Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ଦେବେନ୍ଦ୍ରଙ୍କ ସମୟରେ ଓଡ଼ିଶା ଦେଖିଥିଲା ୪ ଥାକିଆ ଜାତୀୟ ରାଜପଥ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦେବେନ୍ଦ୍ରଙ୍କ ସମୟରେ ଓଡ଼ିଶା ଦେଖିଥିଲା ୪ ଥାକିଆ ଜାତୀୟ ରାଜପଥ

ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଅଟଳଙ୍କ ମିଶନର ପ୍ରମୁଖ ଯୋଦ୍ଧା ଥିଲେ ଓଡ଼ିଆ ପୁଅ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ବାଜପେୟୀ ସରକାରରେ ଭୁପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ଥିବାବେଳେ ଓଡ଼ିଶାରେ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଆସିଥିଲା କ୍ରାନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ନିର୍ମାଣ ହୋଇଥିଲା ୪ ଥାକିଆ ଜାତୀୟ ରାଜପଥ । ପୁରୀ ବଡ଼ଦାଣ୍ଡକୁ ମିଳିଥିଲା NH ମାନ୍ୟତା ।

ଦେଶରେ ସଡ଼କ ନିର୍ମାଣ କ୍ଷେତ୍ରରେ ତାଙ୍କର ପଦକ୍ଷେପ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି । ସେଥିପାଇଁ ତାଙ୍କୁ ମଧ୍ୟ କୁହାଯାଏ ଭାରତରେ ସଡ଼କ କ୍ରାନ୍ତିର ଜନକ। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ମାଧ୍ୟମରେ ଦେଶର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ ଯୋଡ଼ିବା ଅଟଳବିହାରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ତାଙ୍କ ସରକାର ସମୟରେ ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଇଥିଲା।


ବାଜପେୟୀଙ୍କର ସବୁଠୁ ବଡ଼ ମିଶନର ଜଣେ ପ୍ରମୁଖ ଯୋଦ୍ଧା ଥିଲେ ଓଡ଼ିଆ ପୁଅ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ବାଜପେୟୀ ସରକାରର ସବୁଠୁ ଫୋକସରେ ଥିବା ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ଡାକ୍ତର ପ୍ରଧାନ। ଏଥିରୁ ଅନୁମାନ କରାଯାଇ ପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ଡାକ୍ତର ପ୍ରଧାନଙ୍କ ଦକ୍ଷତା ଉପରେ କେତେ ଭରସା କରୁଥିଲେ। ଯାହାର ଏକ ବଡ଼ ଲାଭାର୍ଥି ବନିଥିଲା ଓଡ଼ିଶା। ଡାକ୍ତର ପ୍ରଧାନ ବାଜପେୟୀ ସରକାରରେ ଭୁପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଓଡ଼ିଶାରେ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଆସିଥିଲା କ୍ରାନ୍ତି।

ଡାକ୍ତର ପ୍ରଧାନ କେନ୍ଦ୍ରରେ ଭୁପୃଷ୍ଠ ପରିବହିନ ମନ୍ତ୍ରୀ ଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ୪ ଥାକିଆ ଜାତୀୟ ରାଜପଥ ନିର୍ମାଣ ହୋଇଥିଲା। ଓଡ଼ିଶା ଦେଇ ଯାଇଥିବା କୋଲକାତା-ଚେନ୍ନାଇ ଜାତୀୟ ରାଜପଥକୁ ୪ ଲେନ୍ ବିଶିଷ୍ଟ କରାଯିବା ଫଳରେ ରାଜ୍ୟର ଯୋଗାଯୋଗ କ୍ଷେତ୍ରରେ ଆସିଥିଲା ବଡ଼ କ୍ରାନ୍ତି। ଓଡ଼ିଶାରେ ବହୁ ଜାତୀୟ ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ଡାକ୍ତର ପ୍ରଧାନ ମନ୍ତ୍ରୀ ଥିବା ସମୟରେ । ଭୁବନେଶ୍ୱରରୁ ପୁରୀ ଯାଏ ରାଜପଥକୁ ଜାତୀୟ ରାଜପଥର ମାନ୍ୟତା ମିଳିଥିଲା ଡାକ୍ତର ପ୍ରଧାନଙ୍କ ଉଦ୍ୟମରେ। ଏଥିସହ ପୁରୀ ବଡ଼ଦାଣ୍ଡକୁ ଜାତୀୟ ରାଜପଥ ମାନ୍ୟତା ଦେବାରେ ଡାକ୍ତର ପ୍ରଧାନଙ୍କର ହିଁ ଥିଲା ମୁଖ୍ୟ ଭୂମିକା। କେବଳ ଜାତୀୟ ରାଜପଥ ମଞ୍ଜୁରୀ ନୁହେଁ ନିର୍ଦ୍ଧାରିତ ସମୟରେ ଜାତୀୟ ରାଜପଥ ନିର୍ମାଣ ଶେଷ କରାଯିବା ଉପରେ ବି ଜୋର ଦେଇଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ।

୧୯୯୮ରେ ବାଜପେୟୀ ସରକାର ଦାୟିତ୍ବ ନେବା ପୂର୍ବରୁ ଓଡ଼ିଶା ଦେଇ ଯାଇଥିଲା ମାତ୍ର ୧୬ଶହ ୮୧ କିଲୋମିଟର ଜାତୀୟ ରାଜପଥ। ଆଉ ବାଜପେୟୀଙ୍କ ଶାସନ କାଳରେ ଓଡ଼ିଶାରେ ନିର୍ମାଣ ହୋଇଥିଲା ୧୬ଶହ କିଲୋମିଟର ନ୍ୟାସନାଲ ହାଇୱେ। ଅର୍ଥାତ ୫୧ ବର୍ଷରେ ୧୬ଶହ ୮୧ କିଲୋମିଟର ଆଉ ୬ ବର୍ଷରେ ୧୬ଶହ କିଲୋମିଟର। ଏହି କମାଲ ସମ୍ଭବ ହୋଇ ପାରିଥିଲା ଡାକ୍ତର ପ୍ରଧାନଙ୍କ ଉଦ୍ୟମରେ । ସେଥିପାଇଁ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ କୁହାଯାଏ ଓଡ଼ିଶାରେ ସଡ଼କ କ୍ରାନ୍ତିର ସୁତ୍ରଧର। ଓଡ଼ିଶାରେ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଆଣିଥିବା କ୍ରାନ୍ତି ପାଇଁ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ସବୁଦିନ ପାଇଁ ମନେ ରଖିଥିବେ ରାଜ୍ୟବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha saw 4 Lane National Highway During Devendra Prahan's time | Argus News