Videos
|
Rath Yatra

Bahuda Yatra 2026 / ଭୋଭୋ କାନ୍ଦୁଛନ୍ତି ଭକ୍ତ, ଶ୍ରୀମନ୍ଦିର ଫେରିବେ କାଳିଆ ସାଆନ୍ତ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଭୋଭୋ କାନ୍ଦୁଛନ୍ତି ଭକ୍ତ, ଶ୍ରୀମନ୍ଦିର ଫେରିବେ କାଳିଆ ସାଆନ୍ତ
Lord Jagannath

Key Points

ନୀଳାଚଳକୁ ବାହୁଡ଼ିବେ ମହାପ୍ରଭୁ, ଲୁହରେ ଭିଜିଲା ଶରଧାବାଲି
ଭୋଭୋ କାନ୍ଦୁଛନ୍ତି ଭକ୍ତ, ଶ୍ରୀମନ୍ଦିର ଫେରିବେ କାଳିଆ ସାଆନ୍ତ
ଆଉ କିଛି କ୍ଷଣ ପରେ ରଥଟଣା, ଭାବର ବନ୍ୟାରେ ପୁରୀ ବଡ଼ଦାଣ୍ଡ
‘ହେ କାଳିଆ, ପୁଣି କେବେ ଦେଖା ଦେବୁ’ ଲୁହଭରା ଆଖିରେ ଭକ୍ତଙ୍କ ଗୁହାରି

ଭକ୍ତିର ମହାସ୍ରୋତରେ ଆଜି ଉଛୁଳି ଉଠିଛି ଶ୍ରୀକ୍ଷେତ୍ର... ନଅ ଦିନର ଆଡ଼ପମଣ୍ଡପ ଲୀଳା ସାରି ଆଜି ପୁଣି ନୀଳାଚଳ ଅଭିମୁଖେ ବାହୁଡ଼ିଯିବେ ମହାପ୍ରଭୁ । ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାଇଥିବା ତିନିଠାକୁର, ଏବେ ଦଶମୀ ତିଥିରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ଫେରିବେ ଶ୍ରୀମନ୍ଦିର ।

ବଡ଼ଦାଣ୍ଡରେ ଗଡ଼ିବ ତିନିରଥ, ଆଉ ଘଣ୍ଟ, ଶଙ୍ଖ, ହୁଳହୁଳି ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ପୁରୀ । ଅପରାହ୍ଣ ୪ଟାରୁ ରଥଟଣା ପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ । ଲକ୍ଷଲକ୍ଷ ଭକ୍ତଙ୍କ ମଧ୍ୟରେ ଦିବ୍ୟ ବାହୁଡ଼ାର ସେହି ଅପୂର୍ବ ମୁହୂର୍ତ୍ତକୁ ନେଇ ଉତ୍ସବମୁଖର ପୁରୀ । ଶରଧାବାଲିରେ ଆଜି ଭାବର ବନ୍ୟା ।

ଏପଟେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼, ସେପଟେ ତିନିରଥ ଉପରେ ବିରାଜମାନ ତିନିଠାକୁରଙ୍କ ଦର୍ଶନ ପାଇଁ ସମସ୍ତଙ୍କ ଆଖି ଅପେକ୍ଷାରେ । ଆଉ କିଛି କ୍ଷଣ ପରେ ଆରମ୍ଭ ହେବ ରଥଟଣା । ନଅ ଦିନର ଆଡ଼ପମଣ୍ଡପ ଲୀଳାଖେଳା ସାରି ଏବେ ନୀଳାଚଳ ଅଭିମୁଖେ ଫେରିବାକୁ ପ୍ରସ୍ତୁତ ମହାପ୍ରଭୁ । କିନ୍ତୁ ଏହି ଫେରା ମୁହୂର୍ତ୍ତ ଭକ୍ତଙ୍କ ପାଇଁ ସହଜ ନୁହେଁ । କାହାର ଆଖିରେ ଲୁହ, କାହାର ହାତ ଉପରେ, ଆଉ କାହାର ମୁହଁରେ କେବଳ ଗୋଟିଏ ଡାକ ‘ହେ କାଳିଆ, ପୁଣି କେବେ ଦେଖା ଦେବୁ ।’

Latest Update: LIVE Bahuda Yatra Live Update from Bada Danda

ଶରଧାବାଲିରେ ଭକ୍ତମାନେ ଭୋଭୋ ହୋଇ କାନ୍ଦୁଛନ୍ତି, ଧୂଳିରେ ଗଡ଼ି ଦଣ୍ଡବତ ହେଉଛନ୍ତି । ମହାପ୍ରଭୁ ଆଗକୁ ବଢ଼ୁଛନ୍ତି, କିନ୍ତୁ ଭକ୍ତଙ୍କ ମନ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ଘଣ୍ଟ, ଶଙ୍ଖ, ହୁଳହୁଳି ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ସାରା ପରିବେଶ ଭକ୍ତିମୟ। ଏହା କେବଳ ଏକ ଯାତ୍ରା ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବର ଅଦ୍ଭୁତ ବିନିମୟ।
ଗୁଣ୍ଡିଚା ମନ୍ଦିର ସାମ୍ନାରେ ଲକ୍ଷଲକ୍ଷ ଭକ୍ତ ତିନିଠାକୁରଙ୍କୁ ଚାହିଁବସିଛନ୍ତି । ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା । ଲୀଳାଖେଳା ସାରି ଠାକୁର ମନ୍ଦିରକୁ ଫେରିଯିବାକୁ ପ୍ରସ୍ତୁତ । ଯାହାକୁ ନେଇ ଭକ୍ତ ବି ଭୋଭୋ ହୋଇ ଶରଧାବାଲିରେ କାନ୍ଦିକାନ୍ଦି ଦଣ୍ଡବତ ହେଉଛନ୍ତି ।

ଲୁହଭରା ଆଖିରେ ହାତଯୋଡ଼ି ବ୍ରହ୍ମାଣ୍ଡ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି, ହେ ଠାକୁରେ.... ଆଉ କିଛି ସମୟ ପରେ ଆପଣ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବେ । ପୁଣି ଆପଣଙ୍କୁ ଭକ୍ତଙ୍କ ଗହଣ‌ରେ ଦେଖିବାକୁ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ। ସେତେଦିନ ଯାଏଁ ଆପଣଙ୍କ କୃପା ଦୃଷ୍ଟି ଏଜଗତ ଉପରେ ରଖିଥିବ ପ୍ରଭୁ... ଏ ସମାଜର ମଙ୍ଗଳ ହେଉ ଏତିକି ପ୍ରାର୍ଥନା ପ୍ରଭୁ। ଆପଣଙ୍କ କରୁଣା ପାଇଁ ଏ ଶରୀରରେ ଜୀବନ ଅଛି। ସାହା ହୋଇଥିବ ପ୍ରଭୁ.. ସାହା ହୋଇଥିବ..... ଜୟ ଜଗନ୍ନାଥ ଜୟ ଜଗନ୍ନାଥ...।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored