ଭୁବନେଶ୍ୱରରେ ବିଶ୍ୱ ଐତିହ୍ୟ ଦିବସ ପାଇଁ ପଦଯାତ୍ରା

ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ବିଶ୍ୱ ଐତିହ୍ୟ ଦିବସ ପାଇଁ ପଦଯାତ୍ରା । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଐତିହ୍ୟ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଭୁବନେଶ୍ୱର ବିନ୍ଦୁସାଗର ଉତ୍ତର ଘାଟରୁ ନେଇ ଏହି ପଦଯାତ୍ରା ମୁକ୍ତେଶ୍ଵର ମନ୍ଦିର ଯାଏ ରହିଥିଲା । ଭୁବନେଶ୍ୱରର ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ଭୁବନେଶ୍ୱରର ଅତି ପୁରୁଖା ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।
ଭୁବନେଶ୍ୱର ଏବଂ ଓଡ଼ିଶାର ଐତିହ୍ୟ ଜାଣିବା ପାଇଁ ଲୋକଙ୍କୁ ଜଣାଇବା ପାଇଁ ଏହି ପ୍ରୟାସ ବହୁ ବର୍ଷରୁ କରାଯାଉଛି ବୋଲି କହିଛନ୍ତି ଐତିହ୍ୟ ଭୁବନେଶ୍ୱରର ଉପଦେଷ୍ଟା ଅଦ୍ଵୈତ କୁମାର ପାତ୍ର । ସେ ଆହୁରି ବି କହିଛନ୍ତି ଓଡ଼ିଶାର ଇତିହାସ, ଐତିହ୍ୟକୁ ଜାଣିବା ପାଇଁ ଲୋକଙ୍କ ଆଗ୍ରହ ବଢାଇବାକୁ ହେବ । ଓଡ଼ିଆ ଲୋକେ ଓଡ଼ିଶାର ଇତିହାସକୁ ଜାଣିଲେ ହିଁ ପରପିଢ଼ି ମଧ୍ୟ ଅତୀତକୁ ନେଇ ଗର୍ବ କରିପାରିବ । ଆମ ଇତିହାସ ଅନେକ ବିର ପୁରୁଷଙ୍କ ବଳିଦାନ, ତ୍ୟାଗର ମିଠା ସ୍ୱାଦ। ଯାହାକୁ ଏବେକାର ପିଢ଼ି ଅନୁଭବ କରିବା ଆବଶ୍ୟକ ।