ଓ୍ବାକଫ୍ ବିଲକୁ ନେଇ ଦଳରେ ବିଭାଜନ; ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ ବିଦ୍ରୋହୀ ଗୋଷ୍ଠୀ

ରାଜ୍ୟସଭାରେ ବିଜେଡି ଦୁଇଫାଳ । ନବୀନଙ୍କ ଦୋ ମୁହାଁ ନିଷ୍ପତ୍ତିକୁ ନେଇ ବରିଷ୍ଠ ବିଜେଡି ନେତାଙ୍କ ବିରୋଧ । କାହିଁକି କେଉଁ ପରିସ୍ଥିତିରେ ସଂସଦୀୟ ବୋର୍ଡ ନିଷ୍ପତ୍ତି ବଦଳିଲା ବୋଲି ପ୍ରଶ୍ନ କରିଛନ୍ତି । ଶଙ୍ଖ ଭବନରେ ବିଦ୍ରୋହୀ ଗୋଷ୍ଠୀଙ୍କ ମେଳି ପରେ ନବୀନ ନିବାସ ଯାଇ ନବୀନଙ୍କୁ ପଚାରିବାକୁ ହେଲେଣି ସଜବାଜ । ସନ୍ଧ୍ୟା ୫.୩୦ରେ ନବୀନଙ୍କୁ ଭେଟିବେ ବିଦ୍ରୋହୀ ଗୋଷ୍ଠୀ । ୱାକଫ୍ ସଂଶୋଧନ ବିଲ୍ କୁ ନେଇ ବିଜେଡି ସାଂସଦଙ୍କ ଭିନ୍ନ ଭିନ୍ନ ମତ ପରେ ଶଙ୍ଖଭବନରେ କମିଟି ଆବାହକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜୁ ଜନତା ଦଳ ଉପଦେଷ୍ଟା କମିଟି ବୈଠକ । ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ଚନ୍ଦ୍ର ଶେଖର ସାହୁଙ୍କ ସମେତ ସଦସ୍ୟ ମାନେ ମିଟିଂରେ ଉପସ୍ଥିତ ଥିଲେ ।
ସେପଟେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜ୍ୟସଭା ପ୍ରସଙ୍ଗ ନେଇ ଉପଦେଷ୍ଟା କମିଟିରେ ସେମିତି କିଛି ଆଲୋଚନା ହୋଇନାହିଁ । ତାହା ଏକ ଭିନ୍ନ ପ୍ରସଙ୍ଗ । କିନ୍ତୁ ରାଜ୍ୟସଭା ପ୍ରସଙ୍ଗ ଦଳର ନୀତିଗତ ନିଷ୍ପତ୍ତି ଉପରେ ଆଡୁଆ ପରିସ୍ଥିତି ସୃଷ୍ଟି କରିଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶ ପରେ କାହିଁକି ଏମିତି ହେଲା ତାହା ଚିନ୍ତାଜନକ ବିଷୟ । କିଛି ଖେଳ ହୋଇଛି । ଯେଉଁଟା ନେଇ ଆମକୁ ଚିନ୍ତା କରିବାର ଆବଶ୍ୟକ ଅଛି । ହୁଇପ କାହିଁକି ରହିଲାନି । ସମସ୍ତେ କାହିଁକି ଗୋଟେ ଲାଇନରେ ବିରୋଧ କଲେନି । କାହିଁକି କିଛି ସପକ୍ଷରେ କିଛି ବିପକ୍ଷରେ ଦେଲେ ତାହା ବଡ଼ ସନ୍ଦେହ ଘେରରେ ରହିଛି ବୋଲି ସେ କହିଛନ୍ତି ।
📱 Get Argus News App
✨ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହୋଇଛି ୱାକଫ୍ ସଂଶୋଧନ ବିଧେୟକ । ବିଳମ୍ବିତ ରାତିଯାଏଁ ମାରାଥନ ଆଲୋଚନା ପରେ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ପଡ଼ିଲା ୧୨୮ ଭୋଟ୍, ବିପକ୍ଷରେ ୯୫ ଭୋଟ୍ ପଡିଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ହେବ ପରିଣତ । ଗତକାଲି ଦିନ ଗୋଟାଏରେ ଆରମ୍ଭ ହୋଇଥିଲା ଆଲୋଚନା । ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟର ଚର୍ଚ୍ଚା ପରେ ସଂଶୋଧନ ପ୍ରସ୍ତାବ ଉପରେ ପ୍ରଥମେ ଭୋଟିଂ ହୋଇଥିଲା। ତା ପରେ ହୋଇଥିଲା ବିଲ୍ ଉପରେ ଭୋଟିଂ। ରାଜ୍ୟସଭାରେ ସଂଖ୍ୟାବଳ ନ ଥିଲେ ବି ଲୋକସଭା ଭଳି ରାଜ୍ୟସଭାରେ ବି ବିଲ୍ କୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ। ତେବେ ସଚାର କମିଟି ରିପୋର୍ଟ ଦେଖାଇ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ସେ କହିଥିଲେ ଯେ ସଂଶୋଧିତ ୱାକଫ୍ ଆଇନ ମୁସଲମାନଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେବ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ବିରୋଧୀ ଦଳ କେବଳ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ମୁସଲିମ ସଂପ୍ରଦାୟର ସ୍ବାର୍ଥର ସୁରକ୍ଷା ସହିତ ମୁସଲିମ ମହିଳା ସଶକ୍ତିକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଲେ ଯେ ୱାକଫ୍ ସଂପତ୍ତିର ସୁପରିଚାଳନା ଲାଗି ୱାକଫ ବୋର୍ଡ ଓ ପରିଷଦରେ ଅଣ ମୁସଲିମଙ୍କୁ ସଭ୍ୟ ରଖାଯାଇଛି । ଅଧିକାଂଶ ସଭ୍ୟ ମୁସଲିମ ସଂପ୍ରଦାୟରୁ ହିଁ ରହିବେ। ସେମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରାଯିବାର ପ୍ରଶ୍ନ ଉଠୁନାହିଁ।
ୱାକଫ୍ ସଂଶୋଧନ ବିଲକୁ ଶେଷ ମୁହୂର୍ତ୍ତରେ ସମର୍ଥନ ଦେଇଛି ବିଜେଡି । ଏହାକୁ ନେଇ ବିଜେଡି ସାଂସଦଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖାଦେଇଛି । ବିଜେଡି ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଥିବାବେଳେ ସାଂସଦ ମୁନ୍ନା ଖାନ୍ ବିଲ୍ ବିପକ୍ଷରେ ଗୃହରେ ମତ ରଖିଥିଲେ । ତେବେ ନିର୍ଦ୍ଦିଷ୍ଟ ଭାବେ କେତେଜଣ ବିଜେଡି ସାଂସଦ ବିଲକୁ ସମର୍ଥନ ଦେଇଛନ୍ତି ତାହା ଦଳ ପକ୍ଷରୁ ସ୍ପଷ୍ଟ ହୋଇନାହିଁ । ତିନିଜଣ ବିଜେଡି ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଦଳ ପକ୍ଷରୁ ସାଂସଦମାନଙ୍କୁ ବିବେକାନୁମୋଦିତ ଭୋଟ୍ ଦେବାକୁ କୁହାଯାଇଥିଲା । ସେ ଓ୍ବାକଫ୍ ସଂଶୋଧନ ବିଲକୁ ସମର୍ଥନ କରିଥିବା କହିଥିଲେ । ସେପେଟ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି, ଓ୍ବାକଫ୍ ବୋର୍ଡରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ରଖାଯାଇଥିବାରୁ ମୁସଲମାନ ସମ୍ପ୍ରଦାୟ ଆପତ୍ତି ଉଠାଉଛନ୍ତି ।