Odisha Politics / ପୁଣି ବିଜେଡିକୁ ଟାର୍ଗେଟ କଲେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର

Key Points
ପୁଣି ବିଜେଡିକୁ ଟାର୍ଗେଟ କଲେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର
ଆଗ ଧାଡିର ନେତାମାନେ ଆଜି ନିରବ କାହିଁକି ?
ଏବେ ପୁଣି କେଉଁ ଭୟ ଘାରିଛି ?
ଦଳର ଦୟନୟ ସ୍ଥିତି ପରେ ମୁହଁ ଖୋଲିବାକୁ ଡର କାହିଁକି ?
ପୁଣି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ସେ ଲେଖିଛନ୍ତି, ଯେଉଁ ନେତାମାନେ ଦିନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ, ଆଉ ବିଜୁବାବୁଙ୍କ ସମୟରୁ ରାଜନୀତି କରୁଛୁ ବୋଲି ଗର୍ବ କରୁଥିଲେ, ଆମମାନଙ୍କୁ ବିଜୁବାବୁଙ୍କ ଆଦର୍ଶର କଥା କହୁଥିଲେ ସେହି ଆଗଧାଡ଼ିର ନେତାମାନେ ଆଜି ନିରବ କାହିଁକି ?
ବିଜୁବାବୁଙ୍କ ନାମରେ ଗଠିତ ରାଜନୀତିକ ଦଳରେ ରହି ନିଜ ସ୍ଵାଭିମାନ ଓ ଆଦର୍ଶ ସହ ସାଲିସ୍ କ'ଣ ପାଇଁ ? ଏବେ ପୁଣି କେଉଁ ଭୟ ଘାରିଛି ? ଦଳର ଦୟନୀୟ ସ୍ଥିତି ପରେ ମଧ୍ୟ ସୁଧାରିବା ପାଇଁ ମୁହଁ ଖୋଲିବାକୁ ଡର କାହିଁକି ? କିଛି ନେତା ତ କେବଳ ମୁଣ୍ଡ ବିକ୍ରି କରି ଚୁପ୍ ରହିନାହାନ୍ତି ବରଂ ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ ବି କରୁଛନ୍ତି । ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି । ୟେ କ’ଣ ଆପଣମାନଙ୍କର ବିଜୁ ଆଦର୍ଶ ?
୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ଵାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ ରାଜ୍ୟବାସୀ ଦେଇସାରିଛନ୍ତି । ୨୪ବର୍ଷର ସରକାର ପଳାଇଲା । ତଥାପି ଚେତା ପଶିଲା ନାହିଁ, ସେହି ଭଣ୍ଡ ସନ୍ୟାସୀର ଚାଟୁକାର ହୋଇ ସାଲିସ୍ କଲ, ଆଉ ନୂଆପଡ଼ାବାସୀ ବି କଡ଼ା ଜବାବ ଦେଲେ । ତୃତୀୟ ସ୍ଥାନକୁ ଖସାଇ ଦେଲେ । ତଥାପି ଏହାର ସମୀକ୍ଷା ଦଳସ୍ତରରେ ହେଲା ନାହିଁ । ଏହାପରେ ବି ତାମିଲ ମୋହ ତୁଟୁନି । ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ନେତୃତ୍ବ ତାମିଲଙ୍କୁ ଟେକି ଦେବାର ଚକ୍ରାନ୍ତ ଆରମ୍ଭ କରିଦେଲେଣି ଚାଟୁକାର ଗୋଷ୍ଠୀ ।
ପୂର୍ବରୁ ମଧ୍ୟ ପାଣ୍ଡିଆନ ଓ ସୁଜାତାଙ୍କୁ ଟାର୍ଗେଟ୍ କରିଥିଲେ ଶ୍ରୀମୟୀ ମିଶ୍ର । ଏଥର ସଂତୃପ୍ତ ମିଶ୍ର ବି ଆସିଛନ୍ତି ଶ୍ରୀମୟୀଙ୍କ ଟାର୍ଗେଟକୁ । ପୁଣି ସୋସିଆଲ୍ ମିଡିଆ ପୋଷ୍ଟରେ କବିତା ଆକାରରେ କରିଛନ୍ତି ଆକ୍ରମଣ । ଶ୍ରୀମୟୀ ଲେଖିଛନ୍ତି କାହାର ରହିଛି କେତେ ଜୋର୍, ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର । ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସି, ପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ ।
ଏହାସହ ୨୦୨୪ ନିର୍ବାଚନରେ ସଂତୃପ୍ତ ମିଶ୍ରଙ୍କୁ ବିଜେଡିରୁ କଟକ ଲୋକସଭା ଟିକେଟ ପ୍ରସଙ୍ଗ ଉଠାଇଲେ ଶ୍ରୀମୟୀ । ସେ ଲେଖିଛନ୍ତି, ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୈତିକ ଅଭିଜ୍ଞତା ନଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା ଓ ସେ ବୃହତ୍ ଭୋଟ ବ୍ୟବଧାନରେ ହାରିଲେ । ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନ ବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଆତ୍ମା ଏବେ ରାଜ୍ୟସଭା ଆଶାୟୀ। ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି ?
📱 Get Argus News App
✨Related Topics
Explore more stories