ପହଲଗାମ ଆତଙ୍କୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପାଇଁ ଚାଲିଛି ତନାଘନା

Key Points
ପହଲଗାମ ଆତଙ୍କୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପାଇଁ ଚାଲିଛି ତନାଘନା
ଓଡ଼ିଶାରେ ବି ପହଞ୍ଚିଲେ ତଦନ୍ତକାରୀ NIA ଟିମ୍
ବାଲେଶ୍ବରର ପ୍ରଶାନ୍ତ ଶତପଥିଙ୍କ ପରିଜନଙ୍କଠାରୁ କଲେ ତଥ୍ୟ ସଂଗ୍ରହ
ଏପଟେ ଓଡ଼ିଶାରେ ରହୁଥିବା ପାକିସ୍ତାନୀକୁ ଠାବ କରି ବିଦା କରିବାକୁ କସରତ
କେତେ ଭୟଙ୍କର ଥିଲା ସେ ସମୟ । ପହଲଗାମରେ ଆକ୍ରମଣ ସମୟର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି NIA ଟିମ୍ । ଆକ୍ରମଣରେ ମୃତ ବାଲେଶ୍ବର ଇଶାଣୀ ଗାଁର ପ୍ରଶାନ୍ତ ଶତପଥିଙ୍କ ଘରେ ପହଞ୍ଚି ଏନଆଇଏ ଟିମ୍ ସେଦିନ ଘଟଣାସ୍ଥଳରେ ଥିବା ପ୍ରଶାନ୍ତଙ୍କ ସ୍ତ୍ରୀ ଓ ପୁଅଙ୍କ ସହ କଥା ହୋଇଛନ୍ତି। ଆତଙ୍କବାଦୀ କେମିତି ଆକ୍ରମଣ କଲେ ? କଣ ଥିଲା ସେମାନଙ୍କ ବେଶଭୂଷା ? ସେମାନଙ୍କର ଚେହେରା ସମ୍ପର୍କରେ ପଚାରିଥିଲେ । ସେଦିନ ଆତଙ୍କୀ ବର୍ବରତାର କାହାଣୀ ବଖାଣିଛନ୍ତି ପ୍ରଶାନ୍ତଙ୍କ ସ୍ତ୍ରୀ ।
ସେପଟେ ଓଡ଼ିଶାରେ ରହୁଥିବା ପାକିସ୍ତାନୀଙ୍କୁ ବିଦା କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଭୁବନେଶ୍ବର ବଡଗଡରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ କମିଶନରେଟ ପୋଲିସ ନୋଟିସ୍ କରି ଖୁବଶୀଘ୍ର ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ୨୦୨୪ରୁ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ଶେଷ ହୋଇଛି । କଟକରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ନୋଟିସ ଜାରି କରିଛି ପୋଲିସ । ସମସ୍ତଙ୍କ କାଗଜ ପତ୍ର ଯାଞ୍ଚ କରାଯିବ ବୋଲି କହିଛନ୍ତି କଟକ ଡିସିପି । ବାଲେଶ୍ବର ସୋର ପଠାଣମହଲାରେ ରହୁଥିବା ପାକିସ୍ତାନୀ ମହିଳାଙ୍କୁ ଭାରତ ଛାଡିବା ପାଇଁ ନୋଟିସ ଜାରି ହୋଇଛି। ମହିଳା ଜଣଙ୍କ ଦୀର୍ଘ ୪୦ ବର୍ଷ ଧରି ବିବାହ କରି ସୋରରେ ରହୁଛନ୍ତି । ସେପଟେ ୬୦ବର୍ଷ ଧରି ବଲାଙ୍ଗିରରେ ରହୁଥିବା ସାରଦାଙ୍କୁ ତୁରନ୍ତ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୯୬୫ ମସିହାରେ ସେ ବାପା, ମାଙ୍କ ସହ ଭାରତ ଆସିଥିଲେ । ଏଠି ବିବାହ କରି ପରିବାର ସହ ରହୁଛନ୍ତି।
ଗତ ୨୨ଏପ୍ରିଲରେ କାଶ୍ମୀରର ପହେଲଗାମରେ ହିନ୍ଦୁ ପର୍ଯ୍ୟାଟକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ହତ୍ୟା କରିଥିଲେ। ଘଟଣାରେ ସମ୍ପୃକ୍ତ ଆତଙ୍କୀଙ୍କୁ ଧରିବା ସହ ଆତଙ୍କୀସ୍ତାନ ପାକିସ୍ତାନକୁ ପାନେ ଦେବାକୁ ଅନେକ ପଦକ୍ଷେପ ନେଉଛନ୍ତି ଭାରତ ସରକାର। ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ଭାରତ ଛାଡ଼ି ତୁରନ୍ତ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।