ବୋର୍ଡରେ ଓଡ଼ିଆ ଲେଖିବାକୁ ବାଧ୍ୟ, ନହେଲେ ଦଣ୍ଡ ପାଇବ !

ସରକାରୀ ଦପ୍ତର ହେଉ କି ବ୍ୟାବସାୟିକ ପ୍ରତିଷ୍ଠାନ, ଓଡ଼ିଆରେ ଫଳକ ଲେଖିବା ବାଧ୍ୟତାମୂଳକ । ଆଜିଠାରୁ ଆରମ୍ଭ ହେଲା ଯାଞ୍ଚ ଅଭିଯାନ। ଖାଉଟି କଲ୍ୟାଣ ମନ୍ତ୍ରୀ କହିଲେ, ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଓଡ଼ିଆ ପକ୍ଷ ପାଳନ ଅବସରରେ ସାରା ରାଜ୍ୟରେ କରାଗଲା ସଚେତନତା ପଦଯାତ୍ରା ।
ଉଦ୍ରେକ ହୋଇଛି ଓଡ଼ିଆ ଭାଷା ପ୍ରୀତି । ଅସ୍ତ ହୋଇଛି କଳଙ୍କିତ ଯୁଗ । ଅସ୍ମିତାର ବାସ୍ନାରେ ବିଭୋର ଉତ୍କଳ ଜନନୀ । ୧୪ ଦିନ ଧରି ରାଜ୍ୟ ପାଳୁଛି ଓଡ଼ିଆ ପକ୍ଷ । ଖାଦ୍ୟଠାରୁ ବେଶ ପୋଷାକ । ସବୁଠି ଏବେ ଖାଣ୍ଟି ଓଡ଼ିଆର ଛୁଙ୍କ । ଭାଷାକୁ ବି ଦିଆଯାଉଛି ବେଶ୍ ଗୁରୁତ୍ୱ । ସରକାରୀ ଦପ୍ତର ହେଉ ବା ବ୍ୟାବସାୟିକ ପ୍ରତିଷ୍ଠାନ, ସବୁଠି ଓଡ଼ିଆରେ ସୂଚନା ବା ନାମଫଳକ ଲେଖିବା ପାଇଁ ତ ପୂର୍ବରୁ କରାଯାଇଛି ବାଧ୍ୟତାମୂଳକ। ଏବେ ଓଡ଼ିଆ ପକ୍ଷରେ ଏ ଦିଗରେ ପୁରୀ, କଟକ, ବୌଦ୍ଧ ସମେତ ବିଭିନ୍ନ ସ୍ଥାନରେ କରାଯାଇଛି ସଚେତନତା ଅଭିଯାନ । ତା' ସାଙ୍ଗକୁ ଆରମ୍ଭ ହୋଇଛି ସରକାରୀ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଅଭିଯାନ। ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଅଧିକାରୀ ବୁଲି ବୁଲି ତାଗିଦ୍ କରିବେ, ଆବଶ୍ୟକ ପଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ପୁରୀ ମ୍ୟୁନିସପାଲିଟି ସ୍ବାସ୍ଥ୍ୟ ଅଫିସରେ ଆଜି ଯାଏଁ ଲଗାଯାଇନାହିଁ ଓଡ଼ିଆ ଫଳକ। ଏହିଭଳି ଅନେକ ଅନୁଷ୍ଠାନ ଓଡ଼ିଆ ଫଳକ ଲେଖିବା ନିୟମର ଖିଲାପ କରି ଚାଲିଛନ୍ତି । ଓଏସ ଆଣ୍ଡସିଇ ଆକ୍ଟକୁ ଉଲ୍ଲଂଘନ କରୁଛନ୍ତି ହୋଟେଲ ଓ ବ୍ୟାସାୟିକ ପ୍ରତିଷ୍ଠାନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
୨୦୧୪ ମାର୍ଚ୍ଚ ୧୧ ତାରିଖରୁ ଓଡ଼ିଆକୁ ଷଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ଅଧିନିୟମ-୧୯୫୬ ମୁତାବକ ରାଜ୍ୟର ସବୁ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲଗାଯିବାକୁ ନିୟମ ରହିଛି। ୨୦୧୮ ଏପ୍ରିଲ୍ ୧ ଉତ୍କଳ ଦିବସରୁ ଏହାକୁ କଡ଼ାକଡ଼ି କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ସମେତ ଛୋଟବଡ଼ ଦୋକାନୀ ସେମାନଙ୍କ ଇଚ୍ଛାରେ ଇଂରାଜୀ, ହିନ୍ଦୀ ବା ଯେକୌଣସି ଭାଷାରେ ନାମଫଳକ ଲଗାଇ ପାରିବେ । କିନ୍ତୁ ପ୍ରଥମେ ନିର୍ଭୁଲ ଭାବେ ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ । ହେଲେ ୬ବର୍ଷ ହେଲାଣି, ଏହି ନିୟମର ଖିଲାପ ହୋଇ ଆସୁଛି ।