Shreemayee Mishra / ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର

Key Points
ପ୍ରଥମେ ବଲାଙ୍ଗିର ତା'ପରେ ପାଟଣାଗଡ଼, ପରେ ବିଏମସି ମେୟର... । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଦଳର ନେତାଙ୍କ ସହ ଏମିତି ଖେଳୁଥିଲେ ପାଣ୍ଡିଆନ୍ । ନେତାଙ୍କୁ ଦେଉଥିଲେ ପ୍ରତିଶ୍ରୁତି ଆଉ ଲକ୍ଷ୍ୟ ପୂରଣ ପରେ କରୁଥିଲେ ଅନ୍ୟତ୍ର ସ୍ଥାନାନ୍ତର ।
ଭୁବନେଶ୍ଵର: ସାର୍ କହୁଛନ୍ତି ଏଠି ଲଢ଼... ସେଠି ସଂଗଠନ ସଜାଡ଼... । ପ୍ରଥମେ ବଲାଙ୍ଗିର ତା'ପରେ ପାଟଣାଗଡ଼, ପରେ ବିଏମସି ମେୟର... । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଦଳର ନେତାଙ୍କ ସହ ଏମିତି ଖେଳୁଥିଲେ ପାଣ୍ଡିଆନ୍ । ନେତାଙ୍କୁ ଦେଉଥିଲେ ପ୍ରତିଶ୍ରୁତି ଆଉ ଲକ୍ଷ୍ୟ ପୂରଣ ପରେ କରୁଥିଲେ ଅନ୍ୟତ୍ର ସ୍ଥାନାନ୍ତର । ଅର୍ଗସ୍ ନ୍ୟୁଜ୍ର "ଆମ୍ନା ସାମ୍ନା" କାର୍ଯ୍ୟକ୍ରମରେ ପାଣ୍ଡିଆନ୍ଙ୍କୁ ନେଇ ଏଭଳି ଭିତିରି କଥା ପ୍ରଘଟ କରିଛନ୍ତି ଶ୍ରୀମୟୀ ମିଶ୍ର ।
"ଆମ୍ନା ସାମ୍ନା" କାର୍ଯ୍ୟକ୍ରମରେ ଶ୍ରୀମୟୀ କହିଛନ୍ତି, " ମୋର ଟିକେଟ୍ କିଏ କାଟିଲା କହିପାରିବି ନାହିଁ । ୨୦୧୪ରୁ ୨୦୧୯ ମୁଁ ମହିଳା ନିଗମର ଅଧ୍ୟକ୍ଷ ଥିଲି । ସେତେବେଳେ ବାବୁ ଭିକେ ପାଣ୍ଡିଆନ୍ ମୋତେ ଡାକି କହିଥିଲେ, ଆପଣ ଯେହେତୁ ବଲାଙ୍ଗିରର ଝିଅ, ଆପଣ ବଲାଙ୍ଗିରରେ ସଂଗଠନ କରନ୍ତୁ । ମୁଁ କହିଲି, ଏଇଟା ଆପଣ କହୁଛନ୍ତି... କହିଲେ ସାର୍ କହୁଛନ୍ତି ।"
ବଲାଙ୍ଗିରରୁ ପାଟଣାଗଡ଼
ଶ୍ରୀମୟୀ କହିଛନ୍ତି, "ତା'ପରେ ମୁଁ ବଲାଙ୍ଗିରରେ ଆକ୍ଟିଭ୍ ହୋଇ କାମ କଲି, ଲୋକଙ୍କ ସହ ମିଶିଲି । କିନ୍ତୁ ମୋ ମନରେ ଟିକେ ଦ୍ଵନ୍ଦ୍ଵ ଥିଲା, ସାର୍ କେମିତି କହିବେ... ଯେଉଁଠି ସାରଙ୍କ ସାଙ୍ଗ ଅନଙ୍ଗଉଦୟ ସିଂ ଦେଓ ଅଛନ୍ତି, ତାଙ୍କର ନିଜସ୍ଵ ଫିଲ୍ଡ ଅଛି ।"
ଏଥିସହ ପଢ଼ନ୍ତୁ: କାହାଣୀ କାହାଣୀରେ ଶର ମାରିଲେ ଶ୍ରୀମୟୀ, 'ବିବାହିତା ଝିଅ ବାପ ଘରେ ଓ ଜ୍ୱାଇଁ ଶ୍ୱଶୁର ଘରେ ରହି ସମ୍ମାନକୁ ଧୂଳିସାତ୍ କରିଦେଲେ'
"ପ୍ରାୟ ଦେଢ଼ ବର୍ଷ ସଂଗଠନ କରିବା ପରେ ପଞ୍ଚାୟତ ନିର୍ବାଚନ ପରେ ପରେ ସାର୍ କହିଲେ ପାଟଣାଗଡ଼ ଆସନରେ ଆମର କେହି ପ୍ରାର୍ଥୀ ନାହାନ୍ତି, ଆପଣ ପାଟଣାଗଡ଼ ଯାଆନ୍ତୁ, ସେଠି ସଂଗଠନ କରନ୍ତୁ । ସମୟ ଆସିଲେ ଆମେ ଇଲେକ୍ଟୋରାଲ୍ ପଲିଟିକ୍ସ କଥା ଭାବିବା । ଆଉ ସାରଙ୍କ କଥାରେ କାମ କରିଥିଲି । ସେତେବେଳେ ସେ ଯାହା କହୁଥିଲେ ଆମେ ପ୍ରାଣପଣେ କରୁଥିଲୁ ।" ପାଟଣାଗଡ଼ରେ ସବୁ ଦଳ ପାଇଁ କରିଥିବା କହିଛନ୍ତି ଶ୍ରୀମୟୀ ମିଶ୍ର ।
ସଂକଟରେ ହୁଏନି ନବୀନଙ୍କ ସହ ଭେଟ
ସେ କହିଛନ୍ତି, "ପାଟଣାଗଡ଼ରେ ସବୁ କରିବା ପରେ ଭିକେ ପାଣ୍ଡିଆନ୍ ହଠାତ୍ ଦିନେ ଅନ୍ୟ ଜଣଙ୍କ ନମ୍ବରରୁ କଲ୍ କଲେ । ମୁଁ ଷ୍ଟେସନ ଯାଉଥିଲି, ସେ କହିଲେ ଫେରି ଆସନ୍ତୁ । ମୁଁ ନବୀନ ନିବାସ ଗଲା ପରେ ପାଣ୍ଡିଆନ୍ କହିଲେ, ସାର୍ ମନା କରୁଛନ୍ତି ଆପଣ ଆଉ ପାଟଣାଗଡ଼ରେ କାମ କରିବେ ନାହିଁ । ମୁଁ କହିଲି.. ସାରଙ୍କୁ ଦେଖା କରିବି । କିନ୍ତୁ ମୋତେ ଦେଖା କରିବାକୁ ମନା କଲେ । ମୁଁ ପୁଣି ଆଶ୍ଚର୍ଯ୍ୟ ହୋଇଗଲି । ଯେବେ ମୁଁ ସଂକଟରେ ପଡ଼େ, ସେ ମୋତେ ସାରଙ୍କ ସହ ଦେଖା କରିବାର ସୁଯୋଗ ଦିଅନ୍ତି ନାହିଁ ।"
ତା'ପରେ ମିଶନ ଶକ୍ତିରେ କାମ କରିବାକୁ ପାଣ୍ଡିଆନ୍ କହିଥିଲେ ବୋଲି ଶ୍ରୀମୟୀ କହିଛନ୍ତି । ସେତେବେଳେ ପାଣ୍ଡିଆନ୍, ଶ୍ରୀମୟୀଙ୍କୁ କହିଥିଲେ, "ସମଗ୍ର ଓଡ଼ିଶାରେ ସାରଙ୍କର କାର୍ଯ୍ୟକ୍ରମ ହେବ । ଆପଣ ଚାହୁଁଛନ୍ତି କି ନାହିଁ ସାର ପୁଣି ଥରେ ସରକାରଙ୍କ ଆସନ୍ତୁ । ମୁଁ କହିଲି ମୁଁ କେମିତି ଚାହିଁବିନି... ମୋ ନେତା ମୁଖ୍ୟମନ୍ତ୍ରୀ ହେବେ । ମୁଁ ହଁ କଲି, କହିଲେ ମିଶନ ଶକ୍ତି କାମ କରନ୍ତୁ, ଆମକୁ ଟିକିଏ ମହିଳା ଭୋଟ୍ ଟାଣିବାର ଅଛି । ମୁଁ ରାଜି ହୋଇଗଲି.. କାମ କଲି ।"
ରାଜ୍ୟସଭା ଯିବ...
ଶ୍ରୀମୟୀ ମିଶ୍ର କହିଛନ୍ତି, "୨୦୧୯ ନିର୍ବାଚନ ମାସେ ଥାଏ, ମିଡିଆରେ ମୋତେ ନେଇ ଚର୍ଚ୍ଚା ହେଲା । ସଭାପତି ମୋତେ ଡାକି କହିଲେ, ବ୍ୟସ୍ତ ହୁଅନି, ଦଳ ପାଇଁ କାମ କର... ତୁମେ ଦଳ ପାଇଁ... ଦଳ ତୁମକୁ ପୁରସ୍କାର ଦେବ... । ୫ ବର୍ଷ ଭିତରେ ଦୁଇ ତିନି ଟର୍ମରେ ରାଜ୍ୟସଭା ପଦ ଖାଲି ହେବ । ଆମେ ଭାବିଛୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବୁ । ବ୍ୟସ୍ତ ନ ହୋଇ ଦଳ ପାଇଁ କାମ କର ।"
ତା' ପରେ ଶ୍ରୀମୟୀ ଦଳ ପାଇଁ କାମ କରନ୍ତି । ଏହାପରେ ରାଜ୍ୟସଭା ପଦ ଖାଲି ହୁଏ, ଚର୍ଚ୍ଚା ବି ହୁଏ । କିନ୍ତୁ ଦଳ କେବେ ତାଙ୍କୁ ବିଚାରକୁ ନିଏ ନାହିଁ ବୋଲି କହିଛନ୍ତି ଶ୍ରୀମୟୀ । ସେ କହିଛନ୍ତି, "ମୁଁ କିନ୍ତୁ ଶୃଙ୍ଖଳିତ କର୍ମୀ ହିସାବରେ କେବେ କିଛି କୁହେ ନାହିଁ । ମୁଁ କାମ କରି ଚାଲିଲି ।"
ଭୋଟ୍ ଦେବାରୁ ଧମକ ଦେଲେ
ଏହା ପରେ ୨୦୨୨ ବିଏମ୍ସି ନିର୍ବାଚନ ଆସିଲା । ବ୍ରହ୍ମପୁର ଓ ଭୁବନେଶ୍ଵର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା । ଶ୍ରୀମୟୀ କହିଛନ୍ତି, "ମୋତେ ଦଳୀୟ କାର୍ଯ୍ୟାଳୟକୁ ଡକାଗଲା, ଏଥିପାଇଁ ତୃତୀୟ ମହଲାରୁ ଜଣେ IAS ଅଧିକାରୀ କଲ୍ କଲେ । କହିଲେ ସାର, ମାଡ୍ୟାମ ଚାହୁଁଛନ୍ତି ଆପଣ ଭୁବନେଶ୍ଵର ମେୟର ପ୍ରାର୍ଥୀ ଛିଡ଼ା ହେବେ । ମୁଁ କହିଲି ଠିକ୍ ଅଛି... ୩ ଦିନ ପରେ ମୋତେ ପୁଣି ଡାକି କହିଲେ, ଆପଣଙ୍କ ଭୋଟର୍ କାର୍ଡ ଏଠି ନାହିଁ । ଆପଣ ଭୁବନେଶ୍ଵରର ଭୋଟର ନୁହଁନ୍ତି, କେମିତି ଲଢ଼ିବେ ?"
ଏଥିସହ ପଢ଼ନ୍ତୁ: "ଅଣଓଡ଼ିଆ ମୁଖିଆଙ୍କ କବ୍ଜାରେ BJD", ମିଛ କହୁଥିବା କହି ଶ୍ରୀମୟୀ ମାଗିଲେ ପ୍ରମାଣ
📱 Get Argus News App
✨ସେତେବେଳେ ଶ୍ରୀମୟୀ ତାଙ୍କ EPIC ନମ୍ବର ସହ ବୁଥ୍ ନମ୍ବର ପଠାଇ ନିରବ ରହିଥିଲେ । ତା ପରେ ଆଉ ଜଣେ ମାଡ୍ୟାମଙ୍କ ନାଁ ଘୋଷଣା ହେଲା । ସେତେବେଳେ ଶ୍ରୀମୟୀ ଥିଲେ OTDC ଅଧ୍ୟକ୍ଷ । ଆଉ ବିଏମ୍ସି ନିର୍ବାଚନରେ ଶ୍ରୀମୟୀ ଭୋଟ୍ ଦେବା ପରେ ତାଙ୍କୁ ଧମକ ଦିଆଯାଇଥିବା କହିଛନ୍ତି ।
ସେ କହିଛନ୍ତି, "ଆମେ ତ ସମସ୍ତଙ୍କୁ କହିଥିଲୁ ତୁମର ଭୋଟର କାର୍ଡ ଏଠି ନଥିବାରୁ ତୁମେ ମେୟର ପଦ ପାଇଁ ଲଢ଼ିପାରିଲ ନାହିଁ । ତୁମେ ଭୋଟ୍ ଦେଇ କାହିଁକି ଆମକୁ ଭୁଲ୍ ପ୍ରମାଣିତ କଲ ? ଏହାପରେ ମୁଁ କହିଥିଲି, ମୁଁ ଭୋଟ୍ ଦେଲି ଭଲ କଲି ।"
ମମିତା ପାଇଁ OTDC ଅଧ୍ୟକ୍ଷ ପଦ ଗଲା
ଏହା ପରେ ମମିତା ମେହେର ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଶ୍ରୀମୟୀ କହିଛନ୍ତି, "ସେତେବେଳେ ଜଣେ IPS ଅଧିକାରୀ ଡାକି କହିଲେ, ଆପଣଙ୍କୁ ଦଳ ସପକ୍ଷରେ ମତ ଦେବାକୁ ପଡ଼ିବ । ଆପଣ କହିବେ ଦଳର କେହି ସମ୍ପୃକ୍ତ ନାହାନ୍ତି ମମିତା ମେହେର ହତ୍ୟା ମାମଲାରେ । ମୁଁ ମନା କଲି... । ସେତେବେଳେ କୌଣସି ଗଣମାଧ୍ୟମରେ ମନ୍ତବ୍ୟ ଦେଇ ନଥିଲି ।"
ମୁଁ ଯେହେତୁ ବଲାଙ୍ଗିରର ଝିଅ ଥିଲି । ସେମାନେ ଚାହୁଁଥିଲେ ମୁଁ ସମ୍ବଲପୁରୀ, କୋଶଳୀ ଭାଷାରେ ପ୍ରେସମିଟ୍ କରିଥିଲେ ଲୋକଙ୍କୁ ଲାଗିଥାନ୍ତା ମମିତା ମାମଲାରେ ଦଳର ଲୋକଙ୍କ ହାତ ନାହିଁ । ଏହା ପରେ କୁହାଗଲା ଆପଣଙ୍କୁ OTDCରୁ କାଢ଼ି ଦିଆଯିବ । ପ୍ରକାରନ୍ତରେ ସେୟା ହେଲା, ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଗଲା ବୋଲି କହିଛନ୍ତି ଶ୍ରୀମୟୀ ।
ଶ୍ରୀମୟୀ କହିଛନ୍ତି, "ମୁଁ OTDCରେ ଥିଲା ବେଳେ ସେମାନେ ଅନେକ ସରକାରୀ ସମ୍ପତ୍ତିକୁ ଘରୋଇ ହାତକୁ ଟେକି ଦେଇଥିଲେ । ପଛରେ ଜାଣିଲି, ସେହି IPSଙ୍କ ଜ୍ଵାଇଁଙ୍କ ହାତକୁ କେମିତି ତପ୍ତପାଣି ପାନ୍ଥନିବାସ ଯିବ ସେନେଇ ଯୋଜନା ଚାଲିଥିଲା । ତେଣୁ ମମିତା ପ୍ରସଙ୍ଗକୁ ଆଳ କରି ମୋତେ OTDCରୁ ହଟାଇ ଦେଲେ ।"
ଭୁବନେଶ୍ଵରର ସାଂସଦ ପ୍ରାର୍ଥୀ ଓ ଫେକ୍ ସର୍ଭେ
ଏପିରିକି ସେତେବେଳେ ଶ୍ରୀମୟୀଙ୍କ ବାରମ୍ବାର ଅଭିଯୋଗ ପରେ ତୃତୀୟ ମହଲାରୁ ମୋତେ ଆଉ କିଛି ସାହାଯ୍ୟ ମିଳି ନଥିଲା । ସେ କହିଛନ୍ତି, "ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ଜୁନରେ ହଠାତ୍ ଘୋଷଣା ହେଲା ମୁଁ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ । ମୁଁ ଯେହେତୁ ଭୁବନେଶ୍ଵରର ବୋହୂ ଭାବେ ୧୭ ବର୍ଷ ରହିଛି । ଏହା ପରେ ମୁଁ ବୁଲାବୁଲି କରୁଥିଲି । ମୁଁ ଭୁବନେଶ୍ଵରରୁ ପ୍ରାର୍ଥୀ ହେବି ବୋଲି ଚର୍ଚ୍ଚା ହେଲା ।"
ଏଥିସହ ପଢ଼ନ୍ତୁ: "ଅଣଓଡ଼ିଆ ମୁଖିଆଙ୍କ କବ୍ଜାରେ BJD", ମିଛ କହୁଥିବା କହି ଶ୍ରୀମୟୀ ମାଗିଲେ ପ୍ରମାଣ
ଏହାପରେ ପାଣ୍ଡିଆନ୍, ଶ୍ରୀମୟଙ୍କୁ ଡାକି ପଚାରିଲେ, ଆପଣ କାହିଁକି ବୁଲାବୁଲି କରୁନାହାନ୍ତି । ଶ୍ରମ ବୋର୍ଡରେ ଥିବା ଶ୍ରୀମୟୀ କହିଥିଲେ, "ମୁଁ ତ ରାଜ୍ୟସାରା ବୁଲୁଛି । ସେତେବେଳେ ଗୋଟେ ଟାର୍ଗେଟ୍ ଥିଲା । ଶ୍ରମିକଙ୍କୁ ସହାୟତା ଦେବା । ସେ କହିଲେ ଆପଣ ଭୁବନେଶ୍ଵରରେ ବୁଲନ୍ତୁ । ମୁଁ କହିଲି କ୍ଷମା କରନ୍ତୁ । ଆପଣ ବିଗତ ଦିନରେ ସାରଙ୍କ ନାଁ ନେଇ ମୋତେ ଅନେକ ସ୍ଵପ୍ନ ଦେଖାଇଛନ୍ତି ।"
ଶ୍ରୀମୟୀ ପାଣ୍ଡିଆନଙ୍କୁ କହିଥିଲେ, "କେତେବେଳେ ବଲାଙ୍ଗିର ତ କେବେ ପାଟଣାଗଡ଼ ପୁଣି ବିଏମସି ମେୟର କଥା କହି ଆପଣ ମୋ ମାନସିକତା ସହ ଖେଳିଛନ୍ତି । ତା ପରେ ହଉ କହି ରହିଲେ... ମାସେ ଗଡ଼ିବା ପରେ ନବରାତ୍ରୀ ସମୟରେ ଅଷ୍ଟମୀରେ କଲ୍ ଆସିଲା, କହିଲେ ସାର୍ ଡାକୁଛନ୍ତି । ଗଲାବେଳକୁ ନବୀନ ନିବାସରେ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ, ନେତା ଅଛନ୍ତି ।"
ସାର୍ ଆସି କହିଲେ, ଶ୍ରୀମୟୀ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ବିଜେଡିର ଚେହେରା ହେବେ । ସମସ୍ତଙ୍କ ଆଗରେ ନବୀନ ଏ କଥା ଘୋଷଣା କରିଥିବା କହଛନ୍ତି ଶ୍ରୀମୟୀ । ମୋତେ ଭିତରକୁ ଡାକି ସାର୍ କହିଲେ, ଭଲ ଭାବେ କାମ କର.. ଆମକୁ ଯେ କୌଣସି ପ୍ରକାରେ ଏହି ଆସନ ଜିତିବାର ଅଛି ।
ଶ୍ରୀମୟୀ ବାହାରକୁ ଆସିବା ବେଳକୁ ଦେଖନ୍ତି, ବରିଷ୍ଠ ନେତାଙ୍କୁ ଚେତାବନୀ ଦେଲା ଭଳି ପାଣ୍ଡିଆନ କହୁଛନ୍ତି... "୭ଟା ଯାକ ବିଧାୟକ ପ୍ରାର୍ଥୀ ହାରିଗଲେ ଚଳିବ, କିନ୍ତୁ ଆମେ ଲୋକସଭା ଆସନ ଜିତିବା । ବରିଷ୍ଠ ନେତାଙ୍କୁ ପାଣ୍ଡିଆନ ଏମିତି କହିବା ଠିକ୍ ଲାଗି ନଥିଲା । ସମସ୍ତେ ଚୁପ୍ ହୋଇ ନିର୍ଦ୍ଦେଶ ମାନିଲେ । ରବୀନ୍ଦ୍ର ଜେନାଙ୍କୁ ଦାୟିତ୍ଵ ଦିଆଗଲା ମୁଁ କେଉଁ ପଞ୍ଚାୟତକୁ ଯିବି, କେଉଁଠି କାର୍ଯ୍ୟ କରିବି । ଦଳ ସହ ସେହି ଆସନର ନେତା ମୋତେ ସହଯୋଗ କରିଥିଲେ ।"
ଶ୍ରୀମୟୀ କହିଛନ୍ତି, "ବଲାଙ୍ଗିର ଓ ପାଟଣାଗଡ଼ରେ ମୁଁ ନିଜ ଦମ୍ରେ ସଂଗଠନ କରିଥିଲି । କିନ୍ତୁ ଭୁବନେଶ୍ଵରରେ ସଂଗଠନ ଲାଗି ଦଳ ପୂରା ସହଯୋଗ କରିଥିଲା । ମହିଳା ସଶକ୍ତିକରଣର ନାରା ଦେଉଥିବା ଦଳ ୨୦୨୪ ମାର୍ଚ୍ଚ ୮ରେ ମୋତେ ଡାକି ଏକ ଫେକ୍ ସର୍ଭେ ରିପୋର୍ଟ ଦେଖାଇଥିଲେ ଭିକେ ପାଣ୍ଡିଆନ୍ । ଦିଲ୍ଲୀରୁ ଫେରି ପାଣ୍ଡିଆନ୍ କହିଥିଲେ, ସର୍ଭେରେ ତୁମ ରିପୋର୍ଟ ଠିକ୍ ଆସୁନି ।"
ମୁଁ ପ୍ରଶ୍ନ କଲି, ଦିଲ୍ଲୀରେ ଏମିତି କ'ଣ ହେଲା ? ଦିଲ୍ଲୀରୁ ସକାଳେ ଫେରି, ସନ୍ଧ୍ୟାରେ ଡାକି ଏମିତି କହୁଛ ? କହିଲି ସାରଙ୍କୁ ଦେଖା କରିବି, କିନ୍ତୁ ସେ ଦେଖା କରାଇ ଦେଲେନି ବୋଲି ଶ୍ରୀମୟୀ କହିଛନ୍ତି । ଏଭଳି ଭାବେ ତାଙ୍କୁ ଯେତେଥର ହଇରାଣ କରାଯାଇଛି, ସେତେବେଳେ ସେ ନବୀନଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ପାଣ୍ଡିଆନ ବାଟ ଓଗାଳି ଦେଇଥିବା ଶ୍ରୀମୟୀ କହିଛନ୍ତି ।
Related Topics
Explore more stories