ଗ୍ରାମବାସୀଙ୍କ ସଜାଗ ସତ୍ତ୍ୱେ ମାତିଛନ୍ତି କାଠ ମାଫିଆ

ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଏହି ବାକ୍ୟକୁ ବୁଝିଛନ୍ତୁ ଦୁର୍ଗମ ବାସୀ,ସକାଳ ହେଲେ ଜୀବନ ଜୀବିକା ଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଜଙ୍ଗଲ ସୁରକ୍ଷା ପାଇଁ। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ମଲଚାମାଲ ଗାଁ। ଗାଁରେ 2009 ମସିହାରେ ଗଠନ ହୋଇଥିଲା ବନ ସୁରକ୍ଷା କମିଟି। ସେବେ ଠାରୁ ଜଙ୍ଗଲକୁ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଏମାନେ,ପ୍ରତି ଦିନ ପାଳି କରି ଗ୍ରାମର 5 ରୁ 10 ଗ୍ରାମବାସୀ ଆସି ଜଙ୍ଗଲ ଜଗନ୍ତି,ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ କାଠ ମାଫିଆ କବଳରୁ ମଧ୍ୟ ରକ୍ଷା କରିଆସୁଛନ୍ତି।
ମାତ୍ର କିଛି ବର୍ଷ ହେଲା ଜଙ୍ଗଲରେ ବଢ଼ିବାରେ ଲାଗିଛି ଗଛ କଟା l କିଭଳି କଟା ଯାଇଛି ଗଛ, ଗଛକୁ ଟାଙ୍ଗିଆଁ କିମ୍ବା ଧାରୁଆ ଅସ୍ତ୍ରରେ ଗଛର ମୂଳ ଅଂଶକୁ ପ୍ରଥମେ ଆଘାତ କରାଯାଇଛି ଫଳରେ କିଛି ଦିନ ପରେ ଗଛଟି ଆପେଆପେ ସୁଖି ଯାଇ ଟଳି ପଡିବ। ତା ପରେ ସେହି ଗଛକୁ ଚୋରି କରି ନେଇ ଯାଆନ୍ତି କାଠ ମାଫିଆ ମାନେ,ଦୁଇ ବର୍ଷରୁ ଉର୍ଦ୍ଧ ସମୟ ହେବ ଜଙ୍ଗଲ ମାଫିଆଙ୍କ ଦ୍ୱାରା ବିଭିନ୍ନ ଗଛ କଟା ହୋଇ ଜଙ୍ଗଲ ସଫା ହୋଇ ସାରିଲାଣି,ଆଉ କିଛି ଲୋକ ଜଙ୍ଗଲ ଜମିରେ ଚାଷ କରିବା ପାଇଁ ଜଙ୍ଗଲ ଜମିକୁ ସଫା କରି ଦେଉଛନ୍ତି। ଏ ନେଇ କୋଟପାଡ଼ ବନାଞ୍ଚଳ ଅଧିକାରି,କୋଟପାଡ଼ ତହସିଲ ବିଭାଗକୁ ମଧ୍ୟ ସମସ୍ୟା ଜଣାଇ ଆସୁଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l
ଗଛ କଟାକୁ ବିରୋଧ କରି ଗଛ କଟାକୁ ବନ୍ଦ କରିବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବହୁ ବାର ଲିଖିତ ଭାବରେ ଦାବି ଜଣାଇଥିଲେ ସୁଦ୍ଧା ପ୍ରଶାସନର ପଦକ୍ଷେପ ଧୂଆଁବାଣ ସଦୃଶ୍ୟ ବୋଲି ଅଭିଯୋଗ କରିଛନ୍ତି ବନ ସୁରକ୍ଷା ସମିତି ମଲଚାମାଲର ସଦସ୍ୟ ମାନେ । ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ମଲଚାମାଲ ଜଙ୍ଗଲ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି l