ରାଜାଙ୍କ ନାଁରେ ପାଣ୍ଡିଆନଙ୍କୁ କମ୍ପ୍ଲେନ୍ ଦେଇଥିଲେ ବଦ୍ରି, ହେଲେ ନୋ ଆକ୍ସନ !

ବିଜେଡି ପାୱାର କରିଡରର ଗେହ୍ଲା ପୁଅ ଥିଲେ ରାଜା ଚକ୍ର। ରାଜାଙ୍କ କେଳେଙ୍କାରୀରେ କେନ୍ଦୁଝରର ତତ୍କାଳୀନ କଲେକ୍ଟର ଓ ଏସପି ବି ଭାଗିଦାର ଥିଲେ। ଅର୍ଗସକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ରାଜାଙ୍କ କଳା ସାମ୍ରାଜ୍ୟର ଚିଠା ଖୋଲିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର। ବଦ୍ରି ଆହୁରି କହିଛନ୍ତି ସେ ଏବାବଦରେ ପାଣ୍ଡିଆନଙ୍କୁ ବି ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ହେଲାନାହିଁ କିଛି ଆକ୍ସନ୍।
ଅର୍ଗସକୁ ଦେଇଥିବା ଏକ୍ସକ୍ଲୁସିଭ ସାକ୍ଷାତକାରରେ ବଦ୍ରି କହିଲେ ତତ୍କାଳୀନ କେନ୍ଦୁଝର ଏସ୍ପି ଓ ଜିଲ୍ଲାପାଳଙ୍କ ବଳରେ ରାଜା ଚକ୍ର ହୋଇଥିଲା ବଳିୟାନ୍। ଗନ୍ଧମାର୍ଦ୍ଦନ ଲୋଡିଂ ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍ ସୋସାଇଟିରେ ହୋଇଥିବା ବେଆଇନ୍ କାର୍ଯ୍ୟ ପଛରେ ସେତେବେଳର ଜିଲ୍ଲାପାଳ ଓ ଏସ୍ପିଙ୍କ ଭାଗୀଦାର ଥିବା ଅଭିଯୋଗ କରିଛନ୍ତି ବଦ୍ରି।
ବିଜେଡି ଶାସନରେ କେନ୍ଦଝରରେ ଚାଲିଥିଲା ରାଜା ଚକ୍ରର ଏକାଧିପତ୍ୟ। ଏପରିକି ତା ବିରୋଧରେ ସ୍ବର ଉଠାଇଲେ ବି ପୋଲିସ ମିଛ ମାମଲାରେ ଛନ୍ଦି ହଇରାଣ କରୁଥିବା କହିଛନ୍ତି ବଦ୍ରି ପାତ୍ର। ଏସମ୍ପର୍କରେ ବିଜେଡିର ସେ ସମୟର ହର୍ତ୍ତାକର୍ତ୍ତା ଭି.କେ ପାଣ୍ଡିଆନଙ୍କୁ ଲିଖିତ ଭାବେ ଜଣାଇଥିଲେ ଘସିପୁରା ବିଧାୟକ। ହେଲେ କିଛି ହେଲାନାହିଁ ।
ବଦ୍ରି ନାରାୟଣ ପାତ୍ର ସ୍ବୀକାର କରିଛନ୍ତି ନବୀନ ସରକାର ସମୟରେ ତଦନ୍ତ ଠିକ୍ ବାଟରେ ହୋଇନାହିଁ । ବର୍ତ୍ତମାନର ସରକାର ଠିକରେ ତଦନ୍ତ କରି ଦୋଷୀଙ୍କୁ ସାମ୍ନାକୁ ଆଣିବା ଲାଗି ଦାବି ସେ କରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ବଦ୍ରି ପାତ୍ର ଲିଖିତ ଭାବେ ପାଣ୍ଡିଆନଙ୍କୁ ଜଣାଇବା ପରେ ବି କାହିଁକି ରାଜା ଚକ୍ର ବିରୋଧରେ ନିଆଯାଇନଥିଲା କାର୍ଯ୍ୟାନୁଷ୍ଠାନ ? ନବୀନ ସରକାର କାହିଁକି ଗନ୍ଧମାର୍ଦ୍ଦନ ଲୋଡିଂ ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ୍ ସୋସାଇଟିରେ ହୋଇଥିବା ଦୁର୍ନୀତିର ତଦନ୍ତ ଠିକରେ କରିନଥିଲେ ?