Nuapada By Election / ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ନବୀନ ଯିବାଟା ଠିକ୍ ହେବ ତ ?

Key Points
ନୂଆପଡ଼ା ଉପ ନିର୍ବାଚନ ପ୍ରଚାର ମଇଦାନକୁ ଖୁବଶୀଘ୍ର ଓହ୍ଲାଇବେ ନବୀନ ।
ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନରେ ନବୀନଙ୍କୁ ଓହ୍ଲାଇବା ନେଇ ବିଜେଡି ଭିତରେ ପ୍ରବଳ ବିବାଦ । କିଛି ନେତା ଏହାକୁ ଗ୍ରହଣ କରୁଥିବା ବେଳେ ଆଉ ମଙ୍ଗୁଆଳ ସାଜିଥିବା ନେତା ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେଣୁ ଏବେ ସାଧାରଣରେ ଚର୍ଚ୍ଚା ହେଲାଣି ନୂଆପଡ଼ା ବ୍ୟାଟେଲରେ ନବୀନଙ୍କୁ ବାଜିରେ ଲଗାଇଛି ବିଜେଡି ।
ଆରମ୍ଭରୁ ଆତ୍ମସମର୍ପଣ କରିଥିବା ବିଜେଡି ପାଇଁ ଲୋକପ୍ରିୟତାର ପରୀକ୍ଷା ଦେବେ ନବୀନ । ନୂଆପଡ଼ା ଉପ ନିର୍ବାଚନ ପ୍ରଚାର ମଇଦାନକୁ ଖୁବଶୀଘ୍ର ଓହ୍ଲାଇବେ ନବୀନ । ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଲୋକେ ଗ୍ରହଣ କରୁନଥିବା ଓ ସ୍ଥାନୀୟ ନେତା ଦଳ ଛାଡୁ ଥିବାରୁ ନୂଆପଡ଼ାରେ ଦୁଇ ଦିନ ନବୀନଙ୍କ ଦ୍ଵାରା ପ୍ରଚାର କରାଇବା ଲାଗି ଯୋଜନା କରିଛି ବିଜେଡି ।
ସେପଟେ ନୂଆପଡ଼ା ପ୍ରଚାର ମଇଦାନକୁ ନବୀନଙ୍କୁ ଓହ୍ଲାଇବା ପ୍ରସଙ୍ଗକୁ ନେଇ ଦଳ ଭିତରେ ମତାନ୍ତର ସୃଷ୍ଟି ହୋଇଥିବା ଚର୍ଚ୍ଚା। ନବୀନଙ୍କ ପ୍ରଚାର ସପକ୍ଷରେ କିଛି ନେତା ଯୁକ୍ତି ବାଢୁଥିବା ବେଳେ ଆଉ କିଛି ନେତା ଚାହୁଁ ନାହାନ୍ତି ନୂଆପଡ଼ା ନିର୍ବାଚନ ପ୍ରଚାରକୁ ନବୀନ ଓହ୍ଲାନ୍ତୁ ବୋଲି । ନୂଆପଡା ନିର୍ବାଚନ ଫଳାଫଳ ନବୀନଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ଯୁକ୍ତି ବାଢୁଛନ୍ତି କିଛି ନେତା ।
ଅନ୍ୟପଟେ ସାରା ରାଜ୍ୟରେ ଏବେ ନୂଆପଡ଼ା ତାତି ଦେଖିବାକୁ ମିଳିଛି । ଗଳିକନ୍ଦିରେ ରାଜନୀତି ଚର୍ଚ୍ଚା । ତିନି ପ୍ରମୁଖ ଦଳ ଏହି ସିଟ୍ ହାତେଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଦେଖିବାକୁ ମିଳିଛି ବିଜେଡି ସବୁଠୁ ପଛରେ ପଡ଼ିଛି । ଯେଉଁ ଦଳ ଏଠି ଦୀର୍ଘ ଦିନ ଧରି ସତ୍ତାରେ ରହିଥିଲା, ଏବେ ସେହି ଦଳ ମାଟି କାମୁଡ଼ି ପଡ଼ିଛି । ମାତ୍ର ଦେଢ଼ ବର୍ଷ ହେବ ବିଜେଡି ସତ୍ତାରୁ ଯିବା ପରେ ଧରାଶାୟୀ ହୋଇପଡ଼ିଛି । ବିଜେଡିର ଅନେକ ନେତା ଓ କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମାନିବାକୁ ବି ରାଜି ନୁହନ୍ତି ଦଳୀୟ ନେତା । କର୍ମୀ ଓ ନେତା ଖୋଲାଖୋଲି ଭାବେ ଦଳର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । କେହି କାହା କଥା ଶୁଣିବା ପରିସ୍ଥିତିରେ ନାହାନ୍ତି । ତେବେ ବିଜେଡିର ଏଭଳି ଆଚରଣ ଓ ପରିସ୍ଥିତି ଦେଖି, ରାଜନୀତି ବିଶେଷଜ୍ଞମାନେ କହିଲେଣି ଏହି ଦଳ ଖୁବ୍ଶୀଘ୍ର ୩ ନମ୍ବର ସ୍ଥାନକୁ ଖସିବାର ସମ୍ଭାବନା ରହିଛି । ତେଣୁ ବେଳ ଥାଉ ଥାଉ ନବୀନ ପଟ୍ଟନାୟକ ବନ୍ଧ ବାନ୍ଧିବାକୁ ପଡ଼ିବ ।
ଏପଟେ ନୂଆ ଭୋଟ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ମୁଖ୍ୟମନ୍ତ୍ରୀ ମୋହନମାଝି ନୂଆପଡ଼ା ଗସ୍ତରେ ଯାଇ ଏକ ବଡ଼ ସମାବେଶ କରିଛନ୍ତି । ସେଥିରେ ବିଜେପି ଶିବିର ଫୁଲ ଦମ୍ରେ ଆକ୍ଟିଭ ହୋଇଯାଇଛି । ପ୍ରଚାର ପସାରରେ ପାଇଁ ଏବେ ପୁରା ଦମ୍ ଲଗାଇ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।
ସେପଟେ ଶନିବାର କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ଉଭୟ ନିଜ ନିଜର ବିରାଟ ପଟୁଆର ଧରି ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଆସିବେ । ହେଲେ ଏପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦେଖିଲେ ଲାଗୁଛି ଯେମିତି ସେ ପ୍ରଚାର ପ୍ରସାରରେ ବହୁ ପଛରେ ପଡ଼ିଯାଇଛନ୍ତି । କାରଣ ବିଜେଡି ପ୍ରାର୍ଥୀ ନା ଏପର୍ଯ୍ୟନ୍ତ ରଣାଙ୍ଗନକୁ ଓହ୍ଲାଇଛନ୍ତି ନା ପ୍ରଚାର ଆରମ୍ଭ କରିଛନ୍ତି । ତଥାପି ସେ ଜିତିବେ ବୋଲି ଫୁଲ କନଫିଡେଣ୍ଡ ଅଛନ୍ତି ।
📱 Get Argus News App
✨Related Topics
Explore more stories