ଆନ୍ଦୋଳନ ବାହାନାରେ ପୋଲିସ ଉପରେ ରାଗ ସୁଝାଇବାକୁ ଥିଲା କି କଂଗ୍ରେସର ପ୍ଲାନ୍ !

ପୋଲିସଙ୍କୁ ଭୟଙ୍କର ଆକ୍ରମଣ । ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୧୫ ଜଣ ପୋଲିସ ଗୁରୁତର । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସ ଆନ୍ଦୋଳନ କରିବାକୁ ଆସିଥିଲା ନା ପୋଲିସ ଉପରେ ରାଗ ସୁଝାଇବାକୁ ଏକାଠି ହୋଇଥିଲେ କର୍ମୀ । ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଲୋୟର ପିଏମ୍ଜିରେ କଂଗ୍ରେସର ଉତ୍ପାତ ଦେଖିଥିବା ଓଡ଼ିଶାର ପ୍ରତ୍ୟେକ ନାଗରିକ ଆଜି ଏଭଳି ପ୍ରଶ୍ନ କରୁଛି ।
କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୫ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ଗୋଟିଏ ପୋଲିସ ଭ୍ୟାନକୁ ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଉକ୍ତ ଗାଡ଼ିର ଡ୍ରାଇଭର ତାକୁ ନିୟନ୍ତ୍ରଣ କରିଥିଲେ । ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରୁଥିବା ବେଳେ ପୋଲିସ ପ୍ରତିରୋଧ କରିଥିଲା । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ଏହାସହ ସେ ଆହୁରି କହିଛନ୍ତି କେଉଁ ପରିସ୍ଥିତିରେ ଏମିତି ଘଟିଲା ତାର ତଦନ୍ତ କରାଯିବ ।
ଆଜି କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ବିଭିନ୍ନ ଜିଲ୍ଲାରୁ ବସ୍, କାର, ବୋଲେରୋ ଯୋଗେ ଲୋକଙ୍କୁ ଆଣି ଭୁବନେଶ୍ୱରରେ ଏକାଠି କରିଥିଲା କଂଗ୍ରେସ । ରାମ ମନ୍ଦିର ଛକରୁ ପଦଯାତ୍ରାରେ ଆସି ଲୋୟର ପିଏମ୍ଜିରେ କଂଗ୍ରେସ କର୍ମୀମାନେ ଏକାଠି ହୋଇଥିଲେ । ତାପରେ ଆରମ୍ଭ କରିଥିଲେ ଉତ୍ପାତ । ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର ।
କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାରୁ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପୋଲିସ ଉପରକୁ ଚୌକି ଫିଙ୍ଗିଥିଲେ କଂଗ୍ରେସ କର୍ମୀ । ତେଣୁ କୁହାଯାଉଛି ଆନ୍ଦୋଳନ ବାହାନାରେ ପୋଲିସକୁ ଆକ୍ରମଣ ପ୍ଲାନ କରିଥିଲା କଂଗ୍ରେସ । ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲା କଂଗ୍ରେସ । ପଥର ବାଜି ପୋଲିସ କର୍ମୀଙ୍କ ମୁଣ୍ଡ ଫାଟିଛି, କାନରେ କ୍ଷତ ହୋଇଛି, ମୁହଁରେ ଆଘାତ ଲାଗିଛି । ଏହାସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ମଧ୍ୟ ଲାଗିଥିବା ଅଭିଯୋଗ ହୋଇଛି । ଖାଲି ଟେକା ପଥର ନୁହେଁ, କିଛି କର୍ମୀ ପୋଲିସଙ୍କୁ ଅଣ୍ଡା, ଟମାଟୋ ଓ ବୋତଲ ମାଡ଼ ମଧ୍ୟ କରିଥିଲେ ।
ତେବେ ଏହି ଧସ୍ତାଧସ୍ତି ଓ ପେଲା ଠେଲା ମଧ୍ୟରେ କିଛି କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ପୋଲିସ, କଂଗ୍ରେସ କର୍ମୀଙ୍କ ଉପରକୁ ପାଣି ମାଡ଼ କରିବା ସହ ଲୁହବୁହା ଗ୍ୟାସ୍ ମଧ୍ୟ ପକାଇଥିଲା । ଫଳରେ କଂଗ୍ରେସ କର୍ମୀ କିଛି ମାତ୍ରାରେ ଛତ୍ରଭଙ୍ଗ ଦେଇଥିଲେ । କିଛି କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା ।
ଅନ୍ୟପଟେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କଂଗ୍ରେସ କେବଳ ଆନ୍ଦୋଳନ ବାହାନାରେ ପୋଲିସ ଉପରେ ରାଗ ସୁଝାଇବାକୁ ଏଭଳି କରିଛି । କାରଣ କଂଗ୍ରେସ ବିଧାୟକ ରମେଶ ଜେନା ବୁଧବାର ରାତିରେ ଖୋଲା ଖୋଲି ଭାବେ ଗଣମାଧ୍ୟମ ଆଗରେ ଏଭଳି କରିବାକୁ ପୋଲିସକୁ ଧମକ ଦେଇଥିଲେ ।