ଆଜି ଛେନାପୋଡ ଦିବସ: ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

ପ୍ରତ୍ୟେକଟି ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ । କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ଛେନାପୋଡ... ଖାଇବାକୁ କାହାକୁ ବା ଭଲ ନ ଲାଗେ । ଛେନାପୋଡକୁ ଦେଖିଦେଲେ ପାଟିକୁ ପାଣି ଆସିଯାଏ । ଥରେ ଯିଏ ଏହାର ସ୍ୱାଦ ପାଇଛି ଆଉ ଥରେ ଖାଇବାକୁ ମନ ବଳାଇଛି ନିଶ୍ଚୟ । ପିଠା ହେଉ ହେଉ ହୋଇଯାଇଥିବା ଛେନାପୋଡ କଥା ଆସିଲେ ସମସ୍ତେ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ ଖାଲି ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ ହୋଇଛି । ଓଡିଶାର ଏକ ସ୍ବତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ଛେନାପୋଡ ଏକ ଏପରି ମିଠା ଯାହାକୁ ଯେତେ ପୋଡିଲେ ତାର ସ୍ବାଦ ସେତେ ବଢିଥାଏ । ବିଶ୍ବ ଦରବାରରେ ଏହି ମିଠା ସ୍ବତନ୍ତ୍ର ପରିଚୟ ହାସଲ କରିଛି ।
ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ଆଜି ପାଳନ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ନୟାଗଡ଼ର ଛେନାପୋଡ଼ ଶ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧କୁ ପାଳନ ଅବସରରେ ଛେନାପୋଡ଼ ଦିବସ ପାଳନ ହେଉଛି । ତେବେ ରାଜ୍ୟ ତମାମ ଏହି ଦିବସକୁ ପାଳନ କରିବା ପାଇଁ ମଞ୍ଚ ପକ୍ଷରୁ ପ୍ରୟାସ କରାଯାଇଛି ।
ଛେନାପୋଡର ସୃଷ୍ଟି: ନୟାଗଡ ମାଟିରୁ ଜନ୍ମ ନେଇଛି ଛେନାପୋଡ । ପ୍ରତ୍ୟେକ ନୟାଗଡିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ହୋଇଛି । ଛେନାପୋଡର ସ୍ରଷ୍ଟା ହେଉଛନ୍ତି ସୁଦର୍ଶନ ସାହୁ । 1945 ମସିହାରେ ନୟାଗଡ ଦଶପଲ୍ଲାରେ ସୁଦର୍ଶନ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଏକଦା ତାଙ୍କ ହୋଟେଲରେ କିଛି ଛେନା ବଳି ଥିଲା । ତାହା ସକାଳକୁ ଖରାପ ହୋଇଯିବ କଣ କରିବେ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା । ପ୍ରଥମେ ତାହା ଛେନାପୋଡ ପିଠା ହୋଇଥିଲା । ପରେ ପିଠାରୁ ମିଠା ପାଲଟିଥିଲା ଛେନାପୋଡ । କମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା । ନୟାଗଡରୁ ବିଭିନ୍ନ ଜିଲ୍ଲାକୁ ଛେନାପୋଡ ପଠାଯାଇଥିଲା । ପରେ ଅନ୍ୟ ଜିଲ୍ଲାରେ ଏହା ବିକ୍ରି ହୋଇଥିଲା । ମାତ୍ର ଛେନାପୋଡରେ ଏନ୍ତୁଡିଶାଳ ନୟାଗଡ ରହିଛି ।
ଛେନାପୋଡ ପ୍ରସ୍ତୁତି: ପ୍ରଥମେ ଛେନା ସଂଗ୍ରହ କରାଯାଏ । ଛେନାରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ, ଗୁଜୁରାତି ଇତ୍ୟାଦି ମିଶାଯାଏ । ଏହାପରେ ଏକ ରସ ପାତ୍ରରେ ତାହାକୁ ରଖାଯାଏ । ତାହାକୁ କଡା ନିଆଁ ଆଞ୍ଚରେ ବସାଯାଇ ପୋଡାଯାଏ । ଏହାପରେ ପ୍ରସ୍ତୁତ ହୋଇଯାଏ ସୁଆଦିଆ ଛେନାପୋଡ । ଛେନାପୋଡର ମାନକୁ ଦେଖି ତାର ଦରଦାମ ରହିଛି । କିଲୋ ପିଛା 100ରୁ 250 ଟଙ୍କା ଯାଏ ଛେନାପୋଡ ବିକ୍ରି କରାଯାଏ । ଏହି ପ୍ରସିଦ୍ଧ ଛେନାପୋଡ ଅନେକଙ୍କ ବ୍ୟବସାୟର ମାଧ୍ୟମ ପାଲଟିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: