Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Rajya Sabha Election / ଭାଙ୍ଗୁଛି ବିଜେଡି, ଆଉ ନାହିଁ ନବୀନଙ୍କ କର୍ତ୍ତୃତ୍ଵ

Rashmita Mishra
Browse all articles by Rashmita Mishra
·4 months ago·3 min read
ଭାଙ୍ଗୁଛି ବିଜେଡି, ଆଉ ନାହିଁ ନବୀନଙ୍କ କର୍ତ୍ତୃତ୍ଵ
Rajya Sabha Election

Key Points

ରାଜ୍ୟସଭା ନିର୍ବାଚନରେ ବଡ଼ ଓଲଟ ପାଲଟ
ସୁପ୍ରିମୋ ନବୀନଙ୍କୁ ପାନେ ଦେଲେ ନିଜ ଦଳର ବିଧାୟକ
ଫାଳ ଫାଳ ବିଜୁ ଜନତା ଦଳ ଦେଖାଯାଉଛି ଜଳ ଜଳ
ନମ୍ବର ଥାଇ ବି ହାରିଲେ ବିଜେଡି ପ୍ରାର୍ଥୀ ଦତ୍ତେଶ୍ଵର 

ରାଜ୍ୟସଭା ନିର୍ବାଚନରେ ହୋଇଛି ବଡ଼ ଓଲଟ ପାଲଟ...ସୁପ୍ରିମୋ ନବୀନଙ୍କୁ ତାଙ୍କରି ଦଳର ବିଧାୟକମାନେ ଦେଇଛନ୍ତି ଜବରଦସ୍ତ ଝଟକା । ନମ୍ବର ଥାଇ ବି ବିଜେଡି ପ୍ରାର୍ଥୀ ଦତ୍ତେଶ୍ଵର ହୋତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା । ବିଜେଡି ସହ କଂଗ୍ରେସ ବିଧାୟକ ବି କ୍ରସ୍ ଭୋଟିଂ କରିଥିବାବେଳେ ବାଜିମାରିଛି ବିଜେପି । ନିଜ ଦଳ ଉପରୁ କର୍ତ୍ତୃତ୍ବ ହରାଉଥିବା ନବୀନ ଔଷଧ ରାଗରେ ତାଟିଆ କାମୁଡୁଛନ୍ତି ।

ମାତ୍ର ୪ଟି ରାଜ୍ୟସଭା ଆସନ । ବିଜେପିର ଥିଲା ୨ଟି ପକ୍କା । ସଂଖ୍ୟା ଦେଖିଲେ ବିଜେଡିର ବି ଥିଲା ଗୋଟିଏ ଲେଖା । କିନ୍ତୁ ହେଲା ଏମିତି ଛକା ପଞ୍ଝା, ବଦଳିଗଲା ସବୁ ଗଣିତ । ବିଜେଡି ଓ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ବଦଳାଇ ଦେଇଛି ରାଜ୍ୟସଭା ମ୍ୟାଥମେଟିକ୍ସ । ଜଣେ ଅଧେ ନୁହେଁ ୧୧ ଜଣ ବିଧାୟକ କରିଛନ୍ତି ନିଜ ଦଳ ବିରୋଧରେ ମତଦାନ । ବିଜେଡିର ୮ ଜଣ ଆଉ କଂଗ୍ରେସର ୩ ଜଣ ।

କାଟୁ କଲାନି ଦଳର ହ୍ଵିପ୍, କାମ କଲାନି ସୁପ୍ରିମୋଙ୍କ ଟ୍ୟୁସନ, କି ଦଳର ବରିଷ୍ଠଙ୍କ ଧମକ ଚମକ । ରାଜ୍ୟସଭା ଫଳାଫଳ ଗୋଟିଏ ପଟେ ବିଜେଡି ଓ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ଦେଖାଇଲା ଦିନରେ ଜହ୍ନ, ଅନ୍ୟପଟେ ଚମତ୍କାର ରଣକୌଶଳ କରି ବିଜେପି କଲା ବାଜିମାତ୍ ।

ସବୁଠୁ ବଡ଼ ଝଟକା ଖାଇଲେ ବିଜେଡି ନବୀନ ପଟ୍ଟନାୟକ । ୨୪ ପରାଜୟ, ନୂଆପଡ଼ା ଚିତପଟାଙ୍ଗ ପରେ ନବୀନଙ୍କ ମାଟିତଳେ ଥିବା ବାକିଥିବା ମାଟି ଖସାଇଦେଲା ଏହି ରାଜ୍ୟସଭା ନିର୍ବାଚନ । ନବୀନଙ୍କୁ ପାନେ ଦେଇଛନ୍ତି ତାଙ୍କ ଦଳର ୬ ଜଣ ବିଧାୟକ ସୌଭିକ ବିଶ୍ବାଳ, ଦେବୀ ରଞ୍ଜନ ତ୍ରିପାଠୀ, ଚକ୍ରମଣି କହଁର, ସୁବାସିନୀ ଜେନା, ରମାକାନ୍ତ ଭୋଇ, ନବକିଶୋର ମଲ୍ଲିକ । ଏମାନଙ୍କର ସହ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କଲେ କ୍ରସ୍ ଭୋଟିଂ ।

ଫଳରେ ସଂଖ୍ୟା ଥାଇ ବି ବିଜେଡି ପ୍ରାର୍ଥୀ ଦତ୍ତେଶ୍ଵରଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା । ଖାଲି କ୍ରସ୍ ଭୋଟିଂ କଲେନି ବରଂ ବିଜେଡି ବିଧାୟକ ସୌଭିକ ଓ ଦେବୀ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନବୀନ ଓ ତାଙ୍କ ଦଳର କାର୍ପଟଦାରଙ୍କୁ ମନଇଚ୍ଛା ଶୁଣାଇଲେ ।

ନିଜ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଔଷଧ ରାଗରେ ତାଟିଆ କାମୁଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କ୍ରସ୍ ଭୋଟିଂ ପ୍ରସଙ୍ଗରେ ନାଁ ନ ନେଇ ଅପରାଧିକ ପୃଷ୍ଠଭୂମି ଥିବା କହି ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ, ରବିନ୍ଦ୍ର ଜେନାଙ୍କୁ କଲେ ଟାର୍ଗେଟ୍ । ତାଙ୍କୁ ମୁହଁତୋଡ଼ ଜବାବ ଦେଲେ ପ୍ରଭାତ ତ୍ରିପାଠୀ ।

ଖାଲି ଶଙ୍ଖ ନୁହେଁ ହାତ ଦଳର ୩ ବିଧାୟକ ବି ନିଜ ଦଳ ବିରୋଧରେ ଭୋଟ୍ ଦେଲେ । ଏମାନେ ହେଲେ ସୋଫିଆ ଫିର୍ଦ୍ଦୋସ୍, ରମେଶ ଜେନା ଓ ଦାଶରଥୀ ଗମାଙ୍ଗ । କିଏ କାହାକୁ ଭୋଟ୍ ଦେଲା, ମତଦାନ ପରେ ବିଧାୟକଙ୍କ ବୟାନ ବି ବଢ଼ାଇଲା ସସପେନ୍ସ । ଅରବିନ୍ଦ ମହାପାତ୍ର ବିଜେଡି ଏଜେଣ୍ଟଙ୍କୁ ଭୋଟ୍ ଦେଖାଇଲେ ନାହିଁ, ସେ ବିଜେପିକୁ ଭୋଟ୍ ଦେଲେ କି ? ଭୋଟ୍ ଦେଇ ଆସିବା ପରେ ତୁନି ରହିଲେ ଚନ୍ଦ୍ରମଣି କହଁର ? ସୋଫିଆ ଫିର୍ଦ୍ଦୋସ୍ ବି ମୁହଁ ଖୋଲିଲେନି ।

ନିର୍ବାଚନରେ ଜୟ ପରାଜୟ ସ୍ଵାଭାବିକ କିନ୍ତୁ ଏହି ରାଜ୍ୟସଭା ନିର୍ବାଚନ ଆହୁରି ସ୍ପଷ୍ଟ କରିଛି ବିଜୁ ଜନତା ଦଳର ଫାଟ । ସ୍ପଷ୍ଟ ହୋଇଛି ବିଜେଡି ଭାଙ୍ଗି ଭାଙ୍ଗି ଯାଉଛି, ଆଉ ନବୀନଙ୍କର କୌଣସି କର୍ତ୍ତୃତ୍ବ ନାହିଁ । କଂଗ୍ରେସ ବି ନିଜ ବିରୋଧୀ ବିଜେଡି ସହ ହାତ ମିଶାଇବାକୁ ନେଇ ପାନେ ପାଇଛି । ଆଉ ଏ ସବୁରୁ ବମ୍ପର ଲାଭ ଉଠାଇଛି ବିଜେପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is Biju Janata Dal Losing Grip? Questions Over Naveen Patnaik’s Authority | Argus News