ଶେଷହେଲା ଶ୍ରୀକ୍ଷେତ୍ରର ବାହାର ଚନ୍ଦନ ଯାତ୍ରା

Key Points
ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ,...
ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ.....
ଅର୍ଥାତ ଚାପରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି। ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା । ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରାର ଗତକାଲି ଥିଲା ଅନ୍ତିମ ପର୍ବ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚୁପାଣ୍ଡବ ପାଲିଙ୍କି ଓ ବିମାନରେ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ଘେରା ଜଳକ୍ରୀଡ଼ା କରିଥାନ୍ତି।
ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ସମଗ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ। ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଭକ୍ତଙ୍କ ଗହଳି ଲାଗିଥିଲା । ସିଂହଦ୍ୱାର ଠାରୁ ବଡ଼ଦାଣ୍ଡ, ମାର୍କେଟଛକ ଓ ନରେନ୍ଦ୍ର ପୁଷ୍କରିଣୀ ସମେତ ବିଭିନ୍ନ ପ୍ରବେଶ ପଥରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା । ଚନ୍ଦନ ଚକଡ଼ାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁସଜ୍ଜିତ କରାଯାଇଥିଲା । ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ପର୍ଯ୍ୟନ୍ତ ଜଳକ୍ରୀଡ଼ା କରିଥିଲେ।
ଆଜି ମହାପ୍ରଭୁଙ୍କ କୌଣସି ଜଳକ୍ରୀଡ଼ା ହେବନାହିଁ। କେବଳ ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଏହାପରେ ପୁନଶ୍ଚ ୨୧ ଦିନ ବ୍ୟାପି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ।