ଖୋଲୁଛି ବିଜେଡି ଶାସନରେ ରାସନ କାର୍ଡ କେଳେଙ୍କାରୀର ଗୁମର

Key Points
ଖୋଲୁଛି ବିଜେଡି ଶାସନରେ ରାସନ କାର୍ଡ କେଳେଙ୍କାରୀର ଗୁମର
ପ୍ରାୟ 4 ଲକ୍ଷ ଆୟକରଦାତାଙ୍କୁ ରାସନ କାର୍ଡ ଦେଇଥିଲେ ନବୀନ ସରକାର
ଯୋଗାଣ ମନ୍ତ୍ରୀ କହିଲେ, ଚାଲିଛି ତନାଘନା, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା
1 ଲକ୍ଷ 80 ହଜାର ମୃତକଙ୍କ ନାଁରେ ରାସନ କାର୍ଡ ଥିବା ବି ପୂର୍ବରୁ ହୋଇଛି ଖୁଲାସା
ଅର୍ଗସ ବ୍ୟୁରୋ: ବିଜେଡି ଶାସନରେ ଗରିବ କଲ୍ୟାଣ ନାଁରେ କେମିତି ଚାଲିଥିଲା ମହାଘୋଟାଲା ଏବେ ହେଉଛି ତାର ଗୋଟିଏ ପରେ ଗୋଟିଏ ଖୁଲାସା । ଗରିବ ଲୋକଙ୍କ ପାଇଁ ଅଛି ରାସନ କାର୍ଡ ବ୍ୟବସ୍ଥା। ଯେଉଁଥିରେ ମାଗଣାରେ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଦିଅନ୍ତି ସରକାର। କିନ୍ତୁ ବିଜେଡି ଶାସନରେ ରାସନ କାର୍ଡ ବଣ୍ଟନରେ ହୋଇଥିଲା ବ୍ୟାପକ ଅନିୟମିତତା। ଗରିବ ନୁହେଁ ପଇସାବାଲା ଲୋକଙ୍କୁ ମନଇଚ୍ଛା ବଣ୍ଟାଯାଇଥିଲା ରାସନ କାର୍ଡ। ଶହେ କି ହଜାରେ ନୁହେଁ ଆୟକର ଦେଉଥିବା 4 ଲକ୍ଷ ଲୋକଙ୍କ ନାଁରେ ଅଛି ରାସନ କାର୍ଡ। ଯୋଗାଣ ମନ୍ତ୍ରୀ କହିଛନ୍ତି ଏମାନଙ୍କ ରାସନ କାର୍ଡ ବାଦ୍ ରଦ୍ଦ କରିବା ବା ତାଲିକାରୁ ବାଦ୍ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକୃତରେ କେତେ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଯାଂଚ ଚାଲିଛି । ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ।
ଖାଲି ରାସନକାର୍ଡଧାରୀ ନୁହନ୍ତି ଲକ୍ଷ ଲକ୍ଷ ମଲା ଲୋକଙ୍କ ନାଁରେ ବି ଥିଲା ରାସନ କାର୍ଡ । ଏବେ ଚାଲିଥିବା ରାସନ କାର୍ଡ EKYC ପ୍ରକ୍ରିୟାରେ ଧରାପଡ଼ିଛି କେମିତି ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ । ଗତ ନଭେମ୍ବର 27 ତାରିଖରେ ଯୋଗାଣମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଥିଲେ ସେତେବେଳସୁଦ୍ଧା ୧ ଲକ୍ଷ 77 ହଜାର 68 ମୃତ ରାସନ ହିତାଧିକାରୀ ଚିହ୍ନଟ ହୋଇଥିଲେ । ବିଜେଡି ସରକାରରେ `T' FOR ଟେକ୍ନୋଲୋଜିର ବ୍ୟବହାର କରି ଟି ଫର TEAM WORKରେ ଚାଲିଥିଲା ଲୁଟ୍ । କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ରାସନ ହଡ଼ପ ପାଇଁ ହୋଇଥିଲା ଯୋଜନା । ନିଜସ୍ବ ଖାଦ୍ୟ ଯୋଜନା କରିଥିଲା ବିଜେଡି ସରକାର। ଯେଉଁଥିରେ ଲକ୍ଷ ଲକ୍ଷ ଭୂତ ହିତାଧିକାରୀଙ୍କୁ ଯୋଡ଼ାଯାଇଥିଲା । ଆଉ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଜାଣିଶୁଣି ବାଦ୍ ଦିଆଯାଇଥିଲା ।
ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ ରାସନ କାର୍ଡ EKYC ପ୍ରକ୍ରିୟା ଅର୍ଥାତ୍ 31 ଜାନୁଆରୀ ସୁଦ୍ଧା e-kyc ନ କଲେ ରାସନ କାର୍ଡ କଟିବ । ଏବେ ସୁଦ୍ଧା ଆହୁରି ପ୍ରାୟ 48 ଲକ୍ଷ ହିତାଧିକାରୀ e-kyc କରିନାହାନ୍ତି । ପୁଣି 6 ଲକ୍ଷରୁ ଅଧିକ ଲୋକେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । EKYC ପ୍ରକ୍ରିୟା ସରିବା ପରେ ନୂଆ କାର୍ଡ ପାଇଁ ଆବେଦନ କରିଥିବା ଲୋକଙ୍କୁ କାର୍ଡ ମିଳିବ ।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର: