ମହାପ୍ରଭୁଙ୍କ ରଥନିର୍ମାଣରେ ଲାଗିପଡିଛନ୍ତି ଉଚ୍ଚଶିକ୍ଷିତ ଯୁବକ

Key Points
କମାରଶାଳରେ ଉଚ୍ଚଶିକ୍ଷିତ ଯୁବକ
ଯୁକ୍ତ ତିନି ପାଠ ଶେଷକରି ମଧ୍ୟ ମହାପ୍ରଭୁଙ୍କ ରଥନିର୍ମାଣରେ ଯୁବ ସେବାୟତ
ଅସହ୍ୟ ଖରା ଓ ନିଆଁ ଚୂଲିର ତାତିକୁ ଖାତିର୍ ନକରି ତିନିରଥ ପାଇଁ କଣ୍ଟା ପ୍ରସ୍ତୁତ କରୁଛନ୍ତି
ରଥଖଳାରେ କୁନି ସେବାୟତଙ୍କ ପରେ ଏବେ ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଉଚ୍ଚଶିକ୍ଷିତ ଯୁବ ସେବାୟତ। ମହାପ୍ରଭୁଙ୍କ ସେବାକୁ ପ୍ରାଧାନ୍ୟ ଦେଇ ନିଜକୁ ରଥନିର୍ମାଣରେ ସମର୍ପିତ କରିଛନ୍ତି ଉଚ୍ଚଶିକ୍ଷିତ ଯୁବ ସେବାୟତ। ମୁଣ୍ଡ ଉପରେ ଅସହ୍ୟ ଖରା ଓ ତଳେ ନିଆଁ ଚୂଲିର ତାତିକୁ ଖାତିର୍ ନକରି ତିନିରଥ ପାଇଁ କଣ୍ଟା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ଯୁବ କମାର ସେବାୟତ ଯଶୋବନ୍ତ ମହାରଣା। ଅନ୍ୟପଟେ ଇଂରାଜୀ ଅନର୍ସରେ ଯୁକ୍ତ ତିନି ପାଠ ଶେଷକରି ମଧ୍ୟ ମହାପ୍ରଭୁଙ୍କ ରଥନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି ତିନିରଥର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ପୁଅ ଆଲୋକ ଭୋଇ।
କୁନି ରୂପକାର ସେବାୟତଙ୍କ ଭଳି କମାରଶାଳରେ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ ଯୁବ କାରିଗରଙ୍କୁ ରଥନିର୍ମାଣରେ ନିୟୋଜିତ ହେବାର ଦେଖିବାକୁ ମିଳିଛି। ମୁଣ୍ଡ ଉପରେ ଅସହ୍ୟ ଖରା ଓ ତଳେ ନିଆଁ ଚୂଲିର ତାତିକୁ ଖାତିର ନକରି ନିଷ୍ଠାର ସହ ମହାପ୍ରଭୁଙ୍କ ପାଇଁ କମାରଶାଳରେ ଭଳିକିଭଳି ଅରକଣ୍ଟା,ବଳା,ପନ୍ଧାରୀ ଇତ୍ୟାଦି ବିଭିନ୍ନ ପ୍ରକାରର କଣ୍ଟା ନିର୍ମାଣ କରୁଛନ୍ତି ଯଶୋବନ୍ତ। ଚାର୍ଟାଡ ଆକାଉଟାଣ୍ଟ ପାଠ ପଢିବା ସହ ନିଜର କୌଳିକ ପରମ୍ପରାକୁ ଅକ୍ଷୁର୍ଣ୍ନ ରଖିବାକୁ ମହାପ୍ରଭୁଙ୍କ ସେବା କରୁଥିବା ଯଶୋବନ୍ତ କୁହନ୍ତି। ସେପଟେ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସୁଖ ଯେତେବେଳେ ଯଶୋବନ୍ତକୁ ମହାପ୍ରଭୁଙ୍କ ସେବା କରୁଥିବା କଥା ପଚାରନ୍ତି ସେତେବେଳେ ତାଙ୍କ ବାପାଙ୍କୁ ଖୁବ୍ ଆନନ୍ଦ ଲାଗେ ବୋଲି କହିଛନ୍ତି ଯଶୋବନ୍ତଙ୍କ ବାପା ଜଗନ୍ନାଥ।
📱 Get Argus News App
✨ସେହିଭଳି ଆଉ ଜଣେ ମହାପ୍ରଭୁଙ୍କର ବଳିଷ୍ଠ ଯୁବ ସେବାୟତ ହେଉଛନ୍ତି ଆଲୋକ ଭୋଇ। ତିନିରଥର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ପୁଅ ହେଉଛନ୍ତି ଆଲୋକ। ବଡବଡ କାଠଗଣ୍ଡି ଠାରୁ ଆରମ୍ଭ କରି ଜନ୍ତାଗାଢରେ ସିଙ୍ଗଡା ବାଡିଆ ଭଳି କଷ୍ଟକର କାମ କରନ୍ତି ଯୁକ୍ତ ତିନି ଇଁରାଜୀ ଅନର୍ସରେ ପାଠ ଶେଷ କରିଥିବା ଆଲୋକ। ନିଜ ବାପା ଭୋଇ ସର୍ଦାରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ସମର୍ପଣ ମନୋଭାବ ପ୍ରତି ଆକର୍ଷିତ ହୋଇ ବାପାଙ୍କୁ ଆଦର୍ଶ ମାନି ସେବାରେ ନିୟୋଜିତ ହୋଇଛନ୍ତି ଆଲୋକ। ଏବେ ସେ ବ୍ୟାଙ୍କିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିବା ସହିତ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇ ଆଲୋକ ମଧ୍ୟ ନିଜକୁ ବେଶ୍ ସୌଭାଗ୍ୟ ମନେ କରିଛନ୍ତି। ସେପଟେ ବଂଶଗତ ସେବାକୁ ପ୍ରାଧାନ୍ୟ ଦେଇ ବାପା ରବି ଭୋଇ ପୁଅକୁ ରଥଖଳାରେ ପ୍ରଶିକ୍ଷଣ ଦେଉଛନ୍ତି।