MLA ପୂଜା ପାଲ୍ କିଏ ? କାହିଁକି ତାଙ୍କୁ ଦଳରୁ ବହିଷ୍କାର କଲେ ଅଖିଳେଶ ?

Key Points
ଉତ୍ତରପ୍ରଦେଶ କୌଶାମ୍ବୀର ଚାୟଲ ଆସନରୁ ବିଧାୟିକା ହେଉଛନ୍ତି ପୂଜା ପାଲ୍ । ପୂଜା ହେଉଛନ୍ତି ପଶ୍ଚିମ ଆହ୍ଲାବାଦରୁ ବିଧାୟକ ରହିଥିବା ରାଜୁ ପାଲଙ୍କ ପତ୍ନୀ । ୨୦୦୪ରେ ଦିନ ଦ୍ଵି ପ୍ରହରରେ ଗୁଳି କରି ରାଜୁ ପାଲଙ୍କୁ ହତ୍ୟା କରା ଯାଇଥିଲା ।
ଲକ୍ଷ୍ନୌ: ବିଜେପି ସରକାରକୁ ପ୍ରଶଂସା କରିବାରୁ ବିଧାୟିକାଙ୍କୁ ଦଳରୁ ବହିଷ୍କାର କଲେ ଅଖିଳେଶ । ବିଧାୟିକା ପୂଜା ପାଲଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଛି । ଉତ୍ତରପ୍ରଦେଶ ବିଧାନସଭାରେ ୨୪ ଘଣ୍ଟିଆ ଭିଜନ ଡକ୍ୟୁମେଣ୍ଟ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଥିଲେ ପୂଜା ପାଲ୍ । ଏହାପରେ ଅଖିଳେଶଙ୍କ ସମାଜବାଦୀ ପାର୍ଟି ପୂଜାଙ୍କୁ ଦଳବିରୋଧୀ ଗତିବିଧି ପାଇଁ ବହିଷ୍କୃତ କରିଛି ।
ପୂଜା ପାଲ୍ କିଏ ?
ଉତ୍ତରପ୍ରଦେଶ କୌଶାମ୍ବୀର ଚାୟଲ ଆସନରୁ ବିଧାୟିକା ହେଉଛନ୍ତି ପୂଜା ପାଲ୍ । ପୂଜା ହେଉଛନ୍ତି ପଶ୍ଚିମ ଆହ୍ଲାବାଦରୁ ବିଧାୟକ ରହିଥିବା ରାଜୁ ପାଲଙ୍କ ପତ୍ନୀ । ୨୦୦୪ରେ ଦିନ ଦ୍ଵି ପ୍ରହରରେ ଗୁଳି କରି ରାଜୁ ପାଲଙ୍କୁ ହତ୍ୟା କରା ଯାଇଥିଲା । ପ୍ରାୟ ୫ କିଲୋମିଟର ରାସ୍ତା ରାଜୁ ପାଲଙ୍କୁ ଦଉଡ଼ାଇ ଗୁଳି କରାଯାଇଥିଲା । ଆଉ ହତ୍ୟାକାଣ୍ଡ ପୂଜା ଓ ରାଜୁଙ୍କ ବିବାହର ମାତ୍ର ୧୧ ଦିନରେ ଘଟିଥିଲା ।
ଅଭିଯୋଗ ହୋଇଥିଲା, ନିର୍ବାଚନରେ ଅତୀକ ଅହମଦର ଭାଇ ମହମ୍ମଦ ଅଶରଫଙ୍କୁ ହରାଇବାରୁ ରାଜୁ ପାଲଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟା ପାଇଁ ଅତୀକ ଅହମଦ ଓ ତାର ଭାଇ ଖାଲିଦ ଅଜିମ ଓରଫ ଅଶରଫକୁ ଦାୟୀ କରା ଯାଇଥିଲା । ରାଜୁଙ୍କ ହତ୍ୟା ପରେ ସେହି ଆସନରୁ ପୂଜାଙ୍କୁ ପ୍ରାର୍ଥୀ କରିଥିଲା ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି । କିନ୍ତୁ ଅଶରଫଙ୍କ ଠାରୁ ହାରି ଯାଇଥିଲେ ପୂଜା ।
ଏହାପରେ ୨୦୦୭ ନିର୍ବାଚନରେ ମାୟାବତୀ, ପୂଜା ପାଲଙ୍କୁ ପଶ୍ଚିମ ସହରରୁ ପ୍ରାର୍ଥୀ କରିଥିଲା ଏବଂ ସେ ଜିତିଥିଲେ । ଏହାପରେ ୨୦୧୨ରେ ପୁଣି ଥର ବିଜୟୀ ହୋଇଥିଲେ । ୨୦୧୭ରେ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ ପୂଜା । ପରେ ପୂଜା ପାଲ୍ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ୨୦୨୨ରେ ପୂଜା ସମାଜବାଦୀ ପାର୍ଟି ଟିକେଟରେ ଚାୟଲ ବିଧାନସଭାରୁ ଲଢ଼ି ବିଜୟୀ ହୋଇଥିଲେ ।
ଏବେ ଉତ୍ତରପ୍ରଦେଶ ବିଧାନସଭାରେ ୨୪ ଘଣ୍ଟିଆ ଭିଜନ ଡକ୍ୟୁମେଣ୍ଟ ଆଲୋଚନା ବେଳେ ପୂଜା ପାଲ୍ କହିଥିଲେ, ପୂରା ଗୃହ ଜାଣିଛି ମୋ ସ୍ଵାମୀଙ୍କ ହତ୍ୟା କେମିତି ଓ କେଉଁମାନେ କରିଥିଲେ । ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି ମୋ ଆଖିରୁ ଝରୁଥିବା ଅଦୃଶ୍ୟ ଲୁହକୁ ମୁଖ୍ୟମନ୍ତ୍ରୀ ଦେଖି, ନ୍ୟାୟ ଦେବାକୁ କାମ କଲେ । ମୋ ଭଳି ପ୍ରୟାଗରାଜରେ ଅନେକ ପୀଡ଼ିତ ପରିବାରକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେଇଛନ୍ତି ।