ରଥରେ ବ୍ୟବହୃତ ଚକ ନେବା ପାଇଁ ୧୫ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିବେ ଶ୍ରଦ୍ଧାଳୁ

Key Points
ବଢୁଛି ଚକ ନେବା ପାଇଁ ଆଶାୟୀଙ୍କ ଚାହିଦା
ଦୁଇଗୁଣ ବଢିଲା ନନ୍ଦିଘୋଷ ଚକର ନିଲାମୀ ରାଶି
୩ ଗୁଣରୁ ଅଧିକ ବଢ଼ିଲା ତାଳଧ୍ଵଜ ରଥ ନିଲାମି ରାଶି
ରଥ ଚକ, ପ୍ରଭା, ଗୁଜ, ଅସୁଆରି ନିଲାମି ପାଇଁ ଆସିଲା ସଂଶୋଧିତ ମାର୍ଗଦର୍ଶିକା । ପୂର୍ବ ବର୍ଷ ମାନଙ୍କରେ ରଥରେ ବ୍ୟବହୃତ ଚକ ଇତ୍ୟାଦି ନେବା ପାଇଁ ୧୫ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିବେ ଶ୍ରଦ୍ଧାଳୁ । ବଢୁଛି ଚକ ନେବା ପାଇଁ ଆଶାୟୀଙ୍କ ଚାହିଦା । ଦୁଇଗୁଣ ବଢିଲା ନନ୍ଦିଘୋଷ ଚକର ନିଲାମୀ ରାଶି । ୩ ଗୁଣରୁ ଅଧିକ ବଢ଼ିଲା ତାଳଧ୍ଵଜ ରଥ ନିଲାମି ରାଶି । ଅଢେଇ ଗୁଣ ବଢିଲା ଦେବଦଳନ ରଥ ଚକ ନୀଲାମି ରାଶି । ସାଧାରଣ ଭକ୍ତଙ୍କ ପାଇଁ ଏହି ରାଶିରେ ହ୍ରାସ କରିବାକୁ ଶ୍ରୀମନ୍ଦିର ସେବକଙ୍କ ଦାବି । ବରିଷ୍ଠ ସେବକ କହିଲେ କେବଳ ଅର୍ଥ ପାଇଁ ନିଲାମ ନହେଉ , ଯେଉଁଠାରେ ମର୍ଯ୍ୟାଦା ରହିବ, ଚକ ସେଇମାନଙ୍କୁ ଦିଆଯାଉ।
ବଢୁଛି ମହାପ୍ରଭୁଙ୍କ ଘୋଷଯାତ୍ରାରେ ବ୍ୟବହୃତ ରଥଚକ ନେବା ପାଇଁ ଚାହିଦା । ଭକ୍ତଙ୍କ ଚାହିଦାକୁ ନଜରରେ ରଖି ଆସିଲା ସଂଶୋଧିତ ନୂଆ ମାର୍ଗ ଦର୍ଶିକା । ନୂଆ ମାର୍ଗଦର୍ଶିକାରେ ଦୁଇ ଗୁଣା ବଢ଼ିଛି ସର୍ବନିମ୍ନ ଗ୍ରହଣୀୟ ବିକ୍ରୟ ମୂଲ୍ୟ । ବଳଭଦ୍ରଙ୍କ ତାଳଧ୍ଵଜ ରଥର ଚକ ପାଇଁ ଦୁଇ ଲକ୍ଷ ଟଙ୍କା , ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଚକ ପାଇଁ ୩ଲକ୍ଷ ଟଙ୍କାକୁ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଦେବୀ ସୁଭଦ୍ରାଙ୍କ ରଥ ଅର୍ଥାତ୍ ଦେବଦଳନ ଚକର ମୁଖ୍ୟ ଦେଢ଼ ଲକ୍ଷ ଟଙ୍କା । ତିନି ରଥ ମାନଙ୍କର ଗୁଜ , ଅସୁଆରି ପାଇଁ ୧୫ ହଜାର , ପ୍ରଭା ପାଇଁ ୨୫ହଜାର ଓ ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ଚକ ଏକାଠି ନେବାପାଇଁ ସର୍ବନିମ୍ନ ୬ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୧ହଜାର ଟଙ୍କା ଦେଇ ଆବେଦନ କରିପାରିବେ ଇଛୁକ ବ୍ୟକ୍ତି ବା ଅନୁଷ୍ଠାନ। ସବୁଠାରୁ ଅଧିକ ରାଶି ଦେଉଥିବା ବ୍ୟକ୍ତି ବା ଅନୁଷ୍ଠାନ ଏଥର ରଥର ଏହି ଅଂଶ ଗୁଡ଼ିକୁ ନେବା ପାଇଁ ଡାକରା ପାଇବେ । ଡାକରା ପାଇବାର ୭ ଦିନ ଭିତରେ DD , କ୍ୟାଶ,RTGS ମାଧ୍ୟମରେ ଟଙ୍କା ଜମା କରିବାକୁ ପଡ଼ିବ । ୧୫ ଦିନ ମଧ୍ୟରେ ଏହି ଅଂଶ ଗୁଡ଼ିକ ଡେଲିଭରି ବିତରଣ ହେବ । ନେବାବେଳେ ଅଣ୍ଡର ଟେକିଂ ରେ ସାଇନ୍ କରିବାକୁ ପଡ଼ିବ । ତା ସହିତ ପରିବହନ ଖର୍ଚ୍ଚ ମଧ୍ୟ ନିଜେ ଉଠାଇବାକୁ ପଡିବ । ଯିଏ ନନେଇପାରିବ ବା ଟଙ୍କା ନଦେଇ ପାରିବ,ପରବର୍ତ୍ତୀ ମନୋନୀତ ବ୍ୟକ୍ତି ପାଇପାରିବେ ।
📱 Get Argus News App
✨ରଥଯାତ୍ରା ଶେଷ ହେବା ପରେ ଏହାର ଅଂଶ ଗୁଡ଼ିକ ରୋଷ ଘରେ ଜାଳେଣି ରୂପେ ବ୍ୟବହୃତ ହୁଏ ।୨୦୧୨ ମସିହା ଠାରୁ ଚକ,ପ୍ରଭା ଇତ୍ୟାଦି ମୂଲ୍ୟବାନ ଅଂଶ ଗୁଡ଼ିକ ନିଲାମ କରାଯାଇ ଆସୁଛି । ଯାହାଦ୍ଵାରା ରାଜସ୍ବ ପାଇ ଆସୁଛି ଶ୍ରୀମନ୍ଦିର ପ୍ରଶାସନ । ଏହାକୁ ନେବା ପାଇଁ ବ୍ୟକ୍ତି ବା ଅନୁଷ୍ଠାନକୁ ଏକ ଅଣ୍ଡର ଟେକିଂ ଦେବାକୁ ହୁଏ । ସେହି ମୁତାବକ ନେଇଥିବା ରଥ ଅଂଶକୁ ପବିତ୍ର ତଥା ସୁରକ୍ଷିତ ସ୍ଥାନରେ ରଖିବାକୁ ହୁଏ । ତା ସହିତ ଏହାର ମର୍ଯ୍ୟାଦା ମଧ୍ୟ ରଖିବାକୁ ରହିଛି ନିୟମ । ତେବେ ଏହାର ବ୍ୟତିକ୍ରମ ଯେପରି ନହୁଏ ,ସେନେଇ କଡାକଡି ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବକ । ଏହାର ମର୍ଯ୍ୟାଦା ଓ ମାନ ରଖୁଥିବା ବ୍ୟକ୍ତି ବା ଅନୁଷ୍ଠାନକୁ ଏହା ଦିଆଯାଉ ବୋଲି ଦାବି ହୋଇଛି । ଅନ୍ୟ ପଟରେ ନୀଲାମି ମୂଲ୍ୟରେ ହ୍ରାସ କଲେ ସାଧାରଣ ଭକ୍ତ ଏହାର ଲାଭ ପାଇବେ କହିଛନ୍ତି ଶ୍ରୀମନ୍ଦିର ସେବକ ।
ନୂଆ ଏସଓପିରେ କାହାକୁ ଅଗ୍ରାଧିକାର ଦିଆଯିବାର ବ୍ୟବସ୍ଥା ନାହିଁ । ପୂର୍ବ ବର୍ଷ ମାନଙ୍କରେ ଦାରୁକ୍ଷେତ୍ର , ଲୀଳା କ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ରହୁଥିଲା ।ଏବେ ସମସ୍ତେ ଏହାର ସୁଯୋଗ ପାଇପାରିବେ ।