ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ ଚିଟ ପରେ ମୁଖର କର୍ମୀ ଓ ନେତା

Key Points
- ବର୍ତ୍ତମାନ ଦଳ ଭିତରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି କହି ତେରଛା ବାଣ ମାରିଲେ ଅରୁଣ
- ସମ୍ବିତ କହିଲେ ଦଳ ଭିତରେ ସୃଷ୍ଟି କରାଯାଇଛି ଅବିଶ୍ଵାସର ବାତାବରଣ
- ରହିଥିବା ମୂଷା ସହଜେ ମରିବନି ତେଣୁ ତାକୁ ଅଣ ନିଶ୍ୱାସୀ କରିକି ମାରିବାକୁ ହେବ
- ବରିଷ୍ଠ ସାମ୍ବାଦିକ କହିଥିଲେ କ୍ଷମତା ରୁ ଯିବା ପରେ ଭାଙ୍ଗିଯିବ ବିଜେଡି
ୱାକଫ ପ୍ରସଙ୍ଗରେ ନବୀନଙ୍କ ନୀରବତାକୁ ନେଇ ସମୟ ଗଡ଼ୁଛି ବିଜେଡିରେ କନ୍ଦଳ ବଢ଼ୁଛ । ପାଣ୍ଡିଆନଙ୍କୁ ନବୀନ ଙ୍କ କ୍ଲିନ ଚିଟ ପରେ ବିଜେଡିରେ ବନ୍ଦ ହୋଇଛି ମେଳି କିନ୍ତୁ ବନ୍ଦ ହେଉନି ବୟାନ ବାଜି । ଦଳର ବରିଷ୍ଠ ନେତା ନବୀନଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ପୂର୍ବତନ ବିଜେଡି ନେତା ବି ମନଭରି ବର୍ଷିଛନ୍ତି । ଦଳର ପୂର୍ବତନ ନେତା ତଥା ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ପାଟଶାଣୀ କହିଛନ୍ତି ନବୀନ ବାବୁ ଏତେ ତଳ ସ୍ତରକୁ ଚାଲିଯିବେ ମୁଁ କେବେ ଆଶା କରି ନଥିଲି । ମୁଁ ସେବେ ବି କହି ଥିଲି ଏବେ ବି କହୁଛି ନବୀନ ବାବୁ ତୁମେ ପାଣ୍ଡିଆନ ପାଣ୍ଡିଆନ କାହିଁକି ହେଉଛ । ଆହୁରି କହିଛନ୍ତି ରକ୍ଷା ହେଇଛି ନବୀନ ପଟ୍ଟନାୟକ ବଞ୍ଚି ଯାଇଛନ୍ତି । ଜୟ ଲଳିତା ଙ୍କୁ ଯେଉଁ ଭଳି ରାଜନୈତିକ ହତ୍ୟା କରାଯାଇଥିଲା ନବୀନ ପଟ୍ଟନାୟକଙ୍କୁ ବି ସେଇଭଳି କରାଯାଉଥିଲା । ଏପରିକି ରାତି ଅଧରେ ଜଗନ୍ନାଥ ମନ୍ଦିର ଯାଇ ପାଣ୍ଡିଆନ ପୂଜା ବିଧି ବନ୍ଦ କରି କଣ କରୁଥିଲେ ବୋଲି ବି କରିଛନ୍ତି ପ୍ରଶ୍ନ । ଯାହାର ଜବାବ ରଖିଛି ବିଜେଡି ।
ସେପଟେ ବର୍ତ୍ତମାନ ଦଳ ଭିତରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି କହି ତେରଛା ବାଣ ମାରିଛନ୍ତି ବିଧାୟକ ଅରୁଣ ସାହୁ । କହିଛନ୍ତି ରାସ୍ତାରେ ଯିବା ବେଳେ ଛୋଟ ଭୁଲ ଭାଲ ହୁଏ କିନ୍ତୁ ତାକୁ ସୁଧାରିବାର ଆବଶ୍ୟକ ରହିଛି । ସେହିପରି ଯୁବ ନେତା ସମ୍ବିତ ରାଉତରାୟ କହିଛନ୍ତି ଦଳ ଭିତରେ ସୃଷ୍ଟି କରାଯାଇଛି ଅବିଶ୍ଵାସର ବାତାବରଣ । କର୍ମୀ ଙ୍କ ମନ ରେ ଯାହା ଅଛି ନବୀନ ଖୁବଶୀଘ୍ର ଯବନିକା ପକେଇବେ ବୋଲି ଆଶା ଅଛି । ଅନ୍ୟପଟେ ବିଜେଡି ନିଆଁରେ ଘିଅ ଢାଳିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ତାସ ଘର ଭଳି ଭାଙ୍ଗିଯିବ ବିଜେଡି । ବିଜେଡିର ବହୁତ ନେତା ବିଜେପିର ଯୋଗାଯୋଗ ରେ ଅଛନ୍ତି । ଯେଉଁ ଦିନ ସିଗନାଲ ମିଳିବ ସେଦିନ ବିଜେଡି ଭାଙ୍ଗିଯିବ ।
ବିଜେଡି ଇତିହାସରେ କେବେ ବି କେହି ନବୀନଙ୍କୁ ଚ୍ୟାଲେଞ୍ଜ କରି ନଥିଲେ ଦଳୀୟ ନେତା । କିନ୍ତୁ ଧୃତରାଷ୍ଟ୍ର ଙ୍କ ଯୁଧିଷ୍ଠିର ପ୍ରେମ ଭଳି ନବୀନ ଙ୍କ ମାତ୍ରାଧିକ ପାଣ୍ଡିଆନ ପ୍ରୀତି ପାଇଁ ଓପନ ଚ୍ୟାଲେଞ୍ଜ କରିବା ସହ ନବୀନଙ୍କୁ ମିଥ୍ୟାବାଦୀ ବୋଲି କହିଲେ ଖୋଦ ବିଜେଡ଼ି ନେତା । ତେଣୁ ଆଗକୁ ବିଜେଡି କନ୍ଦଳ କେଉଁ ରୂପ ନେଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।