ଆଜି ବିଶ୍ବ ହସ୍ତୀ ଦିବସ: ହସ୍ତୀଙ୍କ ସୁରକ୍ଷା ନେଇ ବଢୁଛି ଚିନ୍ତା

Key Points
ସବୁଠାରୁ ବଡ଼ ସ୍ଥଳଚର ଜୀବକୁ ନେଇ ଜନସଚେତନତା ସୃଷ୍ଟି କରିବା
ହାତୀଙ୍କ ସୁରକ୍ଷା ତଥା ସଂରକ୍ଷଣ ଉଦ୍ଦେଶ୍ୟରେ ୨୦୧୨ରୁ ହେଉଛି ପାଳନ ହସ୍ତୀ ଦିବସ
ଓଡ଼ିଶାରେ ଏବେ ଗଜରାଜଙ୍କ ସଂଖ୍ୟା ୨୧୦୩
ଜଙ୍ଗଲ ଭିତରେ ମଣିଷର ଅନୁପ୍ରବେଶ ଫଳରେ ଦିନକୁ ଦିନ ବଢୁଛି ହାତୀ-ମଣିଷ ସଂଘର୍ଷ
ବିଶ୍ବ ହସ୍ତୀ ଦିବସ.. ସବୁଠାରୁ ବଡ ସ୍ଥଳଚର ଜୀବ କୁହାଯାଉଥିବା ହାତୀଙ୍କୁ ନେଇ ଜନସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ । ୨୦୧୨ ଅଗଷ୍ଟ ୧୨ ତାରିଖରେ କାନାଡାର ପାଟ୍ରିସିଆ ସିମ୍ସ ଓ ଥାଇଲାଣ୍ଡର ଏଲିଫାଣ୍ଟ୍ ରିଇଣ୍ଟ୍ରଡକ୍ସନ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ହସ୍ତୀ ଦିବସ ପାଳନର ପରିକଳ୍ପନା କରାଯାଇଥିଲା । ତେବେ ସମ୍ପ୍ରତି ସ୍ଥିତିରେ ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟା ସାମ୍ନାକୁ ଆସୁଛି
ଏଥିପାଇଁ ଜଙ୍ଗଲ ଛାଡି ହାତୀ ଏବେ ଜନବସତି ମୁହାଁ । ଏହାଦ୍ବାରା ହାତୀ ମଣିଷ ଲଢେଇ ଚିତ୍ର ସାମ୍ନାକୁ ଆସୁଥିବା ବେଳେ କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ ମଣିଷ ମୃତ୍ୟୁ ଖବର ଶୁଣିବାକୁ ମିଳିଛି । ଗତ ୫ ବର୍ଷ ମଧ୍ୟରେ ହାତୀ ମଣିଷ ଲଢେଇରେ ୬୨୪ ଲୋକଙ୍କ ଜୀବନ ଯାଇଛି । ସେହିପରି ଶିକାର, ଟ୍ରେନ ଧକ୍କା ଓ ହରପିସ ଭଳି ରୋଗ ଯୋଗୁଁ ଗତ ୧୦ ବର୍ଷ ରେ ୭୭୯ ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ତେବେ ହାତୀ ମଣିଷ ଲଢେଇ ରୋକିବାକୁ ଜଙ୍ଗଲରେ ଧାନ ଚାଷ କରିବା ପାଇଁ ବନ ବିଭାଗ କୁ DFO ସମ୍ମିଳନୀରେ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ପୂର୍ବ ଅପେକ୍ଷା ହାତୀ ସଂଖ୍ୟାରେ ଅନେକ ବୃଦ୍ଧି ଘଟିଛି । ୨୦୨୪ ହାତୀ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟର ୮ଟି ବନମଣ୍ଡଳର ୩୮ଟି ବନଖଣ୍ଡରେ ୨୦୯୮ଟି ହାତୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୪୭୪ ଟି ଦନ୍ତାହାତୀ,୧୦୩୦ଟି ମାଇହାତୀ ଓ ୫୯୪ଟି ଯୁବ ଓ ଛୁଆ ହାତୀ ରହିଛନ୍ତି । ଅନୁଗୁଳ ବନମଣ୍ଡଳରେ ସର୍ବାଧିକ ୭୭୯ଟି ହାତୀ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ବାରିପଦା ବନମଣ୍ଡଳରେ ୪୩୧ଟି ହାତୀ ରହିଛନ୍ତି । ଜଙ୍ଗଲରେ ହାତୀଙ୍କର ବାସସ୍ଥାନ ଓ ଖାଦ୍ୟ ନଷ୍ଟ ହେବା କାରଣରୁ ଜନବସତି ମୁହାଁ ହେଉଛନ୍ତି ହାତୀ । ଏଥିପାଇଁ ଜଙ୍ଗଲରେ ବ୍ୟାପକ ବାଉଁଶ ଗଛ ସହ ହାତୀ ଭଲ ପାଉଥିବା ଖାଦ୍ୟ ଉପଯୋଗୀ ଚାରା ରୋପଣ ଉପରେ ଧ୍ୟାନ ଦେବାକୁ ସରକାର ଅଣ୍ଟାଭିଡିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି ।
ହାତୀ ଆମର ପୂର୍ବପୁରୁଷଙ୍କ ସାଥୀ ଥିଲେ, କିନ୍ତୁ ଆଜି ସେମାନେ ଆମର ଶତ୍ରୁ ହୋଇଗଲେଣି। ତେବେ ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ପାଇଁ ହାତୀ ବଞ୍ଚିବା ଏକାନ୍ତ ଆବଶ୍ୟକ ମଧ୍ୟ ରହିଛି। ତେଣୁ "ବିଶ୍ବ ହସ୍ତୀ ଦିବସ" ଅବସରରେ ହାତୀ ମଣିଷ ସହାବସ୍ଥାନ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇପଡିଛି ।