ଶୁଖିଗଲାଣି ପାଇଖାନା ଟାଙ୍କି, ହଜି ଗଲାଣି ଗୋପାଳ ଗପ

Key Points
ଗନ୍ଧହୀନ ହୋଇଗଲାଣି ଗାନ୍ଧୀ ଛକର ସେ ରକ୍ତ ଛିଟା !
ଶୁଖିଗଲାଣି ପାଇଖାନା ଟାଙ୍କି, ହଜି ଗଲାଣି ଗୋପାଳ ଗପ
ବାପାଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ଦାପୀଲି-ବିଶାଲଙ୍କ ଆଗ୍ରହ ଅଛି ତ ?
ନା ଚର୍ଚ୍ଚାରେ ରହିବାକୁ ସିବିଆଇ ତଦନ୍ତ ଦାବି ?
ଆନ୍ତରିକତା ଅଛି ନା କେବଳ ରାଜନୈତିକ ବୟାନବାଜି ?
ଯଦି ଆଗ୍ରହ ଅଛି ତେବେ ସରକାରଙ୍କୁ ଲିଖିତ ଜଣାଉ ନାହାଁନ୍ତି କାହିଁକି ?
ଅର୍ଗସ ବ୍ୟୁରୋ: ବଦାସଙ୍କ ମୃତ୍ୟୁ ପରେ ପରେ କ୍ରାଇମବ୍ରାଞ୍ଚ ପାଇଖାନା ଟାଙ୍କି ଖୋଜିଲା, ଗୋପାଳର ଗପ ଶୁଣିଲା । ଗପ ଶୁଣି ନିଘୋଡ ନିଦରେ ଶୋଇଗଲା । ତାପରେ ଗାନ୍ଧୀଛକରୁ ଲିଭିଗଲା ନବ ବାବୁଙ୍କ ରକ୍ତ ଛିଟା । ବାଇ ଇଲେକ୍ସନ ହେଲା, ଝିଅ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କଲା । ମୃତ ନବଦାସଙ୍କ ଝିଅ ବିଧାୟିକା ହେଲେ, ବିଧାନସଭା ଗଲେ । କିନ୍ତୁ ମୃତ ବାପାଙ୍କ ମୃତ୍ୟୁ ରହସ୍ୟ ଜା ଣିବାକୁ ଦିନଟିଏ ସିବିଆଇ ପ୍ରସଙ୍ଗ ଉଠାଇଲେ ନାହିଁ । ସିବିଆଇ କଥା ତ ଛାଡନ୍ତୁ ହତ୍ୟା ପ୍ରସଙ୍ଗରେ ଗୃହରେ ପ୍ରଶ୍ନଟିଏ ବି କଲେ ନାହିଁ । ଯେତେବେଳେ ଖୋଦ ବିରୋଧୀ ବିଧାୟକ ମାନେ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଉଥିଲେ ସେତେବେଲେ ମଧ୍ୟ ଚୁପ୍ ରହୁଥିଲେ ପୁତ୍ର ବିଶାଲ ଓ କନ୍ୟା ଦୀପାଳି । କ୍ରାଇମବ୍ରଞ୍ଚ ତଦନ୍ତରେ ଖୁସ ଥିବା ସନ୍ତାନ ଦ୍ୱୟ ଏବେ ସିବିଆଇ ତଦନ୍ତ ପାଇଁ ମନ ବଳାଇଛନ୍ତି । ସିବିଆଇ ତଦନ୍ତ ପାଇଁ ଦୀପାଳି ଏବଂ ବିଶାଳ ରାଜି ଥିବା ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିନ୍ତୁ ବାପାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଇବାକୁ ସତରେ ପରିବାରର ଆନ୍ତରିକତା ଅଛି ତ ? ଯଦି ଆନ୍ତରକିତା ଏବଂ ଆଗ୍ରହ ରହିଛି ତେବେ ସରକାରଙ୍କୁ ଏପର୍ଯ୍ୟନ୍ତ ଲିଖିତ ଭାବେ କାହିଁକି ଜଣାଇ ନାହାଁନ୍ତି ପରିବାର ଲୋକେ ? ସେପଟେ ଆଇନମନ୍ତ୍ରୀ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, କେବଳ ଟିଭିରେ ପ୍ରତିକ୍ରିୟା ରଖିଲେ ସିବିଆଇ ତଦନ୍ତ ହୁଏନି, ସରକାରଙ୍କୁ ଲିଖିତ ଭାବେ ଅବଗତ କରାଇଲେ । ସିବିଆଇ ତଦନ୍ତ ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଜାନୁଆରୀ 29, 2023 । ଗାନ୍ଧୀଛକରେ ହଠାତ ଶୁଭିଥିଲା ଗୁଳିର ଶବ୍ଦ । କାରର ଡୋର ଖୋଲୁ ଖୋଲୁ ଟଳି ପଡିଥିଲେ ପାୱାରଫୁଲ ମିନିଷ୍ଟର ନବ ଦାସ । ପଶ୍ଚିମ ଓଡିଶାର ପାୱାର କରିଡରକୁ ହାତ ମୁଠାରେ ରଖିଥିବା ନବବାବୁଙ୍କୁ ପୁଣି ଫାୟାରିଂ କରିଥିଲା ପୋଲିସ ASI ଗୋପାଳ । ସେତେବେଳେର ବିଜେଡି ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ । ଅରୁଣ ବୋଥ୍ରା ପୁଣି ଗୋପାଳର ଗପ ଲେଖିଲେ । କେବେ ପାଇଖାନା ଟାଙ୍କିରୁ ଚିଠି ଖୋଜିଲେ, କେବେ ମୁଣ୍ଡନ ଥିଓରୀ ଲେଖିଲେ । ହେଲେ ମର୍ଡର ମିଷ୍ଟ୍ରି ଉପରୁ ହଟିଲା ନାହିଁ ପରଦା । ସେପଟେ ସେତେବେଳର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ସୁଦ୍ଧା ନବଙ୍କ ପରିବାର ଲୋକେ ଚୁପ୍ ରହିଥିଲେ । ଏବଂ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ଥିବା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏବେ ପୁଣିଥରେ ସିବିଆଇ ତଦନ୍ତ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିଜେପି ସରକାର ତଦନ୍ତ କରିବ କି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । ଗୋପାଳ କାହିଁକି ମାରିଲା ? ଗୋପାଳ ପଛରେ କାହାର ହାତ ଥିଲା ?ଏପ୍ରସଙ୍କ ଯେତେବେଳେ ଆମେ ଉଠାଇଥିଲୁ ସେତେବେଳେ ପରିବାର ଲୋକେ ଚୁପ୍ ରହିଥିଲେ । ଏବେ ସମାନ କଥା ଉଠାଉଛନ୍ତି । କିନ୍ତୁ ସରକାରଙ୍କୁ ଲିଖିତ ଭାବେ ଅବଗତ କଲେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।
📱 Get Argus News App
✨ଚୋର ଗଲା ପରେ ବୁଦ୍ଧି ପଶୁଛି । ଦୁଇବର୍ଷ ପରେ ସିବିଆଇ କଥା ମନେ ପଡୁଛି । ସତରେ ବାପା ହତ୍ୟାର କାରଣ ଜାଣିବାକୁ ଆନ୍ତରକିତା ଅଛି ନା ଚର୍ଚ୍ଚାରେ ରହିବାକୁ କେବଳ ଏ ପ୍ରତିକ୍ରିୟା...ଦେଖିବା ମୃତ ନବଦାସଙ୍କ ପରିବାର ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ଲିଖିତ ଅବଗତ କରାଉଛନ୍ତି କି ନାହିଁ ?