Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Hera Panchami / ଆଜି ହେରାପଞ୍ଚମୀ... ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ

Rashmita Mishra
Browse all articles by Rashmita Mishra
·16 hours ago·2 min read
ଆଜି ହେରାପଞ୍ଚମୀ... ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ
Hera Panchami

Key Points

ଆଜି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ପଞ୍ଚମ ଦିନ
ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି
କାଳିଆ ଠାକୁରଙ୍କ ଉପରେ ରୁଷିଲେ ଅଭିମାନିନୀ ମା’ ଲକ୍ଷ୍ମୀ
ସନ୍ଧ୍ୟାରେ ରଥ ଭାଙ୍ଗିବେ ଶ୍ରୀଦେବୀ

ଆଜି ଶ୍ରୀକ୍ଷେତ୍ରରେ କେବଳ ଏକ ନୀତି ନୁହେଁ, ବରଂ ପ୍ରେମ, ଅଭିମାନ ଓ ଦାମ୍ପତ୍ୟର ଏକ ଅନନ୍ୟ ଲୀଳାର ସାକ୍ଷୀ ହେବେ ଲକ୍ଷଲକ୍ଷ ଭକ୍ତ । ନବଦିନାତ୍ମକ ରଥଯାତ୍ରାର ପଞ୍ଚମ ଦିନରେ ପାଳିତ ହେଉଥିବା ''ହେରାପଞ୍ଚମୀ'' କେବଳ ଏକ ପରମ୍ପରା ନୁହେଁ, ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ଭାବ, ଭକ୍ତି ଓ ମାଧୁର୍ଯ୍ୟର ଜୀବନ୍ତ ପ୍ରତୀକ ।

ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ଗୁଣ୍ଡିଚା ଯାତ୍ରାକୁ ଯାଇଥିବା ବେଳେ, ଶ୍ରୀମନ୍ଦିରରେ ରହିଯାଇଥିବା ମହାଲକ୍ଷ୍ମୀଙ୍କ ଅଭିମାନ, ତାଙ୍କର ଗୁଣ୍ଡିଚା ଯାତ୍ରା ଏବଂ ଫେରିବା ବେଳେ ନନ୍ଦିଘୋଷ ରଥର ଏକ ଅଂଶ ଭାଙ୍ଗିବାର ଏହି ଅପୂର୍ବ ଲୀଳା ଆଜିର ଦିନକୁ କରିଥାଏ ସ୍ୱତନ୍ତ୍ର । ଆସନ୍ତୁ ଜାଣିବା, ଏହି ଦିବ୍ୟ ନୀତିର ପୌରାଣିକ ମହତ୍ତ୍ୱ ଓ ଆଜିର ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ।

ଆଜି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ପଞ୍ଚମ ଦିନ... ତିଥି ଅନୁଯାୟୀ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ିଦେଇ, ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି । ତାଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ ।

ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ସେ ଗୁଣ୍ଡିଚା ମନ୍ଦିର ଆସନ୍ତି । ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହନ୍ତି । ଏଥିରେ ରାଗିଯାଇ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ । ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ ।

ଆଜି ପାଳିତ ହେବ ଏହି ନୀତି । ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଭୋର ୪ଟାରେ ଦ୍ୱାର ଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି ନୀତି ବଢି ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହୋଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ଠାକୁରଙ୍କ ବେଶ ବଢ଼ିଛି । ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ବଢ଼ିବ ।

ଏହାପରେ ମହାପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ। ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ି ଅପରାହ୍ନ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗ ମଣ୍ଡପ ବଢିବ । ଏହାପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡ଼ରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ଏବଂ ଅଳଙ୍କାର ଲାଗି ହୋଇ ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟାଧୂପ ହେବ। ସନ୍ଧ୍ୟାଧୂପ ପୂଜା ବସିଥିବାବେଳେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ଜଗମୋହନକୁ ବିଜେ କରିବେ ।

ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡ଼ିବ। ରାତ୍ର ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢିବ। ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତ୍ର ୧ଟା ସୁଦ୍ଧା ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored