Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କ'ଣ କହୁଛି ରାଜ୍ୟସଭା ଗଣିତ ? ଦିଲୀପ ନା ଦତ୍ତେଶ୍ଵର କିଏ ମାରିବେ ବାଜି ?

Politics

Odisha Rajya Sabha Poll / କ'ଣ କହୁଛି ରାଜ୍ୟସଭା ଗଣିତ ? ଦିଲୀପ ନା ଦତ୍ତେଶ୍ଵର କିଏ ମାରିବେ ବାଜି ?

Sushanta Sahoo
Browse all articles by Sushanta Sahoo
·2 months ago·3 min read
କ'ଣ କହୁଛି ରାଜ୍ୟସଭା ଗଣିତ ? ଦିଲୀପ ନା ଦତ୍ତେଶ୍ଵର କିଏ ମାରିବେ ବାଜି ?
Rajya Sabha Battle Odisha

Key Points

ଖାଲି ହେଉଥିବା ରାଜ୍ୟସଭା ଆସନ ସଂଖ୍ୟା ୪, ମୈଦାନର ୫ ପ୍ରାର୍ଥୀ | ଦିଲୀପ ନା ଦତ୍ତେଶ୍ଵର ଚତୁର୍ଥ ଆସନ ଜିତି କିଏ ଯିବେ ରାଜ୍ୟସଭା | ନଜର ପକାନ୍ତୁ ରାଜ୍ୟସଭା ଭୋଟର ପୁରା ସମୀକରଣ ଉପରେ...
ଭୁବନେଶ୍ଵର: ଓଡ଼ିଶାରୁ ଖାଲି ହେଉଛି ୪ ରାଜ୍ୟସଭା ଆସନ । କିନ୍ତୁ ମୈଦାନରେ ୫ ପ୍ରାର୍ଥୀ । କିଏ ମାରିବ ବାଜି ? ବିରୋଧୀ ବିଜେଡି ୨ ଜଣଙ୍କୁ ପ୍ରାର୍ଥୀ କରିଛି । ଶାସକ ବିଜେପି ୨ ଜଣଙ୍କୁ ଦଳୀୟ ପ୍ରାର୍ଥୀ କରିଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ କରୁଛି ।

ବିଜେପି ଭଳି ୨ ପ୍ରାର୍ଥୀ ଦେଇଛି ବିଜେଡି । ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ସହ ଡକ୍ଟର ଦତ୍ତେଶ୍ଵର ହୋତାଙ୍କୁ କମନ୍ କ୍ୟାଣ୍ଡିଡେଟ୍ କରିଛି । ବିଜେଡି ପ୍ରାର୍ଥୀ ଦତ୍ତେଶ୍ଵରଙ୍କୁ ସମର୍ଥନ କରିଛି କଂଗ୍ରେସ ।

କାହା ପାଖେ କେତେ ବିଧାୟକ ?

ଓଡ଼ିଶା ବିଧାନସଭାରେ ବିଜେପି ପାଖେ ମୋଟ ୭୯ ଓ ୩ ସ୍ଵାଧିନଙ୍କ ସମର୍ଥନକୁ ମିଶାଇ ୮୨ ଜଣ ବିଧାୟକ ଅଛନ୍ତି । ସେହିଭଳି ବିଜେଡି ପାଖରେ ୪୮ ବିଧାୟକ ରହିଥିବା ବେଳେ କଂଗ୍ରେସ ପାଖରେ ୧୪ ଓ ଜଣେ ସିପିଏମ୍ ବିଧାୟକଙ୍କ ସମର୍ଥନ ରହିଛି । ଏଭଳି ଦେଖିବାକୁ ଗଲେ ବିଜେପି ପାଖରେ ୮୨ ସଦସ୍ୟ ରହିଥିବା ବେଳେ ବିରୋଧୀଙ୍କ ପାଖରେ ମୋଟ ୬୫ ଜଣ ବିଧାୟକ ଅଛନ୍ତି ।

ରାଜ୍ୟସଭା ସମୀକରଣ

ଏବେ ଓଡ଼ିଶାର ୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ । ସେହି ଅନୁସାରେ ହିସାବ କଲେ ବିଧାନସଭାର ମୋଟ ସଦସ୍ୟ/(ଖାଲି ପଡ଼ିଥିବା ରାଜ୍ୟସଭା ଆସନ+୧)+୧ ହେଉଛି= ୩୦.୪ । ଅର୍ଥାତ୍ ଜଣେ ପ୍ରାର୍ଥୀ ଜିତିବା ଲାଗି ଆବଶ୍ୟକ ୩୦ ଭୋଟ୍ ।

ଏବେ ବିଜେପି ପାଖେ ଥିବା ସଂଖ୍ୟା ଅନୁସାରେ, ଦଳ ୨ଟି ଆସନ ଜିତିବା ସୁନିଶ୍ଚିତ । ତେଣୁ ବିଜେପିର ମୋଟ ୮୨ ଭୋଟ୍‌ରୁ ୨୨ ଭୋଟ୍ ବଳୁଛି । ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ଭୋଟ୍ ଦିଲୀପ ରାୟଙ୍କୁ ଯାଇପାରେ । ଏପରି ଭାବେ ବିଜେପି ସମର୍ଥିତ ଦିଲୀପ ରାୟଙ୍କୁ ମିଳିଯିବ ୨୪ ଭୋଟ୍ । ଅର୍ଥାତ୍ ଦିଲୀପ ରାୟ ଜିତିବା ଲାଗି ଆଉ ୬ ଭୋଟ୍ ଆବଶ୍ୟକ ।

ଏଥିସହ ପଢ଼ନ୍ତୁ: ସରିଲା ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ, ମୈଦାନରେ ୫ ପ୍ରାର୍ଥୀ, ଚତୁର୍ଥ ସିଟ୍ ଉପରେ ସମସ୍ତଙ୍କ ନଜର

କଂଗ୍ରେସରେ କେଁ

ସେପଟେ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡିର ୩୦ ଭୋଟ୍ ପରେ ବିଜେଡି ପାଖରେ ଆଉ ୧୮ ବିଧାୟକଙ୍କ ସହ କଂଗ୍ରେସର ୧୪ ଓ ଜଣେ ସିପିଏମ୍ ସଦସ୍ୟଙ୍କ ଭୋଟ୍ ମିଶାଇଲେ ସଂଖ୍ୟା ୩୩ ରହୁଛି । କିନ୍ତୁ ବିଜେଡି ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ଵର ହୋତାଙ୍କୁ କଂଗ୍ରେସ କ୍ୟାମ୍ପରୁ ପୂର୍ଣ୍ଣ ସମର୍ଥନ ମିଳିନପାରେ ।

କାରଣ ଗତ ସପ୍ତାହରେ ଦତ୍ତେଶ୍ଵର କଂଗ୍ରେସ ବିଧାୟକମାନଙ୍କୁ ଭେଟିଥିଲେ । ଉକ୍ତ ଭେଟ୍‌ଘାଟ୍‌ରେ ସାମିଲ୍ ହୋଇ ନଥିଲେ କଟକ ବାରବାଟୀ ବିଧାୟକା ସୋଫିଆ ଫିର୍ଦ୍ଦୋସ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଏହି ଦୁଇ ବିଧାୟକ ଦଳ ନିଷ୍ପତ୍ତି ବିରୋଧରେ ଯାଇ ଦିଲୀପ ରାୟଙ୍କୁ ସମର୍ଥନ କରିପାରନ୍ତି ।

ତାରାଙ୍କୁ ନେଇ ଦ୍ଵନ୍ଦ୍ଵ

ଏହାଛଡ଼ା ୨୦୦୨ ମସିହାରେ କ୍ରସ ଭୋଟିଂ କରି ଦିଲୀପଙ୍କୁ ସମର୍ଥନ ଦେଇଥିବା ତାରା ବାହିନୀପତିଙ୍କୁ ନେଇ କଂଗ୍ରେସର ଦ୍ଵନ୍ଦ୍ଵ ରହିଛି । ତାରା ବି ନିଜ ମୁହଁରେ ଦିଲୀପଙ୍କ ସହ ତାଙ୍କ ସମ୍ପର୍କ ଘନିଷ୍ଠ ବୋଲି କହିବା ସହ ଦଳ କଥା ଭିନ୍ନ ବୋଲି କହିଛନ୍ତି ।

ନବୀନଙ୍କୁ ଚକ୍‌ମା ଦେବେ ଅସନ୍ତୁଷ୍ଟ !

ସେପଟେ ବିଜେଡିରେ ମଧ୍ୟ ଅସନ୍ତୋଷ ଲାଗି ରହିଛି । ନବୀନ ବିଧାୟକମାନଙ୍କୁ ଡାକି ଆଲୋଚନା କରିଥିଲେ ହେଁ ବିଜେଡି ଭିତରେ ତାଳମେଳ ନାହିଁ । ସୁବାସିନୀ ଜେନା ଓ ବଦ୍ରି ନାରାୟଣ ପାତ୍ର କାହାରିକୁ ଭୋଟ୍ ଦେବେ ତାକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି ।

ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ଵର ହୋତାଙ୍କ ନାଁ ଘୋଷଣା ପରେ କଟକ-ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳଙ୍କ ବାପା ପ୍ରଭାତ ବିଶ୍ଵାଳ, ନବୀନଙ୍କୁ ସମାଲୋଚନା କରିଥିଲେ । ଯାହାପରେ ନବୀନ, ପ୍ରଭାତଙ୍କୁ ଦଳରୁ ବହିଷ୍କାର କରିଥିବାରୁ ସୌଭିକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନ ପାରନ୍ତି । ଏଭଳି ହେଲେ ସୌଭିକଙ୍କ ଭୋଟ୍ ଦିଲୀପଙ୍କୁ ଯାଇପାରେ ।

ଏହାଛଡ଼ା କ୍ରସଭୋଟିଂର ଆଶଙ୍କା, ଶେଷ ମୁହୂର୍ତ୍ତରେ କିଛି ବିଜେଡି ଓ କଂଗ୍ରେସ ବିଧାୟକ ଦିଲୀପଙ୍କ ପ୍ରାର୍ଥିତ୍ଵକୁ ସମର୍ଥନ କରିବାର ସମ୍ଭାବନା ରହିଛି । ମୋଟାମୋଟି କହିବାକୁ ଗଲେ ଦତ୍ତେଶ୍ଵର ହୋତାଙ୍କ ଅପେକ୍ଷା ଭାରି ରହିଛି ଦିଲୀପ ରାୟଙ୍କ ପଲ୍ଲା ।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ସମୀକରଣର ମନ୍ତ୍ର ବତାଇଲେ ଶାହ, ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତ ହେଲା ରଣନୀତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Rajya Sabha Math: Dilip Ray or Datteshwar Hota, Who Has the Edge? | Argus News | Argus News