Jay Dholakia oath / ଶପଥ ନେଲେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ

Key Points
ଶପଥ ନେଲେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ । ନୂଆପଡ଼ା ଉପ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶୀତକାଳୀନ ଅଧିବେଶନରେ ଯୋଗଦେବା ପୂର୍ବରୁ ଶପଥ ନେଇଛନ୍ତି ଜୟ ଢୋଲକିଆ । ଜୟଙ୍କ ଶପଥ ଗ୍ରହଣରେ ସାମିଲ ହୋଇଥିଲେ ତାଙ୍କ ପରିବାର ।
ସୂଚନା ଥାଉ କି, ନୂଆପଡା ଉପନିର୍ବାଚନରେ ବିଜେପି ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ସେ ବିଧାୟକ ଭାବେ ବିଧାନସଭାରେ ଶପଥ ନେଇଛନ୍ତି । ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଛନ୍ତି। ମା’ ଓ ସ୍ତ୍ରୀଙ୍କ ସହ ଆସି ନୂଆ ବିଧାୟକ ଭାବେ ଶପଥ ନେଇଛନ୍ତି।
ବ୍ୟବସାୟୀରୁ ବିଧାୟକ ହୋଇଛନ୍ତି, ୩୨ ବର୍ଷୀୟ ଜୟ ଢୋଲକିଆ । ଜୟ ଢୋଲକିଆ ହେଉଛନ୍ତି ସ୍ଵର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର । ବାପା ରାଜେନ୍ଦ୍ର ଢୋଲକିଆ ୪ ଥର ବିଧାୟକ ଥିବାବେଳେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ ରାଜନୀତିଠୁ ଦୂରେଇ ରହି ବ୍ୟବସାୟ କରୁଥିଲେ ଜୟ । ବାପା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଛନ୍ତି ଜୟ ଢୋଲକିଆ । ଗତ ଅକ୍ଟୋବର ୧୧ରେ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ବିଜେପି ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଜୟ ଢୋଲକିଆ ।
ଜଣେ ସାଧାରଣ ବିଧାୟକ ଭାବେ ଜୟଙ୍କୁ ମାସିକ ଦରମାରେ ତାଙ୍କ ବେତନ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ଭତ୍ତା ମିଳିବ। ଓଡ଼ିଶାରେ ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ଭତ୍ତା ବାବଦକୁ ମାସକୁ ଆହୁରି ଅତିରିକ୍ତ ୬୫,୦୦୦ ଟଙ୍କା ସହାୟତା ରାଶି ମିଳିଥାଏ ।
ଏହା ବ୍ୟତୀତ ବିଧାନସଭା ସେସନ ସମୟରେ ବିଧାୟକଙ୍କୁ ପ୍ରତିଦିନ ୧୫୦୦ ଟଙ୍କା ଡେଲି ଆଲାଉନ୍ସ ମିଳିଥାଏ । ଏହାଛଡା ବିଧାୟକଙ୍କ ପାଇଁ ରାଜ୍ୟ ଭିତରେ ଯାତ୍ରା ଖର୍ଚ୍ଚ ଓ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।
ପ୍ରତି ବିଧାୟକଙ୍କୁ ପ୍ରତିବର୍ଷ ୩ କୋଟି ଟଙ୍କାର ଏମଏଲଏ ଲୋକାଲ ଏରିଆ ଡେଭଲପମେଣ୍ଟ (LAD) ପାଣ୍ଠି ମିଳିଥାଏ । ଏହି ପାଣ୍ଠିକୁ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀର ଉନ୍ନତୀମୂଳକ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ଏହାଛଡା ପୂର୍ବତନ ବିଧାୟକମାନଙ୍କୁ ମାସିକ ୩୫,୦୦୦ ଟଙ୍କା ପେନସନ ମଧ୍ୟ ପ୍ରଦାନ କରାଯାଇଥାଏ ।
📱 Get Argus News App
✨Related Topics
Explore more stories