ରଣକ୍ଷେତ୍ର ପାଲଟିଲା ଗଣତନ୍ତ୍ରର ମନ୍ଦିର

Key Points
ବିଧାନସଭାରେ ସୀମା ଲଂଘିଲେ ବିରୋଧୀ
ଲଜ୍ଜିତ କରିବା ଭଳି ବିଶୃଙ୍ଖଳାର ଚରମ ଚିତ୍ର
ପ୍ରଶ୍ନର ଉତ୍ତର ଦେଉଥିବା ମନ୍ତ୍ରୀଙ୍କ ଉପରେ ଆକ୍ରମଣ
ରଣକ୍ଷେତ୍ର ପାଲଟିଲା ଗଣତନ୍ତ୍ରର ମନ୍ଦିର
ମହିଳା ସମ୍ମାନର କଥା କହି ମହିଳା ବାଚସ୍ପତିଙ୍କ ପ୍ରତି ଦୁର୍ବ୍ୟବହାର
ଗତକାଲି ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବା ସହ ତାଙ୍କ ଉପରକୁ ଫିଙ୍ଗିଥିଲେ ବ୍ୟାନର ଓ ପୋଷ୍ଟର
ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ରାଜ୍ୟ ବିଧାନସଭାରୁ ଆଜି ଆସିଥିବା ଏହା ଯେତିକି ଲଜ୍ଜାଜନକ, ଏ ଆଇନ ନିର୍ମାତାମାନଙ୍କଠାରୁ ନ୍ୟାୟର ଆଶା ରଖୁଥିବା ରାଜ୍ୟବାସୀଙ୍କ ପାଇଁ ସେତିକି ଚିନ୍ତାଜନକ। ବିରୋଧ ପ୍ରଦର୍ଶନ କରିବା ନାଁରେ ବିରୋଧୀ ଦଳ ଆଜି ଟିପିଗଲେ ସବୁ ସୀମା, ଲଂଘିଗଲେ ଶୃଙ୍ଖଳାର ଲକ୍ଷ୍ମଣରେଖା। ପ୍ରଥମେ ଉଚ୍ଚ ବାଚ, ତାପରେ ଧସ୍ତା ଧସ୍ତି ଆଉ ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର।
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ମଧ୍ୟ ଭାଗରେ ନାରା ବାଜି କରୁଥିଲେ । ତା ଭିତରେ ବି ଚାଲିଥିଲା ପ୍ରଶ୍ନକାଳ । ଉତ୍ତର ରଖୁଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ଅନ୍ୟ ବିଧାୟକ ମନ୍ତ୍ରୀଙ୍କ ପାଖକୁ ଯାଇ ମାଇକ୍ ବନ୍ଦ କରିବାକୁ ଉଦ୍ୟମ କଲେ । ଏମିତି ନ କରିବାକୁ ମନ୍ତ୍ରୀ ହାତ ଯୋଡ଼ି ନିବେଦନ କଲେ । ତଥାପି ପଛକୁ ହଟିଲେନି କଂଗ୍ରସ ସଦସ୍ୟ। ସାମ୍ନାକୁ ଆସିଲେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ । ମୁହାଁମୁହିଁ ହେଲେ। ଆଉ ତା ପରେ ଯାହା ଘଟିଲା ତାହା ଓଡ଼ିଶା ବିଧାନସଭା ଇତିହାସରେ ସୃଷ୍ଟି କଲା କଳଙ୍କିତ ଅଧ୍ୟାୟ । ହାତା ହାତି ଯାଏଁ ବି ପହଞ୍ଚିଗଲା କଥା।
ଏତିକି ନୁହେଁ ବାଚସ୍ପତିଙ୍କ ପୋଡ଼ିୟମକୁ ଉପରକୁ ଚଢ଼ିବାକୁ ଉଦ୍ୟମ କଲେ ତାରା ପ୍ରସାଦ ବାହିନୀପତି। ଗତକାଲି ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ ପୋଷ୍ଟର ଓ ବ୍ୟାନର। ମହିଳା ସମ୍ମାନର କଥା କହୁଥିବା ବିରୋଧୀ ଦଳ ଜଣେ ମହିଳା ବାଚସ୍ପତିଙ୍କୁ ଏମିତି ଦୁର୍ବ୍ୟବହାର କରିବାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେପି।
ବିଧାନସଭା ଭିତରୁ ବାହାରି ଗାନ୍ଧି ମୂର୍ତ୍ତି ତଳେ ପ୍ରତିବାଦ କଲେ କଂଗ୍ରେସ ବିଧାୟକ। ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ବନ୍ଦେ ଉତ୍କଳ ଜନନୀ ଗାନ କରି ପ୍ରତିବାଦ କଲେ ବିଜେଡି ସଦସ୍ୟ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସାମ୍ନାରେ ଲଣ୍ଠନ ଧରି ପ୍ରତିବାଦ କରିବା ସହ ସମସ୍ତ ମନ୍ତ୍ରୀଙ୍କ ଚାମ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଲଣ୍ଠନ ଧରି ଖୋଜିଲେ ବିଜେଡି ସଦସ୍ୟ ।
ଗଣତନ୍ତ୍ରରେ ଭିନ୍ନ ମତ, ଆରୋପ ପ୍ରତ୍ୟାରୋପ, ବିବାଦ, ବିରୋଧ, ବାକ୍ ଯୁଦ୍ଧ କିଛି ନୂଆ କଥା ନୁହେଁ। କିନ୍ତୁ ବିରୋଧୀ ବିରୋଧ ପ୍ରଦର୍ଶନ ନାଁରେ ଯେଉଁଭଳି ଆଚରଣ ଓ ବ୍ୟବହାର କରିଛନ୍ତି ତାକୁ ଦେଖି ଲଜ୍ଜିତ ହୋଇଛନ୍ତି ରାଜ୍ୟବାସୀ।