତନ୍ତ୍ର ମହିଳା ସେଲ୍ । ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା ଚକ୍ରରେ ଏହି ଦୁଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ଉଦ୍ୟୋଗୀଙ୍କ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ପ୍ରଦାନ ଲାଗି ବିଶେଷ କାର୍ଯ୍ୟକ୍ରମ କରିବେ ସରକାର। ବିଶ୍ବ ବିଦ୍ୟାଳୟ ଓ ବିଜନେସ ସ୍କୁଲର ସହଯୋଗରେ ଶିକ୍ଷାଗତ ଏବଂ ବ୍ୟବହାରିକ ବ୍ୟବସାୟ ଅଭିଜ୍ଞତା ପ୍ରଦାନ କରୁଥିବା ଛାତ୍ରବୃତ୍ତି, ଇଣ୍ଟର୍ନସିପ୍ ଏବଂ ନେତୃତ୍ବ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବେ ସରକାର ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ମହିଳା ମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ଦେଶ ଓ ବିଦେଶର ପ୍ରମୁଖ ମହିଳା ଉଦ୍ୟୋଗୀ ।
ଡବଲ ଇଞ୍ଜନ ସରକାରରେ ଫୋକସରେ ମହିଳାଙ୍କ ସଶକ୍ତିକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ମାନଙ୍କ କ୍ଷମତା ଏବଂ ପ୍ରତିଭା ଉପରେ ଥିବା ବିଶ୍ବାସକୁ ଏହା ଦର୍ଶାଉଛି । ରାଜ୍ୟ ସରକାର ମଧ୍ୟ ଜେଣ୍ଡର-ବଜେଟିଂ ପ୍ରସ୍ତୁତ କରୁଛନ୍ତି । ୨୦୨୪-୨୫ ବଜେଟରେ ରାଜ୍ୟର ମୋଟ ବଜେଟ ବ୍ୟବସ୍ଥା ମଧ୍ୟରୁ ୭୫ ହଜାର ୬୨୩ କୋଟି ଟଙ୍କା ଅର୍ଥାତ ୨୮.୫ ପ୍ରତିଶତ କେବଳ ରାଜ୍ୟର ମହିଳା ମାନଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ସ୍ଥିର କରିଛନ୍ତି । ସେହିପରି ଓଡ଼ିଶାର ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଲୋଗୁ ହୋଇଛି । ଯାହାକି ମହିଳାଙ୍କୁ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ପାଣ୍ଠି ଯୋଗାଇଦେଉଛି ।